ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଅଜଣା ଗାଡ଼ି ଧକ୍କାରେ ମୃତାହତଙ୍କ ପାଇଁ ଅଛି ୨ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି; ଜାଣନ୍ତୁ ଆହତଙ୍କ ପାଇଁ କେତେ?

ଅଜଣା ଗାଡ଼ି ଧକ୍କାରେ ମୃତାହତଙ୍କ ପାଇଁ ଅଛି ୨ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି; ଜାଣନ୍ତୁ ଆହତଙ୍କ ପାଇଁ କେତେ?

ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ବରଣ କରୁଥିବା ମୃତକଙ୍କ ପରିବାରବର୍ଗଙ୍କୁ ଏବେ ଦୁଇ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ବ୍ୟବସ୍ଥା ହୋଇଛି ।

ଅଜଣା ଗାଡ଼ି ଧକ୍କାରେ ମୃତାହତଙ୍କ ପାଇଁ ଅଛି ୨ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି; ଜାଣନ୍ତୁ ଆହତଙ୍କ ପାଇଁ କେତେ?
ଅଜଣା ଗାଡ଼ି ଧକ୍କାରେ ମୃତାହତଙ୍କ ପାଇଁ ଅଛି ୨ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି
  • News18 Odia
  • Last Updated: September 28, 2021, 10:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆପଣ ଜାଣନ୍ତି କି ଅଜଣା ଗାଡ଼ି ଧକ୍କାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ମିଳୁଛି । ଏହା ସହିତ ଅଜଣା ଗାଡ଼ି ଧକ୍କାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣର ମଧ୍ୟ ବ୍ୟବସ୍ଥା ରହିଛି । ସରକାରୀ ଭାବେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏଭଳି ବ୍ୟବସ୍ଥା ରହିଥିବା ବେଳେ ଏ ବିଷୟରେ କିନ୍ତୁ ଖୁଵ କମ୍ ଲୋକ ଅବଗତ ଅଛନ୍ତି ଓ ଏହାର୍ କାରଣ ହେଲା ପ୍ରଚାର-ପ୍ରସାରର ଅଭାବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ଏହି ବ୍ୟବସ୍ଥା ବାବଦରେ ଅଧିକରୁ ଅଧିକ ଲୋକେ ଜାଣିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ସୂଚନା ଅନୁସାରେ ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା । ସରକାରୀ ତଥ୍ୟ କହୁଛି ଯେ ବର୍ଷକୁ ପ୍ରାୟ ୫,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଛନ୍ତି । ୨୦୧୬ ରୁ ୨୦୧୮ ମସିହା ପର୍ଯ୍ୟନ୍ତ କ୍ରମାଗତ ଭାବେ ଏହି ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯେତିକି ସଡ଼କ ଦୁର୍ଘଟଣା ଘଟୁଛି ସେ ଭିତରୁ ପ୍ରାୟ ୩୨ ପ୍ରତିଶତ ଲୋକ ଅଜଣା ଗାଡ଼ି ଧକ୍କାର ଶିକାର ହେଉଛନ୍ତି । ଅର୍ଥାତ୍ ଦୁର୍ଘଟଣା ଘଟାଇ ତୁରନ୍ତ ଘଟଣାସ୍ଥଳରୁ ପ୍ରାୟ ୩୨ ପ୍ରତିଶତ ଗାଡ଼ି ଚାଳକମାନେ ଫେରାର ହେଉଛନ୍ତି, ଯାହାକି ଚିନ୍ତାଜନକ ବିଷୟ।

