୨୮ରେ ଓଡ଼ିଶା ଆସୁଛନ୍ତି ଅମିତ୍‌ ଶାହ; ତାଙ୍କ ଗସ୍ତକୁ ନେଇ ରାଜନୈତିକ ଚ଼ର୍ଚ୍ଚା ଜୋର୍ ଧରିଛି

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଅମିତ୍‌ ଶାହ ୨୮ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ନାଗରିକତା ସଂଶୋଧନ ଆଇନ (CAA) ପାଇଁ ସମର୍ଥନ ରାଲିରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧିତ କରିବେ । ପର ଦିନ ପୁରୀରେ ଶ୍ରୀ ଜଗନ୍ନାଥ ଓ ଭୁବନେଶ୍ବରରେ ଲିଙ୍ଗରାଜ ମନ୍ଦିର ଦର୍ଶନ କରି ସେ ଦିଲ୍ଲୀ ଫେରିଯିବେ ।

୨୮ରେ ଓଡ଼ିଶା ଆସୁଛନ୍ତି ଅମିତ୍‌ ଶାହ; ତାଙ୍କ ଗସ୍ତକୁ ନେଇ ରାଜନୈତିକ ଚ଼ର୍ଚ୍ଚା ଜୋର୍ ଧରିଛି
ଗୃହ ମନ୍ତ୍ରୀ ଅମିତ ଶାହ
  • News18 Odia
  • Last Updated: February 16, 2020, 7:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟରେ ରାଜନୀତି ଜୋର୍‌ ଧରିଛି । ଚ଼ଳିତ ମାସ ୨୮ ଓ ୨୯ ତାରିଖରେ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ବିଜେପି ଉତ୍ସାହିତ ଥିବା ବେଳେ ଏହାକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଅମିତ୍‌ ଶାହ ୨୮ ତାରିଖରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ନାଗରିକତା ସଂଶୋଧନ ଆଇନ (CAA) ପାଇଁ ସମର୍ଥନ ରାଲିରେ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧିତ କରିବେ । ପର ଦିନ ପୁରୀରେ ଶ୍ରୀ ଜଗନ୍ନାଥ ଓ ଭୁବନେଶ୍ବରରେ ଲିଙ୍ଗରାଜ ମନ୍ଦିର ଦର୍ଶନ କରି ସେ ଦିଲ୍ଲୀ ଫେରିଯିବେ । ସାଧାରଣ ନିର୍ବାଚ଼ନ ସମୟରେ ଓଡ଼ିଶାରେ ମାରାଥନ ପ୍ରଚ଼ାର କରିଥିବା ଶାହଙ୍କର ଲମ୍ବା ସମୟ ବ୍ୟବଧାନରେ ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ତାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି ।

୨୦୧୯ ସାଧାରଣ ନିର୍ବାଚନ ପରେ ପ୍ରଥମ କରି ଓଡ଼ିଶା ଆସୁଛନ୍ତି ବିଜେପିର ଏହି ହେଭିୱେଟ୍‌ ନେତା । ଦୁଇଦିନିଆ ଗସ୍ତର ପ୍ରଥମ ଦିନ ୨୮ ତାରିଖ ଅପରାହ୍ଣରେ ଭୁବନେଶ୍ବର ଉପକଣ୍ଠରେ ଆୟୋଜିତ ହେବାକୁ ଥିବା CAA ସପକ୍ଷ ରାଲିରେ ପ୍ରାୟ ଲକ୍ଷାଧିକ ଲୋକଙ୍କୁ ସେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ସିଏଏ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ଚ଼ଳିତ ବର୍ଷ ଜାନୁଆରୀରୁ ଆରମ୍ଭ ହୋଇଥିଲା ବ୍ୟାପକ କାର୍ଯ୍ୟକ୍ରମ । ଜାନୁଆରୀ ମାସ ତମାମ ସଭା, ସମିତି ଓ ଶୋଭାଯାତ୍ରା ଠାରୁ ଆରମ୍ଭ କରି ଦଳ ପକ୍ଷରୁ ଆୟୋଜନ କରାଯାଇଥିଲା ବୁଦ୍ଧିଜୀବୀ ସମ୍ମିଳନୀ ଓ ପୋଷ୍ଟ କାର୍ଡ ଅଭିଯାନ ।

ସାମ୍ବାଦିକ ସମ୍ମିଳନୀରେ କହୁଛନ୍ତି ରାଜ୍ୟ ବିଜେପି  ସଭାପତି ସମୀର ମହାନ୍ତି (ମଝି)


