• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଭାରତରେ ରହୁଥିବା ପ୍ରତି ବ୍ୟକ୍ତିକୁ ‘ବନ୍ଦେ ମା’ତରମ’ କହିବାକୁ ପଡ଼ିବ: ସମ୍ବଲପୁରରେ ମନ୍ତ୍ରୀ ଗିରିରାଜ ସିଂ

ଭାରତରେ ରହୁଥିବା ପ୍ରତି ବ୍ୟକ୍ତିକୁ ‘ବନ୍ଦେ ମା’ତରମ’ କହିବାକୁ ପଡ଼ିବ: ସମ୍ବଲପୁରରେ ମନ୍ତ୍ରୀ ଗିରିରାଜ ସିଂ

‘‘ମୁଁ କଂଗ୍ରେସ ଓ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ୍କୁ ପଚ଼ାରିବାକୁ ଚ଼ାହୁଁଛି ଯେ ସେମାନେ କ’ଣ ଚ଼ାହାଁନ୍ତି ଯେ ବାଂଲାଦେଶୀ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଓ ପାକିସ୍ତାନୀ ଘୁସ୍‌ପୈଠୀମାନଙ୍କୁ ଭାରତର ନାଗରିକତା ଦିଆଯିବା ଉଚ଼ିତ? ଆଉ ପାକିସ୍ତାନରୁ ଆସିବାକୁ ଚ଼ାହୁଁଥିବା ହିନ୍ଦୁ ଓ ଶିଖ୍ ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ଦିଆ ନ ଯିବା ଉଚ଼ିତ?’’ ସମ୍ବଲପୁରରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ।

ବିଜେପି ନେତାମାନଙ୍କ ସହ ’ ସମଲେଶ୍ୱରୀ ମନ୍ଦିରରେ ଗିରିରାଜ ସିଂ

ବିଜେପି ନେତାମାନଙ୍କ ସହ ’ ସମଲେଶ୍ୱରୀ ମନ୍ଦିରରେ ଗିରିରାଜ ସିଂ

  • Share this:
News18 Odia Digital

ସମ୍ବଲପୁର: ନାଗରିକତା ସଂଶୋଧନ ଆଇନ୍‌ (CAA) ସପକ୍ଷରେ ଜନ ସଚେତନତା ଜାଗ୍ରତ କରିବା ପାଇଁ ବିଜେପି ଦ୍ୱାରା ସମ୍ବଲପୁରରେ ଆୟୋଜିତ ଏକ ବିଶାଳ ରାଲିରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ ଭାରତରେ ରହୁଥିବା ପ୍ରତି ବ୍ୟକ୍ତିକୁ ‘ବନ୍ଦେ ମା’ତରମ’ ଓ ‘ଭାରତ ମାତା କୀ ଜୟ’ କହିବାକୁ ପଡ଼ିବ ।

ସିଏଏ ସପକ୍ଷରେ ଜନମତ ଏକଜୁଟ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ରାଲିରେ ନିଜ ସମ୍ବୋଧନରେ କେନ୍ଦ୍ର ପଶୁ ପାଳନ, ଗୋଧନ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଗିରିରାଜ ସିଂ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଉପରେ ବର୍ଷିଛନ୍ତି । କଂଗ୍ରେସ ଓ ତା’ର ସହଯୋଗୀ ଦଳମାନେ ସିଏଏକୁ ବିରୋଧ କରି ଦେଶର ସବୁ ନାଗରିକଙ୍କ ସହିତ ଧୋକା କରୁଛନ୍ତି ବୋଲି କହିଛନ୍ତି ସେ ।

‘‘ମୁଁ କଂଗ୍ରେସ ଓ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗ୍‌କୁ ପଚ଼ାରିବାକୁ ଚ଼ାହୁଁଛି ଯେ ସେମାନେ କ’ଣ ଚ଼ାହାଁନ୍ତି ଯେ ବାଂଲାଦେଶୀ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ଓ ପାକିସ୍ତାନୀ ଘୁସ୍‌ପୈଠୀମାନଙ୍କୁ ଭାରତର ନାଗରିକତା ଦିଆଯିବା ଉଚ଼ିତ? ଆଉ ପାକିସ୍ତାନରୁ ଆସିବାକୁ ଚ଼ାହୁଁଥିବା ହିନ୍ଦୁ ଓ ଶିଖ୍‌ ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ଦିଆ ନ ଯିବା ଉଚ଼ିତ? ଯଦି ସେମାନଙ୍କର ସାହସ ଅଛି, ତାହେଲେ ସେମାନେ ଏ ପ୍ରଶ୍ନର ଉତ୍ତର ହଁ ବା ନାଁରେ ଦେବା ଉଚ଼ିତ,’’ କହିଛନ୍ତି ବିହାରରରୁ ସାଂସଦ ହୋଇଥିବା ମନ୍ତ୍ରୀ ଗିରିରାଜ ସିଂ ।

