ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»"ରାଗ ସମ୍ଭାଳି ପାରିଲିନି ମାରିଦେଲି", ପ୍ରେମିକାକୁ ହତ୍ୟା କରିଥିବାର ମାନିଲା ପ୍ରେମିକ

"ରାଗ ସମ୍ଭାଳି ପାରିଲିନି ମାରିଦେଲି", ପ୍ରେମିକାକୁ ହତ୍ୟା କରିଥିବାର ମାନିଲା ପ୍ରେମିକ

ପ୍ରଥମେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ବିବାହ କରିବା ପରେ ପ୍ରତାରଣା କରି ବିଭିନ୍ନ ସ୍ଥାନରେ ଧରି ବୁଲିବା ପରେ ହତ୍ୟା କରିଥିଲା ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ ।

ରାଗ ସମ୍ଭାଳି ନପାରି ପ୍ରେମିକାକୁ ହତ୍ୟା କଲା ଯୁବକ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 22, 2021, 8:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କେନ୍ଦୁଝର: ପ୍ରଥମେ ପ୍ରେମ ତାପରେ ପ୍ରତାରଣା ଆଉ ଶେଷରେ ହତ୍ୟା। ପ୍ରଥମେ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ବିବାହ କରିବା ପରେ ପ୍ରତାରଣା କରି ବିଭିନ୍ନ ସ୍ଥାନରେ ଧରି ବୁଲିବା ପରେ ହତ୍ୟା କରିଥିଲା ପ୍ରେମିକ । ନିଖୋଜ ହେବାର ଦୀର୍ଘ ୧ବର୍ଷ ପରେ ଟାଉନ ଥାନା ଜୁଡିଆ ଘାଟି ନିକଟ ପାହାଡ ଉପରୁ ମୃତ ଯୁବତୀଙ୍କର ହାଡ, ଚୁଡ଼ି ଆଦି ଠାବ କରିଛି ପୋଲିସ୍ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଅଞ୍ଚଳରେ ।

ଉପର କାଦକଳା ଗାଁର ଚକ୍ରଧର ଘଣା, ନୟାକୋଟ ଗାଁର ନବାତ ଡାଙ୍ଗୁଆଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ଉଭୟ ପୁଅ ଓ ଝିଅ ଭିନ୍ନ ଜାତି ହୋଇଥିବାରୁ ଚକ୍ରଧରଙ୍କ ଘରେ ବିବାହ କରିବାକୁ ରାଜି ହୋଇ ନଥିଲେ । ଏଥିପାଇଁ ଦୁହେଁ ଘର ଛାଡି ପଳାଇ ଥିଲେ । ପ୍ରଥମେ କଟକ, ପରେ ମୟୁରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳରେ ରହିଥିଲେ ।  ନବାତଙ୍କ ପରିବାର ଲୋକେ ସେମାନଙ୍କ ସହ ସେତେବେଳେ ଯୋଗାଯୋଗରେ ଥିଲେ । ଚକ୍ରଧର ଓ ନବାତ କିଛି ଦିନ ନବାତଙ୍କ ବଡ ଭଉଣୀଙ୍କ ଘରେ ମଧ୍ୟ ରହିଥିଲେ ।

ଜୁଲାଇ ମାସରେ ଘଟଣା କିଛି ଅଲଗା ମୋଡ଼ ନେଇଥିଲା। ଜୁଲାଇ ମାସରେ ଚକ୍ରଧର ଅନ୍ୟଜଣେ ଯୁବତୀଙ୍କୁ ବିବାହ କରିବା ପରେ ନବାତଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ଜାତ ହେଲା । ଝିଅ କେଉଁଠି ବୋଲି ପଚାରିବାରୁ ଚକ୍ରଧରଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା । ମନରେ ସନ୍ଦେହ ଜାତ ହେବାରୁ ଥାନାର ଦ୍ବାରସ୍ଥ ହୋଇଥିଲେ ନବାତଙ୍କ ପରିବାର । କିଛି ଦିନ ଧରି ଥାନାରେ ଚକ୍ରଧରଙ୍କୁ ପଚରା ଉଚୁରା କରିବା ପରେ ନବାତଙ୍କ ହାଡ, ଚୁଡ଼ି ଆଦି ଟାଉନ୍ ଥାନା ଜୁଡିଆ ଘାଟି ପାହାଡ ଉପରୁ ପୋଲିସ୍ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା । ନବାତଙ୍କ ସହ ଝଗଡା ହେବା ପରେ ଏଠାରେ ନବାତଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ମାନିଛି ଅଭିଯୁକ୍ତ ଚକ୍ରଧର ।

‘‘୨୦୧୯ ମହିହା ଅଗଷ୍ଟ ମାସରୁ ଆମ ଭଉଣୀକୁ ପ୍ରେମଜାଲରେ ଫସାଇ ଚକ୍ରଧର ନେଇ ଯାଇଥିଲା । ଏହାପରେ ବର୍ଷେ ହେବ ସେମାନେ ସ୍ବାମୀ-ସ୍ତ୍ରୀ ଭାବେ ଏଠି ୨ ମାସ, ସେଠି ୨ ମାସ କଟାଇଲେ । ପ୍ରଥମେ ସେ ଆମ ଭଉଣୀକୁ ନେଇ କଟକରେ ରହିଲା । ସେଠାରେ ମାସେ ରହିବା ପରେ ମୟୁରଭଞ୍ଜ ଜିଲ୍ଲା ଯଶୀପୁରରେ ୮ ମାସ କଟାଇଲେ । ସେଠାରୁ ଆସି କେନ୍ଦୁଝର ନନ୍ଦପୁରଠାରେ ରହିଲେ । ତାପରେ ବର୍ଷେ ହେବ ଆମ ଝିଅ ନିଖୋଜ ହୋଇଗଲା । ଏହାପରେ ପିଲା ଆଉ ଜଣକୁ ବାହା ହେବା ପରେ ଆମ ଝିଅ କାହିଁ ବୋଲି ଆମେ ଖୋଳତାଡ ଆରମ୍ଭ କଲୁ । ତାପରେ ଆମେ ନୟାକୋଟ ଥାନାର ଦ୍ବାରସ୍ଥ ହେଲୁ । ଏବେ ଜୁଡିଆ ଘାଟିର ପାହାଡ ଉପରୁ ଆମ ଭଉଣୀର କିଛି ଅସ୍ତି ଓ ଚୁଡି ମିଳିଛି । ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ଦୋଷୀକୁ ଫାସୀ ଦଣ୍ଡ ଦିଆଯାଉ," କହିଛନ୍ତି ନବାତ ଡାଙ୍ଗୁଆଙ୍କ ବଡଭାଇ ବସନ୍ତ କୁମାର ଡାଙ୍ଗୁଆ ।

‘‘ସେ ପିଲା ଆଉ ଗୋଟେ ଝିଅ ଦେଖିବା ପରେ ବାହା ହେଲା ଓ ମୋ ଭଉଣୀକୁ ମାରି ପୋତିଦେଲା । ୨ ବର୍ଷ ପୂର୍ବରୁ ମୋ ଭଉଣୀକୁ ନେଇ ଯାଇଥିଲା । ମୋ ଘରେ ସେମାନେ ଦେଢ ମାସ ରହିଲେ । ରଜ ପରେ ପରେ ସେ ଅନ୍ୟ ଜଣେ ଝିଅକୁ ବାହା ହେଲା । ସେ ବାହା ହେବା ପରେ ଆମ ଭଉଣୀ କାହିଁ ବୋଲି ତାକୁ ପଚାରିଲୁ । ସେ ଆମ ଭଉଣୀକୁ ଦେଖିନାହିଁ କି ସେସମ୍ପର୍କରେ କିଛି ଜାଣିନାହିଁ ବୋଲି କହିବା ପରେ ଆମେ ଥାନାରେ ଅଭିଯୋଗ କଲୁ । ଏହାପରେ ସେ ଭଉଣୀର ହାଡ ବାହାର କରିବ ବୋଲି କହିଲା । ଆମେ ଚାହୁଁ, ଆମ ଭଉଣୀକୁ ଯିଏ ମାରିଛି, ତାକୁ ଫାଶୀ ଦଣ୍ଡ ହେଉ,’’ କହିଛନ୍ତି ମୃତ ନବାତ ଡାଙ୍ଗୁଆଙ୍କ ଭଉଣୀ ବାସନ୍ତୀ ପ୍ରଧାନ।

"ଭଲ ପାଇଥିଲୁ । ଆମର ଝଗଡା ହେଇଥିଲା । ମୁଁ ରାଗ ସମ୍ଭାଳି ନପାରି ତାର ତଣ୍ଟି ଚିପି ମାରିଦେଲି," କହିଛି ଅଭିଯୁକ୍ତ ଚକ୍ରଧର ଘଣା ।
Published by: Soumya Das
First published: November 22, 2021, 8:16 PM IST