ଉନ୍ନାଓ ଦୁଷ୍କର୍ମ: ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

ଉତ୍ତର ପ୍ରଦେଶର ବାଙ୍ଗରମଉରୁ ନିର୍ବାଚ଼ିତ ଏହି ବିଧାୟକଙ୍କୁ ଦେବାକୁ ଥିବା ୨୫ ଲକ୍ଷ ଟଙ୍କାର ଜୋରିମାନାରୁ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯିବା ସହ ଦିଲ୍ଲୀରେ ରହିବା ପାଇଁ ଗୋଟିଏ ଘର ଦିଆଯିବ । ଏଥି ସହ ପୀଡ଼ିତା ଓ ତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ପ୍ରଦାନ କରିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉନ୍ନାଓ ଦୁଷ୍କର୍ମ: ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ
କୁଲଦୀପ ସିଂହ ସେଙ୍ଗର
  • News18 Odia
  • Last Updated: December 20, 2019, 12:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ଉତ୍ତର ପ୍ରଦେଶର ଉନ୍ନାଓରେ ହୋଇଥିବା ଚ଼ର୍ଚ୍ଚିତ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ମିଳିଛି ନ୍ୟାୟ । ଦୋଷୀ ବିଜେପିର ବହିଷ୍କୃତ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ମିଳିଛି ଆଜୀବନ କାରାଦଣ୍ଡ ।

ଏହି ମାମଲାରେ ରାୟ ଶୁଣାଇ ଦିଲ୍ଲୀର ତିସ୍‌ହଜାରୀ କୋର୍ଟ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡ ଦେବା ସହ ୨୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି । କୋର୍ଟ ଚ଼ାରି ଦିନ ତଳେ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଦଣ୍ଡବିଧାନ କରି ତାଙ୍କୁ ସଜା ଶୁଣାଇଛନ୍ତି ।

ଉତ୍ତର ପ୍ରଦେଶ ବାଙ୍ଗରମଉର ଏହି ବିଧାୟକଙ୍କୁ ଦେବାକୁ ଥିବା ୨୫ ଲକ୍ଷ ଟଙ୍କାର ଜରିମାନାରୁ ପୀଡ଼ିତାଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯିବା ସହ ଦିଲ୍ଲୀରେ ରହିବା ପାଇଁ ଗୋଟିଏ ଘର ଦିଆଯିବ । ଏଥି ସହ ପୀଡ଼ିତା ଓ ତାଙ୍କ ପରିବାରକୁ ଆବଶ୍ୟକ ସୁରକ୍ଷା ପ୍ରଦାନ କରିବାକୁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜରିମାନା ଟଙ୍କା ଦେବା ପାଇଁ ସେଙ୍ଗରଙ୍କୁ ମାସେ ସମୟ ଦିଆଯାଇଛି । ଏହି ସମୟ ମଧ୍ୟରେ ଜରିମାନା ଟଙ୍କା ଦେଇ ନ ପାରିଲେ ତାଙ୍କ ସମ୍ପତ୍ତି ଜବତ କରାଯିବ ।

ଏବେ ସେଙ୍ଗରଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୪୪ ଲକ୍ଷ ଟଙ୍କା ହେବ । ଆବଶ୍ୟକ ପଡ଼ିଲେ ସମ୍ପତ୍ତି ଜବତ କରି ଜରିମାନା ରାଶି ଆଦାୟ କରାଯିବ ବୋଲି କୋର୍ଟ କହିଛନ୍ତି।

ଜଜ୍‌ ରାୟ ଶୁଣାଇବା ସମୟରେ ସେଙ୍ଗର ତାଙ୍କ ସାମ୍ନାରେ ହାତ ଯୋଡ଼ି ଛିଡ଼ା ହୋଇଥିଲେ । ରାୟ ଶୁଣାଇ ଜଜ୍‌ କହିଲେ ଯେ ସେଙ୍ଗର ଜଣେ ଜନ ପ୍ରତିନିଧି ଥିବା ସତ୍ୱେ ସେ ଜନତାଙ୍କ ବିଶ୍ବାସ ଭାଙ୍ଗିଛନ୍ତି ।

ଆଜି ଦଣ୍ଡବିଧାନ ପୂର୍ବରୁ ତର୍କ ସମୟରେ ସିବିଆଇ ସେଙ୍ଗରଙ୍କୁ ସର୍ବାଧିକ ଦଣ୍ଡ ପାଇଁ ଦାବି କରିଥିଲା । ଗତ ୧୬ ତାରିଖରେ ତିସ୍‌ହଜାରୀ କୋର୍ଟ ସେଙ୍ଗରଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଧାରା ୩୭୬ ଓ ପୋକ୍‌ସୋ ଆକ୍ଟର ଧାରା ୬ ଅନୁସାରେ ଦୋଷୀ ସାବ୍ୟସ୍ତ କରିଥିଲେ ।

୧୭ ତାରିଖରେ ଦଣ୍ଡ ଉପରେ ତର୍କ ହୋଇଥିଲା । ଏହା ପୂର୍ବରୁ ଜଜ୍‌ କହିଥିଲେ ଯେ ସେ ବ୍ୟସ୍ତତାରେ କୌଣସି ଫୈସଲା କରିବାକୁ ଚ଼ାହୁଁନାହାନ୍ତି । ଉନ୍ନାଓ ମାମଲା ଜଘନ୍ୟ ଷଡ଼ଯନ୍ତ୍ର, ହତ୍ୟା ଓ ଦୁର୍ଘଟଣାରେ ଭରା ବୋଲି ଜଜ୍‌ କହିଥିଲେ ।

୪ ଜୁନ୍‌ ୨୦୧୭ରେ ୧୭ ବର୍ଷୀୟା ଯୁବତୀଙ୍କୁ କୁଲଦୀପ ସିଂହ ସେଙ୍ଗର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରାୟ ୧୦ ମାସ ପରେ ୩ ଏପ୍ରିଲ ୨୦୧୮ରେ ପୀଡ଼ିତାଙ୍କ ବାପାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା ଏବଂ ବେଆଇନ  ଅସ୍ତ୍ରଶସ୍ତ୍ର ରଖିଥିବା ଅଭିଯୋଗରେ ପୀଡ଼ିତାଙ୍କ ବାପାଙ୍କୁ ଗିରଫ କରାଯାଇଥିଲା ।

ହେଲେ ଏପ୍ରିଲ ୮ରେ ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘର ଆଗରେ ଆତ୍ମହୁତି ଉଦ୍ୟମ କରିଥିଲେ ପୀଡ଼ିତା । ଏପ୍ରିଲ ୯ରେ ପୋଲିସ ହାଜତରେ ଆଖି ବୁଜିଥିଲେ ପୀଡ଼ିତାଙ୍କ ବାପା ।

୨୦୧୮ ମସିହା ଏପ୍ରିଲ ୧୦ରେ ଦୁଷ୍କର୍ମ ମାମଲା ସିବିଆଇକୁ ହସ୍ତାନ୍ତର କରିଥିଲେ ଆହ୍ଲାବାଦ ହାଇକୋର୍ଟ । ଏପ୍ରିଲ ୧୩ରେ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିଲେ ବିଧାୟକ କୁଲଦୀପ ସେଙ୍ଗର। ୧୧ ଜୁଲାଇରେ ଚାର୍ଜସିଟ୍‌ ଦାଖଲ କରିଥିଲା ସିବିଆଇ ।

