News18 Odia Digital
ପୁରୀ: ଦେଶର ବଡ଼ ବଡ଼ କମ୍ପାନୀ ୱଇପ୍ରୋ, ଓଏନଜିସି, ଇଣ୍ଡିଆନ ଅଏଲ ଆଉ ନାଲକୋ ହୁଅନ୍ତୁ ଅବା ବଡ଼ ବଡ଼ ପୁଞ୍ଜିପତିଙ୍କ ସମ୍ପତ୍ତି ଠାରୁ ବି କମ୍ ଶ୍ରୀମନ୍ଦିରର ସମ୍ପତ୍ତି। ତେବେ ଆକଳନ ଅନୁଯାୟୀ ଶ୍ରୀମନ୍ଦିରର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ପ୍ରାୟ ୧୨ ହଜାର କୋଟି ଆକଳନ କରାଯାଇଛି। ଦେଶର ବିଭିନ୍ନ ମନ୍ଦିର ଠାରୁ ତିନିଗୁଣା ଅଧିକ ଭକ୍ତ ବର୍ଷତମାମ ଶ୍ରୀମନ୍ଦିର ଆସୁଥିଲେ ସୁଦ୍ଧା ବଢୁନାହିଁ ଦାନ ଅର୍ଥ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଶୁଳ୍କ ଦର୍ଶନ, ଶୃଙ୍ଖଳିତ ନୀତି ଓ ଭକ୍ତଙ୍କୁ ବିନା ଅର୍ଥରେ ଅନେକ ସୁବିଧା ଦିଆଯାଉଛି। ତେଣୁ ଶ୍ରୀମନ୍ଦିରକୁ ବ୍ୟବସାୟ କରଣ ନୁହେଁ ଭକ୍ତଙ୍କ ଭାବନାକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।
ସେପଟେ ଦେଶର ବିତ୍ତଶାଳି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ବିକିବା, ଦର୍ଶନ ଓ ରହଣୀ ପୁଣି ମାନସିକ ଚୁଟି ପକାଇବାରେ କୋଟି କୋଟି ଟଙ୍କା ଆୟ କରୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏସବୁରୁ ଉର୍ଦ୍ଧ୍ବରେ।
ସେହିପରି ବିଶ୍ୱ ପ୍ରସିଦ୍ଧ ତିରୁପତି ଭେଙ୍କଟେଶ୍ୱରଙ୍କ ସମ୍ପତ୍ତିର ମୂଲ୍ୟ ସାର୍ବଜନୀନ ହୋଇଥିବା ବେଳେ ସେମାନେ ମାନସିକ ଚୁଟିରେ ଅର୍ଥାତ ୧୫୦ ଟନ ବାଳ ବିକି ପାଉଛନ୍ତି ୧୩ କୋଟି ଟଙ୍କା ଓ ଶ୍ରୀମନ୍ଦିରରେ ବର୍ଷକୁ ହୁଣ୍ଡିରୁ ଆୟ ରହିଛି ୧୨ କୋଟି। ତେଣୁ ଆଗାମୀ ଦିନରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ହେଲେ ସ୍ୱତପ୍ରଭୃତ ଭାବେ ଶ୍ରୀମନ୍ଦିରର ଆୟ ବୃଦ୍ଧି ପାଇବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ।
ଚାରିଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ହେଉଛି ଶ୍ରୀକ୍ଷେତ୍ର। ଆଉ ବିଶ୍ୱର ଆରାଧ୍ୟ ଠାକୁର ମହାପ୍ରଭୁଙ୍କ ଦର୍ଶନ ପାଇଁ ବର୍ଷକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଛି। ହେଲେ ଶ୍ରୀମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଆକଳନ କଲେ ସମୁଦାୟ ୧୨ ହଜାର କୋଟି ବୋଲି ତଥ୍ୟ ମିଳିଥିବା ବେଳେ ବିଶ୍ୱ ପ୍ରସିଦ୍ଧ ତିରୁପତିର ଭେଙ୍କଟେଶ୍ୱରଙ୍କ ସମ୍ପତ୍ତି ମୂଲ୍ୟ ଅଢେଇ ଲକ୍ଷ କୋଟି ବା ୩୦ ବିଲିୟନ ଆମେରିକିୟ ଡଲାର। ତେଣୁ ଖାଲି ତିରୁପତି ମନ୍ଦିର ନୁହେଁ ଦେଶର ପ୍ରମୁଖ ବୃହତ କମ୍ପାନୀ ୱଇପ୍ରୋ, ନେସଲେ, ଇଣ୍ଡିଆନ ଅଏଲ, ଓଏନଜିସିର ମାର୍କେଟ ପୁଞ୍ଜିଠାରୁ ପ୍ରାୟ ଅଧିକା ରହିଛି। ତିରୁପତି ଭେଙ୍କଟେଶ୍ୱରଙ୍କ ସମ୍ପତ୍ତି ଅଧିକା ଥିବା ବେଳେ ପୁରୀ ଶ୍ରୀମନ୍ଦିରର ସମ୍ପତ୍ତି ସମସ୍ତଙ୍କ ଠାରୁ କମ୍। ତେବେ ଶ୍ରୀମନ୍ଦିର ପ୍ରଶାସନର ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିରର ଜମା ରାଶି ହେଉଛି ୭୫୦ କୋଟି। ସେଥିରୁ କର୍ପସ ଫଣ୍ଡ ହେଉଛି ୩୯୨ କୋଟି, ଫାଉଣ୍ଡେସନ ଫଣ୍ଡ ୧୨୨ କୋଟି, ଟେମ୍ପଲ ଫଣ୍ଡ ୨୪୨ କୋଟି। ବ୍ୟାଙ୍କରୁ ସୁଧ ବର୍ଷକୁ ୩୭ କୋଟି, ରାଜ୍ୟ ସରକାର ବର୍ଷକୁ ଦେଉଛନ୍ତି ୪୨ କୋଟି। ଜଗନ୍ନାଥ ମହାପ୍ରଭୁଙ୍କର ସାରା ଦେଶରେ ୬୦ ହଜାର ଏକର ଜମି ରହିଥିବା ବେଳେ ୩୪ ହଜାର ଏକର ଜମିର ମାଲିକାନା ପଟ୍ଟା ଏବେ ରେକର୍ଡଭୁକ୍ତ କରାଯାଇଛି। ସେହି ଜମିର ମୁଲ୍ୟ ଆକଳନ କଲେ ୭ ହଜାର କୋଟି ହେବ। ପୁଣି ମହାପ୍ରଭୁଙ୍କ ନାଁରେ ୯୯ଟି ଖଣି ରହିଥିବା ବେଳେ ସେଥିରୁ ୨୬ଟି ମାଙ୍କଡା ପଥର ଖଣି, ୭୨ଟି ପଥର ଖଣି , ୨ଟି ଖାଣ୍ଡେଲାଇଟ ପଥର ଖଣି ରହିଛି। ଆଉ ତାହାର ଆନୁମାନିକ ମୁଲ୍ୟ ହେବ ୧୫ ଶହ କୋଟି।
ସେହିଭଳି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଆକଳନ ଅନୁଯାୟୀ ଯାହାର ତାଲିକା ୧୯୮୫ ଜୁଲାଇ ୧୪ରେ ପ୍ରସ୍ତୁତ କରାଯାଇଥିଲା। ସେହି ଅନୁସାରେ ୪୫୪ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଓଜନ ହେବ ୧୨୮୩୮ ଭରି ତାହାର ମୁଲ୍ୟ ହେବ ୬୪ କୋଟି ୧୯ ଲକ୍ଷ।
ସେହିପରି ୨୯୩ ପ୍ରକାର ରୂପା ଅଳଙ୍କାର ୨୨୧୫୩ ଭରି ରହିଛି। ସେଥିରୁ ୪ ଭରି ରୂପା ମନ୍ଦିର ପାଇଁ ବ୍ୟବହାର ହୋଇଥିବା ବେଳେ ୧୮୮୧୫ ଭରି ରହିଛି। ସେପଟେ ଏହାକୁ ମିଶାଇଲେ ଶ୍ରୀମନ୍ଦିରର ମୋଟ ସମ୍ପତିର ମୁଲ୍ୟ ୧୨ ହଜାର କୋଟି ହେବ। ତେଣୁ ଆଗାମୀ ଦିନରେ ଶ୍ରୀମନ୍ଦିରରେ ହୁଣ୍ଡି ବଢ଼ାଯିବା ସହ ଆୟ ବୃଦ୍ଧି ନେଇ ପଦକ୍ଷେପ ନିଆଯିବ। ତେଣୁ ଅନ୍ୟ ମନ୍ଦିର ତୁଳନାରେ ଆମ ମନ୍ଦିରରେ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥାକୁ ନେଇ ଆୟ କମ ରହୁଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା।