‘‘ଏ ସବୁ କାର୍ଯ୍ୟକ୍ରମରେ ଘରକୁ ଘର ବୁଲି ଦଳ ଜନ ସମର୍ଥନ ମାଗିଥିଲା ଓ ସବୁଠି ଦଳକୁ ମିଳିଥିଲା ସମର୍ଥନ । କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ ଦଳର ବହୁ ତୁଙ୍ଗ ନେତା । ଏହି କ୍ରମରେ ଶେଷ କାର୍ଯ୍ୟକ୍ରମ ସ୍ବରୂପ ଆସୁଛନ୍ତି ଅମିତ୍‌ ଶାହ । ସିଏଏ ସପକ୍ଷରେ ସେ ଲୋଡିବେ ଜନମତ,’’ କହିଛନ୍ତି ରାଜ୍ୟ ବିଜେପି  ସଭାପତି ସମୀର ମହାନ୍ତି ।

ଅନ୍ୟ ପକ୍ଷେ ଶାହଙ୍କ ଗସ୍ତକୁ କଡା ଆକ୍ଷେପ କରିଛନ୍ତି  ଉଭୟ କଂଗ୍ରେସ ଓ ବିଜେଡି । କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି: ‘‘ଅନ୍ୟ ଦଳ ଭଳି ଏହା ବିଜେପିର ଏକ ଦଳୀୟ କାର୍ଯ୍ୟକ୍ରମ । ଅନେକ ସମୟରେ ନେତାମାନେ ଦଳୀୟ କାର୍ଯ୍ୟକ୍ରମରେ ଆସିଥାନ୍ତି । ସେହି କ୍ରମରେ ଆସୁଛନ୍ତି ଶାହ । ସାଧାରଣତଃ ରାଜନୈତିକ ସଭା ପାଇଁ ଲୋକ ଯୋଗାଡ଼ ହୁଅନ୍ତି । ତେଣୁ ଲକ୍ଷେ ଲୋକଙ୍କୁ ଶାହ ସମ୍ବୋଧନ କରିବେ ବୋଲି ଯାହା କୁହାଯାଉଛି  ତାହା ପ୍ରଭାବଶୂନ୍ୟ ହେବ । ତେଣୁ ସବୁ ଥର ଭଳି ଏଥର ବି ଶାହଙ୍କ ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ଚ଼ିନ୍ତିତ ନୁହେଁ । ଏହାର କିଛି ପ୍ରଭାବ ପଡିବ ନାହିଁ ।’’

ସମାନଭାବେ ବିଜେଡି କହିଛି ଯେ ଶାହଙ୍କ ଗସ୍ତ ପ୍ରଭାବହୀନ ରହିବ । ଦଳର ବରିଷ୍ଠ ନେତା କିଶୋର ମହାନ୍ତି କହିଛନ୍ତି: ‘‘କୌଣସି ଦଳର ନେତାଙ୍କ ଓଡ଼ିଶା ଗସ୍ତର ପ୍ରଭାବକୁ ନେଇ ରାଜ୍ୟ ବିଜେଡି ଚିନ୍ତିତ ନୁହେଁ । ଅତୀତର ସବୁ ନିର୍ବାଚ଼ନରେ ନବୀନଙ୍କ ଜନପ୍ରିୟତା ଆଗରେ ଫେଲ୍‌ ମାରିଛନ୍ତି ସବୁ ଦଳର ରାଷ୍ଟ୍ରୀୟ ନେତା । ଏହା ପ୍ରମାଣିତ କରିଛି ଯେ ନବୀନ ବେଶୀ ଲୋକପ୍ରିୟ । ତେଣୁ ଶାହଙ୍କ ଗସ୍ତର ଗୁରୁତ୍ବ ନାହିଁ ।’’

ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି ଯେ ଗତ ଜାନୁଆରୀରେ ଦୁଇ ଦୁଇ ଥର ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚ଼ର୍ଚ୍ଚା ହୋଇଥିଲା,  ହେଲେ ସେ ଆସିନଥିଲେ । ‘‘ଶେଷରେ ଦଳ ପକ୍ଷରୁ ହୋଇଛି ଆନୁଷ୍ଠାନିକ ଘୋଷଣା, ଯାହାକୁ ନେଇ ରାଜ୍ୟ ବିଜେପି ସ୍ବାଭାବିକଭାବେ ଉତ୍ସାହିତ । ସାଧାରଣ ନିର୍ବାଚନ ସମୟରେ ମାରାଥନ ପ୍ରଚାର ପରେ ଏହା ଶାହଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର୍‌  ଧରିବା ସ୍ବାଭାବିକ  । ଆଶା କରାଯାଉଛି ଶାହଙ୍କ ଗସ୍ତ ରାଜ୍ୟ ବିଜେପିକୁ ଅଧିକ ଉତ୍ସାହିତ କରିବ,’’ ସେ କହିଛନ୍ତି ।
First published: February 16, 2020, 7:14 PM IST