ଭୁବନର ନିଆରା ପରମ୍ପରା ବଳଦଯାତ୍ରା; ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ମହା ଆଡମ୍ବରରେ ପାଳିତ ହୋଇଛି ଭୁବନର ପ୍ରସିଦ୍ଧ ବଳଦ ଯାତ୍ରା । ଦୁଇଦିନ ଧରି ପାଳିତ ହୋଇଥିବା ଏହି ଯାତ୍ରାରେ ବିଭିନ୍ନ ସମ୍ପ୍ରଦାୟର ୩୨ଟି ବଳଦ ସାମିଲ ହୋଇଥିଲେ।

ଭୁବନର ନିଆରା ପରମ୍ପରା ବଳଦଯାତ୍ରା; ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନର ନିଆରା ପରମ୍ପରା ବଳଦଯାତ୍ରା; ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

  • News18 Odia
  • Last Updated :
  • Dhenkanal, India
  • Share this:
News 18 Odia Digital

ପୁରୀ; ପଶୁ ମଣିଷ ଭିତରେ ରହିଥିବା ନିବିଡ ସମ୍ପର୍କକୁ ଦର୍ଶାଉଥିବା ଭୁବନର ପ୍ରସିଦ୍ଧ ବଳଦଯାତ୍ରା ଚଳିତ ବର୍ଷ ଅତି ଆଡମ୍ବର ଭାବରେ ଶେଷ ହୋଇଛି । ଦୀର୍ଘ ୧୫୦ ବର୍ଷ ତଳେ ଭୁବନରେ ବସବାସ କରୁଥିବା ଥୋରିଆ ସମ୍ପ୍ରଦାୟର ଲୋକ ପ୍ରଥମେ ଏହି ଯାତ୍ରାକୁ ଆରମ୍ଭ କରିଥିଲେ ବୋଲି ସୂଚନା ରହିଛି । ପୂର୍ବରୁ ଯେତେବେଳେ ଯାନବାହାନ ଚଳପ୍ରଚଳ ନଥିଲା ସେତେବେଳେ ଏହି ସମ୍ପ୍ରଦାୟର ଲୋକମାନେ ବଳଦ ସାହାଯ୍ୟରେ ଲାଖ, ଝୁଣା, ଲୁଣ, ମୁଗ , ବିରି, କଂସା ପିତ୍ତଳ ବାସନ ଆଦି ନେଇ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ଯାଇ ବେପାର ବଣିଜ କରୁଥିଲେ ।



ବିଜୟାଦଶମୀ ତିଥିରେ ବଳଦଙ୍କୁ ପୂଜା କରାଯାଏ ।  ବେପାର ପାଇଁ ବଳଦଙ୍କ ସାହାର୍ଯ୍ୟ ନିଆଯାଉଥିବାରୁ ଏହି ଦିନଟିକୁ ବଳଦଯାତ୍ରା ଭାବରେ ପାଳନ କରାଯାଏ । କାଳକ୍ରମେ ଭୁବନରେ ଦୁର୍ଗାପୂଜା କରାଯାଇ ମାଆଙ୍କୁ ମେଢକୁ ଏଥିରେ ସାମିଲ କରାଗଲା । ଅନୁକୁଳ ପର୍ବ ପରଦିନ ଭଷାଣ ଯାତ୍ରା ଭାବରେ ଏହାକୁ ନାମିତ କରାଯାଇ ଦୁଇଦିନ ବ୍ୟାପି ବଳଦଯାତ୍ରା  ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ଘଣ୍ଟ ଘଣ୍ଟା ବାଦ୍ୟ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଭୁବନର ଗଗନ ପବନ ।



