News18 Odia Digital
ଭୁବନେଶ୍ବର: ଓଡ଼ିଶା ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଣ୍ଡ ଟିମ୍ ଶିଳ୍ପଦ୍ୟୋଗୀଙ୍କ ସହ ଆଲୋଚନା କରିବା ପରେ ନିବେଶ ପାଇଁ ବାଟ ଫିଟିଛି। ରାଜ୍ୟରେ ନିବେଶ ପାଇଁ ଭିତ୍ତିଭୂମୀ ଭଲ। ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ସାଙ୍ଗକୁ ଭରପୂର କଞ୍ଚାମାଲ। ତେଣୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଅଧିକରୁ ଅଧିକ ଶିଳ୍ପଦ୍ୟୋଗୀ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦୁବାଇରୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ବଡ଼ ଖବର।
ଦୁବାଇରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଶିଳ୍ପଦ୍ୟୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପରେ ବଡ଼ ପୁଞ୍ଜି ନିବେଶ ପାଇଁ ଘୋଷଣା କରିଛନ୍ତି ବିଭିନ୍ନ ସଂସ୍ଥା।
ଓଡ଼ିଶାରେ ପ୍ରତିଷ୍ଠା ହେବ ୟୁରିଆ ପ୍ଲାଣ୍ଟ। କନ୍କ୍ଲେଭରେ NBTC ଗ୍ରୁପ ପକ୍ଷରୁ ୟୁରିଆ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଘୋଷଣା ହୋଇଛି। ୫ ହଜାର କୋଟି ନିବେଶରେ ପ୍ରତିଷ୍ଠା ହେବ ୟୁରିଆ ପ୍ଲାଣ୍ଟ । NBTC ଗ୍ରୁପର MDଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ସେହିପରି ଓଡ଼ିଶାରେ ତବ୍ରିଦ୍ ଗ୍ରୁପ୍ କରିବ ୧୦୦୦ କୋଟିର ପୁଞ୍ଜି ନିବେଶ। ଭୁବନେଶ୍ବରେ ICT କ୍ୟାମ୍ପସରେ ପୁଞ୍ଜି ନିବେଶ କରିବ ତବ୍ରିଦ୍ ଗ୍ରୁପ୍।
ପୁଞ୍ଜି ନିବେଶ ପାଇଁ ସମସ୍ତ ସହଯୋଗ କରାଯିବ ବୋଲି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ୟୁସୁଫ ଅଲ ହାମାଦିଙ୍କୁ କହିଛନ୍ତି ନବୀନ। ସେହିପରି ରାଜ୍ୟରେ ଲଜିଷ୍ଟିକ୍ କ୍ଷେତ୍ରରେ ପୁଞ୍ଜି ନିବେଶ କରିବ ସରାଫ୍ ଗ୍ରୁପ୍। ସରାଫ୍ ଗ୍ରୁପ୍ ମୁଖ୍ୟ ଇବ୍ରାହିମ୍ ସରାଫଙ୍କୁ ଭେଟି ଓଡ଼ିଶାରେ ନିବେଶ ନେଇ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ। ଲଜିଷ୍ଟିକ୍ କ୍ଷେତ୍ରରେ ବିଶ୍ବସ୍ତରୀୟ ସେବା ଯୋଗାଇବା ପାଇଁ ସହଯୋଗ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଶୋଭା ରିଅଲିଟି ଓଡ଼ିଶାରେ ୫ ହଜାର କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି। ମେଟାଲ୍ସ, ମେଟାଲର୍ଜି ଓ ହସ୍ପିଲାଟି କ୍ଷେତ୍ରରେ ନିବେଶ କରିବ ଶୋଭା ରିଅଲିଟି। ସେହିପରି ଲୁଲୁ ଗ୍ରୁପ ହୋଟେଲ ଶିଳ୍ପରେ ୫ ଶହ କୋଟି ନିବେଶ ପାଇଁ ଯୋଜନା କରିଛି।
ରାଜ୍ୟରେ ପର୍ଯ୍ୟଟନରେ ପର୍ଯ୍ୟାପ୍ତ ସୁବିଧା ଥିବାରୁ ଲୁଲୁ ଗ୍ରୁପ ଆଗ୍ରହ ପ୍ରକାଶ କରିଛି। ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ଶିଳ୍ପଦ୍ୟୋଗୀଙ୍କୁ ଓଡ଼ିଶାରେ ନିବେଶ ପାଇଁ ସୁଯୋଗ ଓ ସୁବିଧା କଥା ବୁଝାଇଥିଲେ ନବୀନ ଆଣ୍ଡ ଟିମ୍। ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ରିଫାଇନ୍ରୀ, ପେଟ୍ରୋକେମିକାଲ୍ସ, କୃଷି, ଟେକ୍ସଟାଇଲ୍ସ ଓ ଆଇଟି କ୍ଷେତ୍ରରେ ନିବେଶ ପାଇଁ ରାଜ୍ୟରେ ଭିତ୍ତିଭୂମୀ ଭଲ।
ନିବେଶକଙ୍କୁ ଆକୃଷ୍ଟ କରିବାକୁ ଶିଳ୍ପ ନୀତିରେ ପରିବର୍ତ୍ତନ କରୁଛନ୍ତି ସରକାର। ନିବେଶକଙ୍କ ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା ସାଙ୍ଗକୁ ରାଜ୍ୟରେ ଭରପୂର କଞ୍ଚାମାଲ। ତେଣୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପଦ୍ୟୋଗୀ ଆଗେଇ ଆସିବା ଦରକାର ବୋଲି କୁହାଯାଇଛି। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସହଯୋଗ ଆସୁଛି ଫିକି। ଆଗକୁ ମଧ୍ୟ ରାଜ୍ୟ ସରକାରଙ୍କ ସହଯୋଗରେ ସବୁ ଉଦ୍ୟମ କରାଯିବ ବୋଲି କୁହାଯାଇଛି।
ସେପଟେ ଦୁବାଇରେ ମଲ୍ଟି କମୋଡିଟି ସେଣ୍ଟର ବୁଲି ଦେଖିଥିଲେ ଓଡ଼ିଶା ପ୍ରଶାସନିକ ଟିମ୍। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ନେତୃତ୍ବରେ ଫ୍ରି ଟ୍ରେଡ୍ ଜୋନ କନ୍ସେପଟ୍ ବିଷୟରେ ବୁଝିଥିଲେ ଅଧିକାରୀ। ଶିଳ୍ପ, ଅର୍ଥନୀତି ଓ ପ୍ରାଥମିକ ସେବା ବିଷୟରେ ପଚାରି ବୁଝିଥିଲେ। ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଦକ୍ଷତାର ଆଦାନ ପ୍ରଦାନ ଓ ଟ୍ରେନିଂ ନେଇ ଆଲୋଚନା ହୋଇଛି। ଏହାପରେ SAIF ଅଧିକାରୀଙ୍କ ସହ ଆଲୋଚନା ବେଳେ କଷ୍ଟମ ଫ୍ରି ଜୋନ୍, ବିଶ୍ବସ୍ତରୀୟ ୱେୟାର ହାଉସିଂ ସୁବିଧା ପାଇଁ ଭଳି ପ୍ରସଙ୍ଗ ସ୍ଥାନ ପାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।