"ତେବେ ସାର୍ବଜନୀନ ହୋଇଛି ବିଶ୍ୱ ପ୍ରସିଦ୍ଧ ଭେଙ୍କଟେଶ୍ୱରଙ୍କ ସମ୍ପତ୍ତି ମୂଲ୍ୟ। ସୂତ୍ର ଅନୁଯାୟୀ ଭେଙ୍କଟେଶ୍ୱରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ଅଢେଇ ଲକ୍ଷ କୋଟି ଟଙ୍କାରୁ ଅଧିକ। ଦେଶର ପ୍ରମୁଖ ବା ବୃହତ କମ୍ପାନୀ ୱଇପ୍ରୋ, ନେସଲେ ଓ ଏନଜିସି ଠାରୁ ମଧ୍ୟ ଅଧିକା ରହିଛି ଭେଙ୍କଟେଶ୍ୱରଙ୍କ ସମ୍ପତ୍ତିର ମୂଲ୍ୟ। ଯେଉଁଥିରେ ରହିଛି ପ୍ରାୟ ୧୦.୨୫ ଟନର ସୁନାର ବ୍ୟାଙ୍କ ଡିପୋଜିଟ ସମେତ,୧୬୦୦୦ କୋଟିର ବ୍ୟାଙ୍କ ଜମା ଏବଂ ସମଗ୍ର ଭାରତବର୍ଷରେ ୯୬୦ଟି ଜମି ବା ସମ୍ପତ୍ତି। ଭେଙ୍କଟେଶ୍ୱର ମନ୍ଦିରରେ ବର୍ଷକୁ ୧୫୦ ଟନ ମାନସିକ ଚୁଟି ବିକ୍ରି ୧୩ କୋଟି ଟଙ୍କା ପାଉଥିବା ବେଳେ ଶ୍ରୀମନ୍ଦିରର ବର୍ଷକୁ ହୁଣ୍ଡିରୁ ଆୟ ହେଉଛି ୧୨ କୋଟି। ତେଣୁ ଶ୍ରୀମନ୍ଦିରରେ ଭକ୍ତଙ୍କୁ ନେଇ ବ୍ୟବସାୟ ହୁଏନାହିଁ। କାରଣ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଦର୍ଶନ ଠାରୁ ଆରମ୍ଭ କରି ଅନେକ ସୁବିଧାସୁଯୋଗ ନିଶୁଳ୍କ ଦେଉଛି ଶ୍ରୀମନ୍ଦିର ପ୍ରଶାସନ। ଏଠି ଆମେ ତିରୁପତି ମନ୍ଦିର ଭଳି ଭିଭିଆଇପି ଦର୍ଶନ ଟିକେଟ ନାହଁ କି ଲଡୁ ପ୍ରସାଦ କି ମାନସିକ ଚୁଟି ବିକ୍ରି କରୁନାହୁଁ। ତେଣୁ ଦେଶର ଯେତେକ ମନ୍ଦିର ଅଛନ୍ତି ସେମାନଙ୍କ ଠାରୁ ୫ ଗୁଣା ଭକ୍ତ ଶ୍ରୀମନ୍ଦିରକୁ ଦୈନିନ୍ଦିନ ଆସୁଛନ୍ତି। ତେଣୁ ଶ୍ରୀମନ୍ଦିରର ଆୟ ବଢୁଛି। ଆଉ ଆଗାମୀ ଦିନରେ ଏ ନେଇ ଅନେକ ବ୍ୟବସ୍ଥା କରାଯାଉଛି। ତେବେ ରତ୍ନଭଣ୍ଡାରର ଆକଳନ ହେଉ ଅବା ମହାପ୍ରଭୁଙ୍କ ନାଁରେ ଥିବା ୬୫ ହଜାର ଏକର ଜମିର ଆକଳନ ହେଲେ ଏହା ବିଶ୍ୱର ବିତ୍ତଶାଳୀ ମନ୍ଦିର ହେବ,’’ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର।
ତିରୁମାଳା ତିରୁପତି ଭେଙ୍କଟେଶ୍ୱର ମନ୍ଦିର, ପଦ୍ନନାଭସ୍ୱାମୀ ମନ୍ଦିର, ମୁବାଇର ସିଦ୍ଧି ବିନାୟକ ମନ୍ଦିର, ଶିରଡି ସାଇ ମନ୍ଦିର, ସ୍ୱର୍ଣ୍ଣ ମନ୍ଦିର, ମଦୁରାଇ ମୀନାକ୍ଷୀ ମନ୍ଦିର, ଗୁଜୁରାଟର ସୋମନାଥ ମନ୍ଦିର, କେରଳର ଆୟାପ୍ପା ମନ୍ଦିର ପରେ ଆସୁଛି ଶ୍ରୀଜଗନ୍ନାଥ ମନ୍ଦିର। ଶ୍ରୀମନ୍ଦିର ଏକ ଜୀବନ୍ତ ମନ୍ଦିର ଯେଉଁଥିରେ ସକାଳୁ ପହୁଡ ପର୍ଯ୍ୟନ୍ତ ଅନେକ ନୀତି ରହୁଥିବାରୁ ଏହା କେବଳ ନୀତିକାନ୍ତି ଓ ଦର୍ଶନ ଛଡ଼ା ବ୍ୟବସାୟିକ ଭାବେ କରାଯାଇପାରିବ ନହିଁ। ତେଣୁ ସେହି ଅନୁସାରେ ବିଚାର କଲେ ଏହି ମନ୍ଦିରରେ ସମ୍ପତ୍ତିକୁ ବାଦ ଦେଲେ ଦର୍ଶନାର୍ଥିଙ୍କ ସଂଖ୍ୟା ବିଶ୍ୱର ସବୁ ମନ୍ଦିର ଠାରୁ ଦଶ ଗୁଣା ଅଧିକ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।