News 18 Odia Digital
ନବରଙ୍ଗପୁର; ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ଜୀବନ ଆଦର୍ଶ ଅନେକ ସମାଜକୁ ପ୍ରେରିତ କରୁଛି ବୋଲି ରବିବାର ନବରଙ୍ଗପୁର ଜିଲ୍ଲାର ମହିମା ସମାଜର ସାଧୁ ସନ୍ଥ ମାନଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ମହିମା ଧର୍ମାବଲମ୍ବୀର ପୂଜ୍ୟ ସାଧୁସନ୍ଥ ମାନଙ୍କ ଆଶୀର୍ବାଦ ନେଇ କହିଛନ୍ତି କି ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ମହିମା ଗୋସାଇଁଙ୍କ ଜୀବନାଦର୍ଶ କେବଳ ମହିମାବଲମ୍ବୀଙ୍କ ଭିତରେ ସୀମିତ ନୁହେଁ, ଏହା ଏକ ସାର୍ବଜନୀନ ଆଦର୍ଶ ।

ମହିମା ଗୋସାଇଁଙ୍କ ବିଚାର ଗରିବ କଲ୍ୟାଣ, ବିଶ୍ୱ କଲ୍ୟାଣକୁ ଦର୍ଶାଉଛି । ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣା । ତ୍ୟାଗ, ବଳିଦାନ, ସମାଜ କଲ୍ୟାଣର ଅନ୍ୟ ନାମ ହେଉଛି ମହିମା ପରମ୍ପରା । ଏହି ସମାଜ କଲ୍ୟାଣ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସୁଶାସନର ନୀତି ହୋଇଛି । ମହିମା ପରମ୍ପରା ଉପରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗବେଷଣା ହେଉଛି । ମହିମା ସମାଜର ଦୂଃମୂଲ୍ୟ ବିଚାରକୁ ଏକବିଂଶ ଶତାବ୍ଦୀରେ ଅଧିକ ପ୍ରଚାର ପ୍ରସାର କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଏହା ଦ୍ୱାରା ମହିମା ଗୋସାଇଁଙ୍କ ସ୍ୱପ୍ନ ଓ ଭୀମ ଭୋଇଙ୍କ କଳ୍ପନା ସାକାର ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଦୂର କରିବାରେ ମହିମା ଧର୍ମର ପୂଜ୍ୟ ସାଧୁ ସନ୍ଥମାନଙ୍କ ଅବଦାନ ଅତୁଳନୀୟ । ତାଙ୍କର ତ୍ୟାଗ ଓ ବଳିଦାନ କାରଣରୁ ଏହି ସମାଜ ପରିବର୍ତ୍ତନ ହୋଇଛି । ଜଣେ ନିରକ୍ଷର ଜନଜାତି ହୋଇ ସୁଦ୍ଧା ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତି “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ" ବିଶ୍ୱ ମାନବ ସମାଜକୁ ନୂଆ ମାର୍ଗଦର୍ଶନ ଦେଉଛି ବୋଲି ସେ କହିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।