News18 Odia Digital
କୋରାପୁଟ: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁରୀ କରିବା ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର।
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ “ଦେଖୋ ଅପନା ଦେଶ୍”ରେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କୋରାପୁଟ ଜିଲ୍ଲା ସ୍ୱଦେଶ ଦର୍ଶନ ଯୋଜନାରେ ବିକଶିତ ହେବା ପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରଖୁଛି। ସ୍ୱତନ୍ତ୍ର ପ୍ୟାକେଜ ଦିଆଗଲେ କୋରାପୁଟରେ ପର୍ଯ୍ୟଟନର ପୁନରୁଦ୍ଧାର ହେବ। ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବା ସହ ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ମଜଭୁତ୍ ହେବ।
ଗତ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ କୋରାପୁଟ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟନର ବିକାଶ ନେଇ ଆଲୋଚନା କରିଥିଲେ। ଅପାର ସମ୍ଭାବନାର ଅଞ୍ଚଳ କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁରୀ କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କୋଭିଡ୍ ମହାମାରୀ ସମୟରେ ଦେଶବ୍ୟାପୀ ଲକଡାଉନ କାରଣରୁ ପର୍ଯ୍ୟଟନ କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ସ୍ୱଭାବିକ ସ୍ଥିତିରେ ଏହି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି କରାଇବା ଜରୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ “ଦେଖୋ ଅପନା ଦେଶ” ଅନ୍ତର୍ଗତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ଦେଶ ଏବଂ ବିଦେଶରୁ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛି।’’

ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ
କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି। ଜିଲ୍ଲାକୁ ଉତ୍ତମ ରେଳ ସଂଯୋଗ ସହ କୋରାପୁଟ, ରାୟଗଡା ରେଳପଥରେ ଭିଷ୍ଟାଡୋମ କୋଚ୍ ଭଳି ଅତ୍ୟାଧୁନିକ ସୁବିଧା ରହିଛି। କୋରାପୁଟକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ଆରାକୁ ଉପତ୍ୟାକାକୁ ବିକଶିତ କରାଯାଇଥିବା ବେଳେ ଭାଇଜାଗ ଏବଂ ଆଖପାଖ ଅଞ୍ଚଳର ଲକ୍ଷ ଲକ୍ଷ ପର୍ଯ୍ୟଟକମାନେ ସେଠାକୁ ବୁଲିବା ପାଇଁ ଯାଉଛନ୍ତି। ସେହିଭଳି ଭାବେ କୋରାପୁଟରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଭଳି ଜୟପୁରରେ ଐତିହାସିକ ସ୍ଥାନ ସହ ଶ୍ରୀଜଗନ୍ନାଥ ମନ୍ଦିର, ଡୁମଡୁମା ଜଳପ୍ରପାତ, କୋଲାବ ଡ୍ୟାମରେ ବୋଟିଂ, ଦେଓମାଳି ପର୍ବତରେ କ୍ୟାମ୍ପ କରିବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଐତିହାସିକ, ଉତ୍ତମ ପରିବେଶ ଓ ଆଧ୍ୟାତ୍ମିକ ବାତାବରଣ ସହ କୋରାପୁଟ ସ୍ୱଦେଶ ଦର୍ଶନ ଯୋଜନାରେ ବିକଶିତ ହେବା ପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରଖୁଛି।
କିଛି ବର୍ଷ ତଳେ ସାମୁଦ୍ରିକ ବାତ୍ୟା ହୁଡୁହୁଡ ଦ୍ୱାରା କୋରାପୁଟ ଅଞ୍ଚଳ ପ୍ରଭାବିତ ହୋଇଥିଲା। କୋରାପୁଟ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଅନୁମୋଦନ କରାଗଲେ ଅଞ୍ଚଳର ପର୍ଯ୍ୟଟନ ପୁନରୁଦ୍ଧାର ସହ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବ। ଏହାଦ୍ୱାରା ସ୍ଥାନୀୟ ଓ ଦୁର୍ଗମ ଅଞ୍ଚଳରେ ଅର୍ଥନୀତି ମଜଭୁତ୍ ହେବ। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ଲୋକଙ୍କ କଲ୍ୟାଣ ପାଇଁ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧା ବଢ଼ାଇବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁରୀ କରିବା ପାଇଁ ପ୍ରଧାନ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ଉଲ୍ଲେଖନୀୟ ଯେ, ଗତ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କୋରାପୁଟ ଜିଲ୍ଲାକୁ ଟ୍ରେନ୍ ଯୋଗେ ଗସ୍ତ କରିବା ଅବସରରେ ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟନର ବିକାଶ ନେଇ ଆଲୋଚନା କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।