News18 Odia Digital
ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ଏବେ ପ୍ରଚାରପ୍ରସାର ଚଳାଇଛନ୍ତି । ଷ୍ଟାର୍ ପ୍ରଚାରକମାନେ ମଧ୍ୟ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରପୁର ପ୍ରୟାସ ଆରମ୍ଭ କରିଦେଲେଣି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଚାର କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ନିଜ ଦଳର ପ୍ରାର୍ଥୀ ପାଇଁ ପ୍ରଚାର କରିପାରନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ପଦ୍ମପୁର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର। ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଆଜି ଏ ନେଇ ସୂଚନା ଦେଇଛନ୍ତି। ନରେନ୍ଦ୍ର ସିଂ ତୋମାର ପଦ୍ମପୁର ନିର୍ବାଚନ ମଣ୍ଡଳୀର ତିନି ବ୍ଲକରେ ପ୍ରଚାର କରିବେ। ଯାହା ବିଜେପି ପାଇଁ ସଞ୍ଜିବନୀ ସାଜିବ। ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଭିକ୍ଷା କରିବେ କେନ୍ଦ୍ର କୃଷି ମନ୍ତ୍ରୀ। ପଦ୍ମପୁର, ପାଇକମାଲ ଓ ଝାରବନ୍ଧରେ ଚାଷୀ ସମାବେଶ କରିବେ। ଚାଷୀଙ୍କୁ ନେଇ ବିଜେଡି ଯେଉଁ ମିଛ ରାଜନୀତି କରୁଛି। କେନ୍ଦ୍ର କୃଷି ମନ୍ତ୍ରୀ ପ୍ରଚାର ସମୟରେ ତାର ଜବାବ ଦେବେ ଆଉ ବିଜେଡି ସରକାରର ମୁଖା ଖୋଲିବେ। ଯାହା ବିଜେପିକୁ ଚାଷୀ ଭୋଟ ପାଇବାରେ ସହାୟକ। ଆଉ ପଦ୍ମପୁର ବିଜେପି ବାଜିମାତ କରିବ ବୋଲି ବିଜେପି ଦାବି କରିଛି ।
ଅନ୍ୟପଟେ ବିଜେଡି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ମଇଦାନକୁ ଡିସେମ୍ୱର ୨-୩ରେ ଓହ୍ଲାଇ ପାରନ୍ତି ବୋଲି ଶୁଣିବାକୁ ମିଳିଛି । ଯଦି ନବୀନ ବାବୁ ପ୍ରଚାର ମଇଦାନକୁ ଓହ୍ଲାଇବେ ତେବେ ବିଜେଡି ପ୍ରାର୍ଥୀ ବର୍ଷାରାଣୀ ଆହୁରି ଅଧିକ ଭୋଟରେ ବିଜୟୀ ହେବେ ବୋଲି ପୂର୍ବରୁ ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଜେନା କହିଛନ୍ତି।
କଂଗ୍ରେସ ମଧ୍ୟ ପ୍ରଚାର କାର୍ଯ୍ୟରେ ପଛରେ ନାହିଁ । ରାଜ୍ୟରେ ଦଳୀୟ ସଂଗଠନକୁ ମଜଭୁତ କରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଭାରତ ଯୋଡ-ଓଡ଼ିଶା ପଦଯାତ୍ରା ଆରମ୍ଭ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।