ଓଡ଼ିଶା ରୋଡ଼ସେଫଟି ସୋସାଇଟିର ସଦସ୍ୟ ତଥା ଶଂଖଧ୍ବନି ସଡ଼କ ସୁରକ୍ଷା ସମିତିର ଅଧ୍ୟକ୍ଷ ପ୍ରକାଶ ମହାପାତ୍ରଙ୍କ ମତରେ, "ମହତ ଉଦ୍ଦେଶ୍ୟ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରାୟ ଚାରି ବର୍ଷ ତଳେ ଅଜଣା ଗାଡ଼ି ଧକ୍କାରେ ମୃତ କିମ୍ବା ଆହତ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ରାଶି ବ୍ୟବସ୍ଥା କରାଯାଇଥିଲା । ସେ ସମୟରେ ସହାୟତା ରାଶି ୧ ଲକ୍ଷ ଟଙ୍କା ଭିତରେ ସୀମିତ ଥିବା ବେଳେ ବର୍ତମାନ ଏହାକୁ ଦ୍ୱିଗୁଣିତ କରାଯାଇଛି । ହେଲେ ଏଭଳି ଏକ ସରକାରୀ ବ୍ୟବସ୍ଥା ବାବଦରେ ଖୁଵ୍ କମ ଲୋକ ଅବଗତ ଅଛନ୍ତି। ସେହି କାରଣରୁ ଅଜଣା ଗାଡ଼ି ଦୁର୍ଘଟଣାର ଶିକାର ହେଉଥିବା ଅନେକ ପରିବାର ଉଜୁଡି ଯାଉଛି। ସେଥିପାଇଁ ଏହି ବ୍ୟବସ୍ଥାର ପ୍ରଚାର ପ୍ରସାରକୁ ବର୍ତ୍ତମାନ ଗୁରୁତ୍ୱ ଦିଆଯାଇଛି।"

ଅଜଣା ଗାଡ଼ି ଧକ୍କାରେ ମୃତାହତଙ୍କ ପାଇଁ ଅଛି ୨ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି


ଓଡ଼ିଶା ରୋଡ଼ ଭିକ୍ଟମ ସୋସାଇଟିର ସଦସ୍ୟ ବଂଶୀଧର ବାରିକ କହିଛନ୍ତି, "ପରିବହନ ବିଭାଗର ସୂଚନାରେ କୁହାଯାଇଛି ଯେ ଅଜଣାଗାଡ଼ି ଧକ୍କାରେ ମୃତ୍ୟୁ ବରଣ କରିଥିବା ମୃତକଙ୍କ ପରିବାରବର୍ଗଙ୍କୁ ଏବେ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ବ୍ୟବସ୍ଥା ଥିବା ବେଳେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ଏଥି ପାଇଁ ଦୁର୍ଘଟଣା ଘଟିବାର ଛଅ ମାସ ଭିତରେ ନିକଟସ୍ଥ ଥାନା କିମ୍ବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆବେଦନ କରିବାକୁ ପଡ଼ିବ । ଏ ବାବଦରେ ଆବେଦନ ପାଇଁ ନିର୍ଦ୍ଧିଷ୍ଟ ଫର୍ମ ସମସ୍ତ ଥାନା ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଉପଲବ୍ଧ । ସେହିପରି ଏ ବାବଦରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ପୋଲିସ ଅଧିକାରୀଙ୍କ ସହ ମଧ୍ୟ ଆବେଦନକାରୀ ଆଲୋଚନା କରିପାରିବେ । ଏଥି ପାଇଁ ଟୋଲ ଫ୍ରି ନମ୍ବର ୧୮୦୦୩୪୫୧୦୭୩କୁ ଡ଼ାଏଲ କରି କିମ୍ବା ୦୬୭୪ ୨୭୨୫୯୦୦ ନମ୍ବରକୁ ଡ଼ାଏଲ କରି ବିସ୍ତୃତ ତଥ୍ୟ ଜାଣି ପାରିବେ। ଏହା ଦ୍ୱାରା ସରକାରୀ ବ୍ୟବସ୍ଥା ବହୁସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚି ପାରିବ।"

ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ସହିତ ଗାଡ଼ି ମୋଟର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସରକାରୀ କଟକଣା ସତ୍ତ୍ହେ ବେପରୁଆ ଗାଡ଼ି ଚାଳନା ଓ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଛି,ଯାହା ସମସ୍ତଙ୍କ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି । ତେବେ ଦୁର୍ଘଟଣା କମ୍ କରିବା ପାଇଁ ଉଦ୍ୟମ ସହିତ ଏଭଳି ଲୋକାଭିମୁଖୀ ଯୋଜନା ବ୍ୟାପକ ହେବା ଜରୁରୀ ବୋଲି ଅନେକଙ୍କ ମତ ରହିଛି ।
Published by: Lipina Das
First published: September 28, 2021, 5:12 PM IST