ଏହାର ପ୍ରାୟ ବର୍ଷକ ପରେ ଗତ ଜୁଲାଇ ୧୭ରେ ସେଙ୍ଗର ଓ ତାଙ୍କ ଲୋକଙ୍କ ଠାରୁ ବିପଦ ଥିବା ନେଇ ସୁପ୍ରୀମ୍‌ କୋର୍ଟର ମୁଖ୍ୟ ବିଚ଼ାରପତିଙ୍କୁ ଚିଠି ଲେଖି ଜଣାଇଥିଲେ ପୀଡ଼ିତା ଓ ତାଙ୍କ ପରିବାର ଲୋକେ ।

ଜୁଲାଇ ୨୮ରେ ରାୟବରେଲି ଅଞ୍ଚଳରେ ଏକ ଟ୍ରକ ଧକ୍କାରେ କାର୍‌ରେ ଥିବା ପୀଡ଼ିତାଙ୍କ ଖୁଡ଼ି ଓ ମାଉସୀ ପ୍ରାଣ ହରାଇଥିବା ବେଳେ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତରଭାବେ ଆହତ ହୋଇଥିଲେ ।

ଅଗଷ୍ଟ ୧ରେ ଦୁଷ୍କର୍ମ ସମ୍ପର୍କିତ ୫ଟି ମାମଲା ଦିଲ୍ଲୀ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ। ଅଗଷ୍ଟ ୫ରେ ଦିଲ୍ଲୀ ତିସ୍‌ ହଜାରୀ କୋର୍ଟରେ ଆରମ୍ଭ ହୋଇଥିଲା ନିୟମିତ ଶୁଣାଣି । ଅଗଷ୍ଟ ୯ରେ ସେଙ୍ଗର ଓ ସହ ଅଭିଯୁକ୍ତ ଶଶିଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ ହୋଇଥିଲା ଏବଂ ୧୦ ତାରିଖରେ ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ ।

୯୦ ଦଶକର ଆରମ୍ଭରେ କୁଲଦୀପ ସିଂହ ସେଙ୍ଗର କଂଗ୍ରେସରୁ ନିଜ ରାଜନୈତିକ କ୍ୟାରୟର ଆରମ୍ଭ କରିଥିଲେ । ତା’ପରେ ସେ ଦଳ ପରିବର୍ତ୍ତନ କରି ଯୋଗ ଦେଇଥିଲେ ବହୁଜନ ସମାଜ ପାର୍ଟିରେ । ୨୦୦୨ରେ ବସପା ଟିକେଟ୍‌ରେ ଉନ୍ନାଓରୁ ବିଧାୟକ ଭାବେ ପ୍ରଥମ ଥର ଜିତିଥିଲେ ।

ପରବର୍ତ୍ତୀ ସମୟରେ ସେ ବିଏସ୍‌ପି ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ୨୦୧୭ରେ ବିଜେପିରେ ସାମିଲ ହୋଇ ସେ ବଙ୍ଗରମଉ ଆସନରୁ ବିଧାୟକ ଭାବେ ଜିତିଥିଲେ ।

ତାଙ୍କ ବିରୋଧରେ ଜୁନ୍‌ ୨୦୧୭ରେ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣିବାରୁ ଲଗାତର ବିବାଦ ବଢ଼ିବା ପରେ ଅଗଷ୍ଟ ୨୦୧୯ରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିଥିଲା ।

୫୩ ବର୍ଷ ବୟସ୍କ ଏହି ରାଜନେତା ଜଣକ ଦ୍ବାଦଶ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି । ତାଙ୍କ ପତ୍ନୀ ମଧ୍ୟ ନିର୍ଦ୍ଦଳୀୟ ଭାବେ ଜିଲ୍ଲା ପରିଷଦ ନିର୍ବାଚନ ଜିତିଥିଲେ ।  ତାଙ୍କ ବିରୋଧରେ ପୂର୍ବରୁ ମଧ୍ୟ କେତେକ ଆପରାଧିକ ମାମଲା ରହିଛି ।
Published by: Anand Shankar Thankur Das
First published: December 20, 2019, 2:35 AM IST
corona virus btn
corona virus btn
Loading