News 18 Odia Digital
କଟକ; ପୁଣିଥରେ ସାଇବର ଠକଙ୍କ ଆତଙ୍କ ଦେଖିବାକୁ ମିଳିଛି ସିଲଭର ସିଟିରେ । ଠକେଇ ସମ୍ପର୍କରେ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ଶୂନ ପରି ମନେ ହେଉଛି । ବିଶେଷ କରି ଯୁବ ପିଢିଙ୍କୁ ଟାର୍ଗେଟ କରୁଛନ୍ତି ଠକ । ଗତ ଦୁଇ ଦିନରେ କଟକ ସହରରୁ ଦୁଇଟି ମାମଲା ସମ୍ନାକୁ ଆସିଛି ।
ପ୍ରଥମ ଘଟଣାଟି କଟକ ସଦରଥାନା ଅନ୍ତର୍ଗତ ଫୁଲନଖରାରେ ଅଞ୍ଚଳରେ ରହୁଥିବା ଜଣେ ୨୬ ବର୍ଷୀୟା ଯୁବତୀଙ୍କ କ୍ଷେତ୍ରରେ ଘଟିଛି । ଏକ ବେସରକାରୀ ସଂସ୍ଥାରେ ଚାକିରି କରିଥିବା ସମ୍ପୃକ୍ତ ଯୁବତୀ ଜଣଙ୍କ କିଛି ଦିନ ତଳେ ଏକ ଲୋନ୍ ଆପ୍ ନିଜ ମୋବାଇଲରେ ଡାଉନଲୋଡ୍ କରିଥିଲେ । ଏହା ପରେ ସେହି ଆପ୍ ଜରିଆରେ ଏକ ହଜାର ଟଙ୍କା ଲୋନ ଆଣିଥିଲେ । ତେବେ ଋଣ ନେବା ଦିନଠାରୁ ତାଙ୍କୁ ଏହାକୁ ପରିଶୋଧ ପାଇଁ ଫୋନ୍ କଲ୍ ଆସିବାକୁ ଲାଗିଥିଲା ।
ଏପରିକି ଯୁବତୀ ଜଣଙ୍କ ମାତ୍ର ଏକ ହଜାର ଟଙ୍କା ଋଣ ଆଣିଥିଲେ ମଧ୍ୟ ସୁଧ ମିଶାଇ ପ୍ରାୟ ଦଶ ଗୁଣ ଅର୍ଥ ତାଙ୍କୁ ଶୁଝିବାକୁ କୁହାଯାଇଥିଲା । ଏଥିସହ ଟଙ୍କା ନ ଦେଲେ ତାଙ୍କର ଫଟୋକୁ ଅଶ୍ଳିଳ କରି ସେଗୁଡ଼ିକୁ ତାଙ୍କ ସମ୍ପର୍କିୟଙ୍କୁ ପଠାଇ ଦିଆଯିବ ବୋଲି ଫୋନରେ ଧମକ ଦିଆଗଲା । ଫଳସ୍ପରୂପ ଯୁବତୀ ଜଣକ ୧୦ ହଜାର ଟଙ୍କା ଦେଇଥିଲେ । କିନ୍ତୁ ଏହି ଟଙ୍କା ପାଇବା ପରେ ମଧ୍ୟ ଋଣ ଦେଇଥିବା ଚାଇନିଜ ଆପକୁ ପରିଚାଳନା କରୁଥିବା ସାଇବର ଠକମାନେ ଅଧିକ ଟଙ୍କା ଦାବି କରି ଯୁବତୀଙ୍କର ଅଶ୍ଳିଳ ଫଟୋ ପ୍ରସ୍ତୁତ କରି ସେଗୁଡ଼ିକୁ ତାଙ୍କ ସମ୍ପର୍କିୟଙ୍କୁ ପଠାଇବାରେ ଲାଗିଲେ । ଏପରି କି ବିଭିନ୍ନ ପର୍ଯ୍ୟାୟରେ ମୋଟ ୮୦ ହଜାର ଟଙ୍କା ନେବା ପରେ ମଧ୍ୟ ସାଇବର ଠକମାନେ ଅଧିକ ଟଙ୍କା ଦାବି କରି ସମ୍ପୃକ୍ତ ଯୁବତୀଙ୍କ ଫଟୋକୁ ଭାଇରାଲ କରିବାରେ ଲାଗିଛନ୍ତି । ଫଳସ୍ୱରପ ସମ୍ପୃକ୍ତ ଯୁବତୀ ଜଣଙ୍କ ସାଇବର ଥାନାରେ ମାମଲା ଦାୟର କରିଛନ୍ତି ।
ସେହିପରି ଆଉ ଏକ ଅଭିଯୋଗ ଆସିଛି ବିଡ଼ାନାସୀ ଅଞ୍ଚଳରୁ । ଜଣେ ଆଇନଛାତ୍ରୀ ମଧ୍ୟ ସମାନ ଅଭିଯୋଗ ଆଣି ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ପୂର୍ବ ଘଟଣା ଭଳି ଆଇନଛାତ୍ରୀ ଜଣଙ୍କ ଲୋନ୍ ଆପରୁ ଋଣ ଆଣି ନଥିଲେ । ତାଙ୍କ ଏତିକି ଭୁଲ ଥିଲା ଯେ ସେ ଏହି ଆପକୁ ନିଜ ମୋବାଇଲରେ ଡ଼ାଉନଲୋଡ୍ କରିଦେଇଥିଲେ । ଏହା ପରେ ସାଇବର ଠକଙ୍କ ଶିକାର ବନିଛନ୍ତି । ଋଣ ନ ନେଇ ନଥିଲେ ମଧ୍ୟ ଟଙ୍କା ଦାବି କରି ଆଇନଛାତ୍ରୀଙ୍କ ଅଶ୍ରିଳ ଫଟୋ ତିଆରି କରି ସେଗୁଡ଼ିକ ତାଙ୍କର ପରିଚିତ ବ୍ୟକ୍ତିମାନଙ୍କ ହ୍ୱାଟସଆପ ମାଧ୍ୟମରେ ପଠାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି ସାଇବର ଠକ ।