ଥୋରିଆ ସମ୍ପ୍ରଦାୟର ଲୋକମାନେ ଏହି ପର୍ବ ପାଳି ଆସୁଥିବା ବେଳେ ପରେ ବଣିକ, କାଚରା , କଂସାରୀ, କାକୁଡିଆ ଓ ତୈଳକ ସମାଜର ଲୋକମାନେ ଏଥିରେ ସାମିଲ ହୋଇଥିଲେ । ଚଳିତ ବର୍ଷ ବଳଦ ଯାତ୍ରାକୁ ସଫଳ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଶାନ୍ତି କମିଟିର ବହୁ ପୂର୍ବରୁ ଆଲୋଚନା କରାଯାଇଥିଲା । ଦୁଇବର୍ଷ ଧରି କୋରୋନା କଟକଣା ପାଇଁ ଫିକା ପଡିଥିଲା ଏହି ବଳଦଯାତ୍ରା । କେବଳ ବିଦ୍ଧିରକ୍ଷା ପାଇଁ ଥୋରିଆ ଓ ବଣିଆ ସମ୍ପ୍ରଦାୟର ଦୁଇଟି ବଳଥଙ୍କୁ ସୁସଜ୍ଜିତ କରାଯାଇ ଏହି ଯାତ୍ରା ସମାପନ ହୋଇଥିଲା । ଚଳିତ ବର୍ଷ କଟକଣା ହଟିଥିବାରୁ ପୁଣି ଥରେ ଆଡମ୍ବର ସହିତ ସବୁ ସମ୍ପ୍ରଦାୟର ମୋଟ ୩୨ ବଳଦଙ୍କୁ ନେଇ ଏହି ଯାତ୍ରା କରାଯାଇଥିଲା ।

ଅନୁକୁଳ ଯାତ୍ରା ଦିନ ବଳଦ ମାନଙ୍କ ମୁହଁରେ ତୁଣ୍ଡି ମୁହଂକାର, ଶିଙ୍ଗରେ ଶିଙ୍ଗୁଆତି, ପିଠିରେ ପହ୍ଲାଣ ପଟାଦାର ପଛୁଆତି ଓ ବେକରେ ମାଆ ମଙ୍ଗଳାଙ୍କ ଘଣ୍ଟ ଓ ସାରମାଳ ଆଦି ଲଗାଯାଇ ବଳଦମାନଙ୍କୁ ସଜା ଯାଇଥାଏ । ପରେ ସମସ୍ତ ବଳଦ ନିକଟସ୍ଥ ଜଗନ୍ନାଥ ମନ୍ଦିରରେ ପହଞ୍ଚି ବନ୍ଦାପନା ସାରି ଭୁବନ ପରିକ୍ରମା କରିଥାନ୍ତି ।

"ଦୁଇବର୍ଷ ପରେ ପୁଣି ବଳଦଯାତ୍ରାରେ ପୂର୍ବପରି ଅନୁଷ୍ଠିତ ହୋଇଥିବାରୁ ସମସ୍ତ ପୂଜା କର୍ମକର୍ତ୍ତା ଓ ଭୁବନ ବାସୀ ଖୁସିରେ ଏହି ପର୍ବକୁ ପାଳନ କରିଛନ୍ତି । ପଶୁ ମଣିଷ ଭିତରେ ରହିଥିବା ସୁସମ୍ପର୍କକୁ ବଜାୟ ରଖିବା ସହିତ ପରମ୍ପରା ଓ ଐତିହ୍ୟକୁ ବଜାୟ ରଖି ପାରିଛି ଏହି ବଳଦଯାତ୍ରା । ଭାଇଚାରା ମନୋଭାବରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ  ଏହି ପର୍ବକୁ ପାଳନ କରି ଆସୁଛନ୍ତି ବୋଲି କହିଛନ୍ତି ବଳଦଯାତ୍ରା ଗବେଷକ ତଥା ପଣ୍ଡିତ ମାତୃ ପ୍ରସାଦ ମିଶ୍ର।"

"ଦୀର୍ଘ ଏକମାସ ପୂର୍ବରୁ ଏହି ବଳଦ ମାନଙ୍କୁ ନେଇ ଅଭ୍ୟାସ କରାଯାଇଥାଏ । ଏସିଆ ମହାଦେଶର ସବୁଠାରୁ ବଡ ଗାଁ ଭୁବନର ଏହି ବଳଦଯାତ୍ରା ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ଏଥିପାଇଁ ଭୁବବାସୀ ନିଜକୁ ଗର୍ବିତ ମନେ କରିଥାନ୍ତି ବୋଲି କହିଛନ୍ତି ଭୁବନ ବାସିନ୍ଦା ପ୍ରେମାନନ୍ଦ ପାଣିଗ୍ରାହୀ।"

ରିପୋର୍ଟ; ଆଶିଷ ଶତପଥି, ଢେଙ୍କାନାଳ
Published by:Soubhagya Mishra
First published: