ଦିବ୍ୟାଙ୍ଗ ହୋଇ ବି ସକ୍ଷମ ଦୁଇ ବନ୍ଧୁ; ଫାଷ୍ଟଫୁଡ଼ ଦୋକାନ କରି ଅନ୍ୟପାଇଁ ସାଜିଛନ୍ତି ଉଦାହରଣ

କିଛି ବ୍ୟକ୍ତି ସକ୍ଷମ ହୋଇ ବି କର୍ମ କରି ପେଟ ପୋଷିବାକୁ କୁଣ୍ଠାବୋଧ କରିଥାନ୍ତି । ଏଠାରେ କିନ୍ତୁ ଦୁଇ ଦିବ୍ୟାଙ୍ଗ ବନ୍ଧୁ ଏକାଠି ହୋଇ ସେମାନେ ମାନସିକ ଭାବରେ ସକ୍ଷମ ବୋଲି ସମାଜକୁ ଦେଉଛନ୍ତି ନିଆରା ବାର୍ତ୍ତା ।

ଦିବ୍ୟାଙ୍ଗ ହୋଇ ବି ସକ୍ଷମ ଦୁଇ ବନ୍ଧୁ; ଫାଷ୍ଟଫୁଡ଼ ଦୋକାନ କରି ଅନ୍ୟପାଇଁ ସାଜିଛନ୍ତି ଉଦାହରଣ

ଦିବ୍ୟାଙ୍ଗ ହୋଇ ବି ସକ୍ଷମ ଦୁଇ ବନ୍ଧୁ; ଫାଷ୍ଟଫୁଡ଼ ଦୋକାନ କରି ଅନ୍ୟପାଇଁ ସାଜିଛନ୍ତି ଉଦାହରଣ

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; କଥାରେ ଅଛି ମନୋବଳ ଦୃଢ଼ ଥିଲେ ସବୁ କିଛି ସମ୍ଭବ । ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ନିଳାଦ୍ରିପୁର ଗାଁ ନିକଟରେ ରହିଥିବା ଜାତୀୟ ରାଜପଥ କଡ଼ରେ ରହିଛି ଏକ ଫାଷ୍ଟଫୁଡ଼ ଦୋକାନ । ଏହି ଫାଷ୍ଟଫୁଡ଼ ଦୋକାନକୁ ଚଳାଉଛନ୍ତି ଦୁଇ ଜଣ ଦିବ୍ୟାଙ୍ଗ ବନ୍ଧୁ । ଏହି ଦୁଇ ଜଣ ବନ୍ଧୁ ହେଲେ ନିଳାଦ୍ରିପୁରର ନିବାସୀ ପ୍ରଧାନ ଓ ଟୁନା ପ୍ରଧାନ । ଉଭୟ ଦିବ୍ୟାଙ୍ଗ ହୋଇଥିବା ବେଳେ ନିଜ ପରିବାର ପ୍ରତିପୋଷଣ ପାଇଁ ଦୁହେଁ ଏକାଠି ହୋଇ ଫାଷ୍ଟଫୁଡ଼ ଦୋକାନ କରିଛନ୍ତି ।

ଉଭୟେ ଦିବ୍ୟାଙ୍ଗ ଏବଂ ପିଲାଦିନର ବନ୍ଧୁ । ଜଣେ ଚାଲିବାକୁ ଅସମର୍ଥ ଆଉ ଜଣେ ଦୃଷ୍ଟିବାଧିତ । ତଥାପି ମଧ୍ୟ ସେମାନେ ହାରିନାହାନ୍ତି । ସମାଜରେ ଅନ୍ୟ ମାନଙ୍କ ଭଳି ସମ୍ମାନର ସହିତ ବଞ୍ଚିବା ପାଇଁ କରି ଚାଲିଛନ୍ତି ସଂଘର୍ଷ । ଉଭୟେ ନିଜ ପରିବାର ପ୍ରତିପୋଷଣ ପାଇଁ କାହା ଆଗରେ ହାତ ନ ପତାଇ ଏକାଠି ହୋଇ ଏକ ଫାଷ୍ଟଫୁଡ଼ ଦୋକାନ କରିଛନ୍ତି । କିଛି ବର୍ଷ ହେଲା ଦୁହେଁ ନିଳାଦ୍ରିପୁର ଗାଁରେ ଫାଷ୍ଟଫୁଡ଼ ବିକ୍ରି କରୁଥିଲେ । ସେଠାରେ ବ୍ୟବସାୟ ନହେବାରୁ ବର୍ତ୍ତମାନ କିଛି ଦିନ ହେଲା ଜାତୀୟ ରାଜପଥ କଡ଼ରେ ଦୋକାନ କରିଛନ୍ତି । ସକାଳ ସମୟରେ ନିଜର ନିତ୍ୟକର୍ମ ସହ ନିଜ ପାରିବାରିକ କାମ ସାରି ଅପରାହ୍ନ ୪ଟା ସମୟରେ ଉଭୟେ ଆସିଥାନ୍ତି ଜାତୀୟ ରାଜପଥ କଡ଼କୁ ଦୋକାନ ଖୋଲିବା ପାଇଁ । ଦୋକାନ ଖୋଲୁ ଖୋଲୁ ଗ୍ରାହକଙ୍କ ବେଶ୍ ଭିଡ଼ ଲାଗିଥାଏ । ଉଭୟେ ଅଣ୍ଡା ଚପ୍‌ ଓ ଚିକେନ୍‌ ପୋକଡ଼ା ପ୍ରସ୍ତୁତ କରିବା ସହିତ ବିକ୍ରି କରିଥାନ୍ତି ।

‘‘ସମାଜରେ ବଞ୍ଚିବାକୁ ହେଲେ କିଛି ନା କିଛି କାମ କରିବାକୁ ହେବ । ଆଉ ଏଥିପାଇଁ ଦୁଇ ବନ୍ଧୁ ମିଶି ବ୍ୟବସାୟ କରିବା ନିମନ୍ତେ ଭାବିଥିଲୁ । କିଛି ବର୍ଷ ହେଲା ଏଭଳି ଦୋକାନ ଚଳାଇଛୁ । କେବେ ଭଲ ବ୍ୟବସାୟ ହେଉଛି ତ ଆଉ କେବେ ହେଉନାହିଁ । ଯାହା ହେଉଛି ଦୁଇ ବନ୍ଧୁ ଭାଗବାଣ୍ଟି ନେଉଥିବା କହିଛନ୍ତି,‘‘ ଦିବ୍ୟାଙ୍ଗ ନିବାସୀ ପ୍ରଧାନ । ‘‘ଘରର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଶରୀରର ଏଭଳି ସ୍ଥିତିରେ ମଧ୍ୟ କାମ କରିବା ନିମନ୍ତେ ଘରୁ ପଦାକୁ ବାହାରିଛୁ । ଦୋକାନରୁ ଯାହା ମିଳେ ସେଥିରେ ଘର ଚଳୁଛି । ସରକାର କେବଳ ଦିବ୍ୟାଙ୍ଗ ଭତ୍ତା ହିଁ ଦେଉଛନ୍ତି । ଇନ୍ଦିର ଆବାସ ଖଣ୍ଡିଏ ନାହିଁ । ତେଣୁ ସରକାର ଇନ୍ଦିରା ଆବାସ ସାଙ୍ଗକୁ ଯଦି ଆଉ କିଛି ସହାୟତା କରିଥାନ୍ତେ ତେବେ ଏଭଳି ଦୋକାନକୁ ଆଉ ଟିକିଏ ବଡ଼ କରିବା ସହିତ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରିବଟା କରିଥାନ୍ତୁ ବୋଲି କହିଛନ୍ତି,‘‘ ଦିବ୍ୟାଙ୍ଗ ଟୁନା ପ୍ରଧାନ ।

‘‘ଗତ କିଛି ବର୍ଷ ହେଲା ନିଳାଦ୍ରିପୁରରେ ଉଭୟ ଦିବ୍ୟାଙ୍ଗ ଦୋକାନ ପକାଇ ବ୍ୟବସାୟ କରୁଥିଲେ । କିନ୍ତୁ ଗତ କିଛି ଦିନ ହେଲା ଜାତୀୟ ରାଜପଥ କଡ଼ରେ ଦୋକାନ ପକାଇବା ନିମନ୍ତେ ରାଜପଥ କଡ଼ରେ ରହିଥିବା ଅନ୍ୟ ଦୋକାନମାନଙ୍କୁ ଅନୁମତି ମାଗିଥିଲେ । ଦୁଇ ଦିବ୍ୟାଙ୍ଗ ବନ୍ଧୁଙ୍କୁ ଦୋକାନ ପକାଇବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଦୋକାନ ପକାଇବା ନିମନ୍ତେ ସ୍ଥାନୀୟ ଆଉ ଏକ ଦୋକାନୀ ମଧ୍ୟ ତାଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦେଇଛନ୍ତି । ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଏଭଳି କାମ କରି ପରିବାର ପ୍ରତିପୋଷଣ କରିବାର ମାଧ୍ୟମକୁ ପ୍ରଶଂସା କରିଛନ୍ତି,‘‘ ସ୍ଥାନୀୟ ଦୋକାନୀ ପ୍ରଶାନ୍ତ ।

‘‘ଏହି ଦୁଇ ଜଣ ବନ୍ଧୁଙ୍କ ପ୍ରସ୍ତୁତ ହେଉଥିବା ଖାଦ୍ୟ ମଧ୍ୟ ସ୍ୱାଦିଷ୍ଟ । ତେଣୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗିଥାଏ । ତେଲ, ମସଲା ଅଧିକ ହୋଇନଥିବା ବେଳେ ଅନ୍ୟ କୌଣସି ସାମଗ୍ରୀକୁ ଖାଦ୍ୟରେ ମିଶାଇନଥାନ୍ତି । ଯାହାଫଳରେ ଅଣ୍ଡା ଚପ ଓ ଚିକେନ୍‌ ପୋକଡ଼ା ଖାଇବାକୁ ଆଖପାଖ ଅଞ୍ଚଳରୁ ଲୋକେ ଆସିଥାନ୍ତି । ଏହି ଦୁଇ ଦିବ୍ୟାଙ୍ଗ ବନ୍ଧୁ ଗଞ୍ଜାମ ବ୍ଳକ ପାଇଁ ଗର୍ବ । କାରଣ ବର୍ତ୍ତମାନ ମଧ୍ୟ ଅନେକ ଯୁବକ ଅଛନ୍ତି ଯେଉଁମାନେ ସବୁକ୍ଷେତ୍ରରେ ସକ୍ଷମ କିନ୍ତୁ ପରିବାର ପ୍ରତିପୋଷଣ ପାଇଁ କୌଣସି କାମ ନ କରି ବୁଲିଥାନ୍ତି । ତେଣୁ ଏଭଳି ଦୁଇ ବନ୍ଧୁଙ୍କୁ ସମସ୍ତେ ସାହାଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି,‘‘ ସ୍ଥାନୀୟ ବାସିନ୍ଦା ଦିଲ୍ଲୀପ ଛୋଟରାୟ ।

ନିବାସୀ ପ୍ରଧାନ ବିବାହିତ ହୋଇଥିବା ବେଳେ ତାଙ୍କର ଏକ ଝିଅ ରହିଛି । କିନ୍ତୁ ଟୁନା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି । ନିଜ ପରିବାର ପ୍ରତିପୋଷଣ ପାଇଁ ଉଭୟେ ଏଭଳି ଦୋକାନ କରିଥିବା ବେଳେ ସରକାର ତାଙ୍କର ଏଭଳି କାର୍ଯ୍ୟ ପ୍ରତି ଦୃଷ୍ଟି ଦେଇ ସରକାରୀ ସହାୟତା ଦେବା ଏବେ ଜରୁରୀ ହୋଇପଡ଼ିଛି ।
Published by:Soubhagya Mishra
First published: