ବେରୋଜଗାରୀର ବିକଳ ଚ଼ିତ୍ର: ଦକ୍ଷତା ବିକାଶ ସତ୍ୱେ ଓଡ଼ିଶାରେ ବେକାରୀ ହାର ଜାତୀୟ ହାର ଠୁ ଅଧିକ

ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୨ କୋଟି ଟଙ୍କା ବିନିଯୋଗରେ ୯୩,୧୧୯ ଜଣଙ୍କୁ ତାଲିମ ଦିଆଯାଇଥିବା ବେଳେ ମାତ୍ର ୨୧,୬୮୧ ଜଣଙ୍କୁ ନିଯୁକ୍ତି ମିଳିଛି । ଏହି ୬୨ କୋଟି ଟଙ୍କାରୁ କେନ୍ଦ୍ର ସରକାର ୨୭ କୋଟି ୭୧ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ ।

ବେରୋଜଗାରୀର ବିକଳ ଚ଼ିତ୍ର: ଦକ୍ଷତା ବିକାଶ ସତ୍ୱେ ଓଡ଼ିଶାରେ ବେକାରୀ ହାର ଜାତୀୟ ହାର ଠୁ ଅଧିକ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 18, 2020, 1:02 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବେରୋଜଗାରୀକୁ ନେଇ ଏବେ ଦେଶ ତମାମ ବିତର୍କ ଚ଼ାଲିଥିବା ବେଳେ ଏକ ନୂଆ ଓ ଚ଼ିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି: ଓଡ଼ିଶାରେ ବେକାରୀ ହାର ଜାତୀୟ ହାରଠୁ ଅଧିକ । ଗତ ୪୫ ବର୍ଷ ମଧ୍ୟରେ ଦେଶରେ ବେକାରୀ ହାର ସର୍ବାଧିକ ୬.୧ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ଅଛି ସର୍ବାଧିକ ୭.୧ ପ୍ରତିଶତ ।

ବିଧାନ ସଭାରେ ପଚ଼ରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ରଖିଥିବା ତଥ୍ୟ ଏହି ବିତର୍କକୁ ଅଧିକ ଖୋରାକ ଯୋଗାଇଛି । ଓଡ଼ିଶାର ସହରାଞ୍ଚଳରେ ବେକାରୀ ହାର ୮.୩ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୬.୯ ପ୍ରତିଶତ ବୋଲି ଏହି ତଥ୍ୟରୁ ଜଣାପଡ଼ିଛି । ଦେଶରେ ସହରାଞ୍ଚଳରେ ଏହା ୭.୮ ପ୍ରତିଶତ ଥିବା ବେଳେ ଗ୍ରାମାଞ୍ଚଳରେ ୫.୩ ପ୍ରତିଶତ ରହିଛି । ଅର୍ଥାତ ଓଡ଼ିଶାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବୋକାରୀ ହାର ଜାତୀୟ ହାର ଠାରୁ ଅଧିକ ରହିଛି ।

ବର୍ତ୍ତମାନ ସୁଦ୍ଧା ନିୟୋଜନ ନିର୍ଦେଶାଳୟ ଅଧୀନରେ ପଞ୍ଜୀକୃତ ବେରାଜଗାର ଯୁବକଯୁବତୀଙ୍କ ମଧ୍ୟରେ ଇଞ୍ଜିନିୟରିଂରୁ ୧୨,୬୫୨ ଜଣ, ଏମବିଏରୁ ୧,୭୦୬ ଜଣ ଓ ଗଣମାଧ୍ୟରୁ ୩୪ ଜଣ ନାମ ପଞ୍ଜୀକରଣ ଜୀବନ୍ତ ପଞ୍ଜିକାରେ ରହିଛନ୍ତି । ସେମାନଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ନିୟମିତ ରୂପେ ଓଡ଼ିଶା ପବ୍ଳିକ ସର୍ଭିସ କମିଶନ ଓ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଆଦି ମାଧ୍ୟମରେ ପରୀକ୍ଷା କରାଯାଇ ନିଯୁକ୍ତି ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ବିଧାନ ସଭାରେ ୧୫ ତାରିଖ ଦିନ ଦେଶର ବେରୋଜଗାରୀ ବିଷୟରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁସାରେ ତଥ୍ୟ ରଖି ବିଧାୟକ ମୋହନ ମାଝୀ ଓଡ଼ିଶାର ସ୍ଥିତି କଣ ବୋଲି ପ୍ରଶ୍ନକରିଥିଲେ । ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଉପରୋକ୍ତ ତଥ୍ୟ ରଖିଥିଲେ, ଯାହା ଏବେ ବିତର୍କର ବିଷୟ ପାଲଟିଛି ।

ସେହି ପରି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅନ୍ୟ ଏକ ପ୍ରଶ୍ନରେ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଉତ୍ତର ମଧ୍ୟ ଚ଼ମକାଇଦେବା ଭଳି ଥିଲା ।  ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୨ କୋଟି ଟଙ୍କା ବିନିଯୋଗରେ ୯୩ ହଜାର ୧୧୯ ଜଣଙ୍କୁ ତାଲିମ ଦିଆଯାଇଥିବା ବେଳେ ମାତ୍ର ୨୧ ହଜାର ୬୮୧ ଜଣଙ୍କୁ ନିଯୁକ୍ତି ମିଳିଛି । ଏହି ୬୨ କୋଟି ଟଙ୍କା ମଧ୍ୟରୁ କେନ୍ଦ୍ର ସରକାର ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କୁ ପ୍ରାୟ ୨୭ କୋଟି ୭୧ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ।

‘‘ରୋଜଗାର ସୁଯୋଗ ଦିଗରେ ସରକାର ପ୍ରୟାସ ଜାରି ରଖିଛନ୍ତି । ନୂଆ ଶିଳ୍ପ ଆସୁଛି ଏବଂ ଆଗକୁ ନୂଆ ଶିଳ୍ପ ନୀତି ବି ଆସିବ । ଆଗାମୀ ଦିନରେ ନୂଆ ଶିଳ୍ପ ଆସିବ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ । ତେଣୁ ଆଗାମୀ ଦିନ ପାଇଁ ସରକାର ଯୋଜନା କରୁଛନ୍ତି,’’ କହିଛନ୍ତି ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ।

ଏହି ତଥ୍ୟ ଆସିବା ପରେ ବିରୋଧୀମାନେ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି । ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚ଼ନ୍ଦନ କହିଛନ୍ତି: ‘‘ବିଧାନସଭା ତଥ୍ୟ ଠୁଁ ଆହୁରି ସାଙ୍ଘାତିକ ବେରୋଜଗାରୀର ସ୍ଥିତି । ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଯେଭଳି ଡ଼୍ରାଇଭ କରିବା କଥା ସେଭଳି କରୁନାହାନ୍ତି ସରକାର, ଯେଉଁଥି ପାଇଁ ଏପରି ଅବସ୍ଥା ହୋଇଛି । ଏହା ବାଦ୍‌ ଶିଳ୍ପାୟନ ଓ କ୍ଷୁଦ୍ର ଶିଳ୍ପ  ଏବେ ଧ୍ୱଂସାଭିମୁଖୀ ହେଉଥିବା ବେଳେ ଦକ୍ଷତା ବିକାଶ ଏକ ଫାର୍ସରେ ପରିଣତ  ହୋଇଛି।’’

‘‘ସରକାର ନିଯୁକ୍ତି ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଦେଶରେ ଓଡ଼ିଶା ବିକାଶଶୀଳ ରାଜ୍ୟ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ଏଠାକାର ଯୁବକମାନେ ବାହାରକୁ ରୋଜଗାର ପାଇଁ ଯାଉଛନ୍ତି, ଆଉ ସେଠୁ ତାଙ୍କ ମୃତ ଦେହ ଫେରୁଛି,’’ କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇ କହିଛନ୍ତି ଦେଶ ହେଉ କି ରାଜ୍ୟ ହେଉ ବର୍ତ୍ତମାନ ସ୍ଥିତିରେ କେଉଁଠି ରୋଜଗାରର ଯଥେଷ୍ଟ ସୁଯୋଗ ନାହିଁ । ‘‘ଓଡ଼ିଶାରେ ରୋଜଗାର ସୁଯୋଗ ବିଶେଷ କରି ଖଣି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଓ ମିନେରାଲ୍ସ ଭଳି କ୍ଷେତ୍ରରେ ରହିଛି । କିନ୍ତୁ ସେଥିରେ ନିଯୁକ୍ତି ସୁଯୋଗ ଏବେ ଦେଖାଯାଉନି । ତେଣୁ ରୋଜଗାର ସୁଯୋଗ ସୃଷ୍ଟି ହେବା ଯାଏ ଯୁବ ବର୍ଗଙ୍କୁ ତାଲିମ ଦେଇ ପ୍ରସ୍ତୁତ ରଖିବା ଉଚ଼ିତ,’’ କହିଛନ୍ତି ବିଶୋଇ ।

ଗୋଟିଏ ପଟେ ବେରୋଜଗରଙ୍କ ସଂଖ୍ୟା ବଢ଼ୁ୍‌ଥିବା ବେଳେ ଅନ୍ୟ ପକ୍ଷେ ବୈଷୟିକ ଶିକ୍ଷାରେ ଯୁବକଯୁବତୀଙ୍କ ଆଗ୍ରହ କମୁଛି । ରାଜ୍ୟର ଇଂଜିନିୟରିଂ କଲେଜମାନଙ୍କରେ ୬୦ ପ୍ରତିଶତ ସିଟ୍‌ ଖାଲି ପଡ଼ିଥିବା ନେଇ ମନ୍ତ୍ରୀଙ୍କ ଉତ୍ତର ଏ କଥା ଦର୍ଶାଉଛି । ଏପରି ସ୍ଥିତିରେ ଦେଖିବାର କଥା ଯେ ମେକ୍‌ ଇନ୍‌ ଓଡ଼ିଶା ପରି ଇଭେଣ୍ଟ୍‌ ଆୟୋଜନ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସରକାରଙ୍କ ପଦକ୍ଷେପ କେତେ ଫଳପ୍ରଦ ହେଉଛି ।
First published: February 18, 2020, 1:02 AM IST
corona virus btn
corona virus btn
Loading