ଏନେଇ ସାଇବର ଥାନାଧିକାରୀ ଚନ୍ଦ୍ରିକା ସ୍ୱାଇଁ କୁହନ୍ତି " ପ୍ରଥମ ଥର ଲାଗି ଚାଇନିଜ ଲୋନ୍ ଆପରୁ ଋଣ ନେଇ ଠକେଇ ଘଟଣାରେ ଆମକୁ ଲିଖିତ ଅଭିଯୋଗ ମିଳିଥିଲା । ଏବଂ ଆମେ ଦୁଇଟି ଘଟଣାରେ ଭିନ୍ନ ଭିନ୍ନ ମାମଲା ମଧ୍ୟ ରୁଜୁ କରିଛୁ । ଯେଉଁ ନମ୍ବର ଗୁଡ଼ିକରୁ ସେମାନଙ୍କୁ ଫୋନ କଲ ଆସୁଛି ସେଗୁଡ଼ିକୁ ଟ୍ରାକ୍ କରିବା ଆରମ୍ଭ କରୁଛୁ । କିନ୍ତୁ ଅଧିକାଶଂ ଘଟଣାରେ ଲୋକେ ଏହି ଅଭିଯୋଗ ନେଇ ଥାନାକୁ ଆସନ୍ତି ସତ ହେଲେ ଲୋକ ଲଜ୍ୟା ଭୟରେ ସେମାନେ ମାମଲା ଦାୟର କରନ୍ତି ନାହିଁ । ଗତ କିଛି ଦିନ ମଧ୍ୟରେ ପ୍ରାୟ ୩୦ଟି ମୌଖିକ ଅଭିଯୋଗ ଆମେ ପାଇଛୁ । "
ଆସନ୍ତୁ ଜାଣିବା କଣ ଏହି ଚାଇନିଜ୍ ଲୋନ ଆପ ଏବଂ ଲୋକେ କେମିତି ହୁଅନ୍ତି ଶୋଷଣର ଶିକାରଲୋକମାନଙ୍କୁ ଅପେକ୍ଷାକୃତ କମ ସୁଧ ବା ବିନା ସୁଧରେ ସ୍ୱଳ୍ପ ମିଆଦି ଏବଂ ସ୍ୱଳ୍ପ ଅର୍ଥର ଋଣ ପ୍ରଦାନ କରାଯାଉଥିବା ଦର୍ଶାଇ ଶହଶହ ଆପ ପ୍ଲେ ଷ୍ଟୋରରେ ନିଜର କାରବାର କରୁଛନ୍ତି । ଅଧିକାଶଂ ଲୋନ ଆପ ଚାଇନାରୁ ପରିଚାଳିତ ହେଉଥିବା ବେଳେ ସେମାନେ ଟଙ୍କା ଅସୁଲ କରିବା ଦାୟିତ୍ୱ ଭାରତରେ କାର୍ଯ୍ୟକ୍ଷମ ଥିବା ବେଆଇନ କଲ୍ ସେଣ୍ଟରଗୁଡ଼ିକୁ ଦେଇଥାନ୍ତି ।
ଯେତେବେଳେ କୌଣସି ବ୍ୟକ୍ତି ଏହି ଲୋନ୍ ଆପ୍ ଗୁଡ଼ିକୁ ନିଜ ମୋବଇଲରେ ଇନଷ୍ଟଲ କରନ୍ତି ତେବେ ଇନଷ୍ଟଲେସନ୍ ସମୟରେ ଏହି ଆପ୍ ବିଭିନ୍ନ ପ୍ରକାର ପରମିସନ ମାଗିଥାଏ । ସେଥିମଧ୍ୟରେ ୟୁଜର ମୋବାଇଲର ଫୋନ ବୁକ ଓ ଗ୍ୟାଲେରିକୁ ଆକ୍ସେସ କରିବା ପାଇଁ ପରମିସନ ବା ଅନୁମତି ମଧ୍ୟ ରହିଥାଏ । ଏହି ଆପକୁ ଡାଉନଲୋଡ କରି ନିଜ ମୋବାଇଲରେ ଇନଷ୍ଟାଲ କରୁଥିବା ବ୍ୟକ୍ତି ଏହି ପରିମିସନ ମଧ୍ୟ ଦେଇ ଦେଇଥାନ୍ତି । ଫଳସରୂପ ସମ୍ପୃକ୍ତ ଆପକୁ ଚଳାଉଥିବା ସାଇବର ଠକମାନେ ଗ୍ରାହକଙ୍କ ମୋବାଇଲରେ ଥିବା ସମସ୍ତ ଫଟୋ ଓ ଭିଡିଓ ସହ କଣ୍ଟାକ୍ଟ ଡିଟେଲ୍ ପାଇ ଯାଇଥାନ୍ତି । ଏବଂ ଏହା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋକୁ ଏଡିଟ୍ କରି ସେଥିରେ ଅଶ୍ଳିଳତା ଭରିବା ପରେ ସେହି ଫଟୋକୁ ସମ୍ପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା ଲୋକଙ୍କୁ ହ୍ୱାଟସଆପ କରିବା ଏବଂ ଫୋନ କରି ଗାଳିଗୁଲଜ କରି ବ୍ଲାକ ମେଲ କରିଥାନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।