News18 Odia Digital
ଗଞ୍ଜାମ: କଥାରେ ଅଛି ମନୋବଳ ଦୃଢ଼ ଥିଲେ ସବୁ ସମ୍ଭବ। ଜଣେ ଚାଲିବାକୁ ଅସମର୍ଥ, ଆଉ ଜଣେ ଦୃଷ୍ଟିବାଧିତ। ତଥାପି କାହା ପାଖରେ ହାତ ନପାତି ନିଜେ ଫାଷ୍ଟଫୁଡ଼ ଦୋକାନ ଚଳାଉଛନ୍ତି ଦୁଇ ଜଣ ଦିବ୍ୟାଙ୍ଗ ବନ୍ଧୁ।
ଗଞ୍ଜାମ (Ganjam) ନିଳାଦ୍ରିପୁରର ନିବାସୀ ପ୍ରଧାନ ଓ ଟୁନା ପ୍ରଧାନଙ୍କୁ ନେଇ ବର୍ତ୍ତମାନ ବେଶ୍ ଚର୍ଚ୍ଚା। ଉଭୟେ ଦିବ୍ୟାଙ୍ଗ। ପିଲାଦିନର ବନ୍ଧୁ ମଧ୍ୟ (Friendship)। ଜଣେ ଚାଲିବାକୁ ଅସମର୍ଥ, ଆଉ ଜଣେ ଦୃଷ୍ଟିବାଧିତ। ତଥାପି ମଧ୍ୟ ସେମାନେ ହାରିନାହାଁନ୍ତି। ସମାଜରେ ଅନ୍ୟମାନଙ୍କ ଭଳି ସମ୍ମାନର ସହିତ ବଞ୍ଚିବା ପାଇଁ କରି ଚାଲିଛନ୍ତି ସଂଘର୍ଷ।
ଉଭୟେ ନିଜ ପରିବାର ପ୍ରତିପୋଷଣ ପାଇଁ କାହା ଆଗରେ ହାତ ନ ପତାଇ ଉଭୟେ ଏକାଠି ହୋଇ ଜାତୀୟ ରାଜପଥ କଡ଼ରେ ଫାଷ୍ଟଫୁଡ୍ ଦୋକାନ କରିଛନ୍ତି। ସକାଳେ ନିଜ ପରିବାରକୁ ସମୟ ଦେବା ପରେ ଅପରାହ୍ନ ୪ଟା ହେଲେ ଉଭୟେ ଆସିଥାନ୍ତି ଜାତୀୟ ରାଜପଥରକୁ ଦୋକାନ ଖୋଲିବା ପାଇଁ। ଦୋକାନ ଖୋଲୁ ଖୋଲୁ ଗ୍ରାହକଙ୍କ ଭିଡ଼ ବି ଲାଗେ।
ଉଭୟେ ଅଣ୍ଡା ଚପ୍ ଓ ଚିକେନ୍ ପକୋଡ଼ା ବିକ୍ରି କରିଥାନ୍ତି। ବେଳେବେଳ ଭଲ ବ୍ୟବସାୟ ହେଉଛି ତ ଆଉ କେବେ ହେଉନାହିଁ। ଯାହା ଯେତିକି ହେଉଛି ତାକୁ ଦୁଇ ବନ୍ଧୁ ଭାଗବାଣ୍ଟି ନେଉଛନ୍ତି।
ଦୁଇ ଦିବ୍ୟାଙ୍ଗ ବନ୍ଧୁଙ୍କୁ ଏଭଲି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି। ଆଉ ଜଣେ ଦୋକାନୀ ମଧ୍ୟ ତାଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେଇଛନ୍ତି। ଏମାନଙ୍କ ହାତ ତିଆରି ଖାଦ୍ୟ ମଧ୍ୟ ବେଶ୍ ସୁଆଦିଆ। ତେଣୁ ପ୍ରତି ସନ୍ଧ୍ୟାରେ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗେ। ଦୁଇ ଦିବ୍ୟାଙ୍ଗ ବନ୍ଧୁ ଗଞ୍ଜାମ ବ୍ଳକ ପାଇଁ ବର୍ତ୍ତମାନ ଗର୍ବ ପାଲଟିଛନ୍ତି।
ଦିବ୍ୟାଙ୍ଗ ହୋଇ ବି ନିଜ ପରିବାର ପ୍ରତିପୋଷଣ ପାଇଁ ପର ଆଗରେ ହାତ ନପାତି ସମ୍ମାନର ସହ ବଞ୍ଚିବାକୁ ନିବାସୀ ଓ ଟୁନାଙ୍କ ପ୍ରୟାସ ସତରେ ପ୍ରଶସଂନୀୟ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।