ସମ୍ବଲପୁରରେ ସିଏଏ ରାଲି ସମୟରେ ଏକ ଶୋଭାଯାତ୍ରାର ଦୃଶ୍ୟ


ସିଂ କହିଥିଲେ ଯେ ଜେଏନ୍‌ୟୁ (JNU)କୁ କିଛି ନେତା ଯାଇ ଛାତ୍ରଛାତ୍ରୀମାନଙ୍କୁ ଉସ୍‌କାଉଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକନ୍‌ଙ୍କୁ ନେଇ କହିଛନ୍ତି: ‘‘ସେ (ଦୀପିକା) ଦେଶ ହିତରେ JNUକୁ ଯାଇ ନ ଥିଲେ । ସେ ଦେଶକୁ ବିଭାଜନ କରିବା ପାଇଁ ସଠିକି ଯାଇଥିଲେ ।’’

ମୁସ୍‌ଲିମ୍‌ମାନଙ୍କ ଉଦ୍ଦେଶ୍ୟରେ ସିଂ କହିଛନ୍ତି ଯେ ଭାରତୀୟ ମୁସ୍‌ଲିମ୍‌ମାନେ ସିଏଏକୁ ଭୟ କରିବାର କୌଣସି କାରଣ ନାହିଁ । ଆଜି (ଜାନୁଆରୀ ୧୧) ଠାରୁ ସାରା ଦେଶରେ ଲାଗୁ ହୋଇଥିବା ଏହି ଆଇନ୍‌ କୌଣସି ଭାରତୀୟ ମୁସ୍‌ଲିମ୍‌ ଠାରୁ ନାଗରିକତା ଛଡ଼େଇ ନେବ ନାହିଁ ବୋଲି ଜୋର୍‌ ଦେଇ କହିଛନ୍ତି ସିଂ ।

‘‘ମୁଁ ସବୁ ଭାରତବଂଶୀଙ୍କୁ ଶତ ଶତ ନମନ କରୁଛି । ଏବେ ମୁଁ ସେହି ସ୍ଲୋଗାନ୍‌ ଦେବି ’ଭାରତବଂଶୀ ତେରା ମେରା ରିସ୍ତା କ୍ୟା…’ ଆଉ ଆପଣମାନେ କହିବେ ‘ଜୟ ଶ୍ରୀରାମ, ଜୟ ଶ୍ରୀରାମ’…’’ ନିଜ ସମ୍ବୋଧନର ଆରମ୍ଭରେ କହିଥିଲେ ସିଂ । ସେ ମଞ୍ଚରୁ ସେହି ସ୍ଲୋଗାନ ଦେବାରୁ ରାଲିରେ ସମବେତ ଜନତା ଉଚ୍ଚ କଣ୍ଠରେ ‘ଜୟ ଶ୍ରୀରାମ, ଜୟ ଶ୍ରୀରାମ’ ବୋଲି କହିଥିଲେ ।

ଓଡିଶାରେ ରାଜ୍ୟ ସରକାର CAA କୁ ସମର୍ଥନ କରୁଥିବା ବେଳେ ସମ୍ବଲପୁରରେ ଏଭଳି ଏକ ରାଲି ଓ ସାଧାରଣ ସଭାର ଆବଶ୍ୟକତା କ’ଣ ବୋଲି ପ୍ରଶ୍ନର ଉତ୍ତରରେ ଗିରିରାଜ ସିଂ CAA ବିଷୟରେ ଓଡିଶା ସରକାରଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । ସାରା ଭାରତକୁ ସଚେତନ କରିବା ପାଇଁ ଏହି ସବୁ ସଭାର ଆୟୋଜନ କରାଯାଉଛି ବୋଲି ସେ କହିଛନ୍ତି ।

ମା’ ସମଲେଶ୍ୱରୀ ମନ୍ଦିର ଦର୍ଶନ କରିବା ପରେ ଗିରିରାଜ ସିଂ କହିଥିଲେ: ‘‘ଭାରତର ଆତ୍ମା ଧର୍ମରେ ଅଛି । ଏ ମା’ଙ୍କ ମନ୍ଦିର ଓଡ଼ିଶାର ଓ ସାରା ବିଶ୍ୱର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ।’’

ବାଲିବନ୍ଧା, ଭୁତାପଡା, ବୁଢ଼ାରଜା ଓ ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରୁ ଆଜି ସକାଳ ଠାରୁ CAA ସଚ଼େତନତା ଶୋଭାଯାତ୍ରା ସବୁ ବାହାରି ଗଙ୍ଗାଧର ମଣ୍ଡପରେ ପହଞ୍ଚିଥିଲା ଓ ସେଠାରେ ଏକ ବିରାଟ ସାଧାରଣ ସଭାରେ ପରିଣତ ହୋଇଥିଲା । ସମ୍ବଲପୁରର ବିଜେପିର ପ୍ରମୁଖ ନେତୃବୃନ୍ଦ ମଞ୍ଚରେ CAA ସପକ୍ଷରେ ନିଜ ନିଜ ମତ ରଖିଥିଲେ ।

ଏହି ଜନ ସଚେତନତା ରାଲିରେ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ, ବରଗଡ ସାଂସଦ ସୁରେଶ ପୂଜାରୀ, ବିଧାୟକ ଜୟନାରାୟନ ମିଶ୍ରଙ୍କ ସହ ଜିଲ୍ଲାର ଅନ୍ୟ ଅନେକ ନେତା ସାମିଲ ହୋଇଥିଲେ ।
Published by:Anand Shankar Thankur Das
First published: