ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଙ୍ଗଲୀ ହାତୀଙ୍କ ଉତ୍ପାତ; ଘଉଡ଼ାଇବାକୁ ନାକେଦମ ହେଲେ କର୍ତ୍ତୃପକ୍ଷ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ ଡ଼ଃ. ସଞ୍ଜୀତ କୁମାରଙ୍କ ସୂଚନା ଅନୁସାରେ ପ୍ରାଣୀ ଉଦ୍ୟାନ ପଛପଟେ ଥିବା ପାଚେରିକୁ ଭାଙ୍ଗ ଦୁଇଟି ଜଙ୍ଗଲୀ ଦନ୍ତା ହାତୀ ଭିତରକୁ ପଶି ଆସିଥିଲେ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଙ୍ଗଲୀ ହାତୀଙ୍କ ଉତ୍ପାତ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଙ୍ଗଲୀ ହାତୀଙ୍କ ଉତ୍ପାତ

  • Share this:
News18 Odia Digital

ଭୁବନେଶ୍ବର: ପୁଣି ଥରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜଙ୍ଗଲୀ ହାତୀଙ୍କ ଉତ୍ପାତ। ବୁଧବାର ସକାଳେ ପ୍ରାଣୀ ଉଦ୍ୟାନ ପରିସରକୁ ପଶି ଆସିଥିଲେ ଦୁଇଟି ଜଙ୍ଗଲୀ ହାତୀ। ଯାହାଙ୍କ ଉତ୍ପାତକୁ ନେଇ ନାକେଦମ ହୋଇଥିଲେ ନନ୍ଦନକାନନ କର୍ତୃପକ୍ଷ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ପ୍ରାଣୀ ଉଦ୍ୟାନ ପରିସର ଭିତରୁ ଦୁଇଟି ଯାକ ଜଙ୍ଗଲୀ ହାତୀକୁ ବାହାରକୁ ନେବାକୁ କର୍ତୃପକ୍ଷଙ୍କ ଉଦ୍ୟମ ଜାରି ରହିଥିଲା। ଏହି କାରଣରୁ ବୁଧବାର ଦିନ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା ପ୍ରାଣୀ ଉଦ୍ୟାନକୁ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକ ଡ଼ଃ. ସଞ୍ଜୀତ କୁମାରଙ୍କ ସୂଚନା ଅନୁସାରେ, ‘‘ପ୍ରାଣୀ ଉଦ୍ୟାନ ପଛପଟ ଥିବା ପାଚେରିକୁ ଭାଙ୍ଗ ଦୁଇଟି ଜଙ୍ଗଲୀ ଦନ୍ତା ହାତୀ ଭିତରକୁ ପଶି ଆସିଥିଲେ। ସେମାନେ ପ୍ରାଣୀ ଉଦ୍ୟାନ ପରିସରରେ ଥିବା ତିନୋଟି ମାଇ ହାତୀଙ୍କ ଖୁଆଡ଼ ପାଖାପାଖି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଖବର କର୍ତୃପକ୍ଷ ଜାଣିବା ପରେ ତୁରନ୍ତ ନନ୍ଦନକାନନକୁ ବନ୍ଦ କରି ଦିଆଯାଇଥିଲା। ଦୁଇଟି ଯାକ ହାତୀ ଜିରାଫ ଖୁଆଡ଼ ପଛପାଖଠାରୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ ଘୁରି ବୁଲିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା କାରଣରୁ ପ୍ରାଣୀ ଉଦ୍ୟାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।’’

ତେବେ ଏହାପରେ କର୍ତୃପକ୍ଷଙ୍କ ଚିନ୍ତା ବଢ଼ିଥିଲା କିଭଳି ଏହି ଦୁଇ ଜଙ୍ଗଲୀ ହାତୀକୁ ପରିସର ଭିତରୁ ବାହାରକୁ ନିଆଯିବ। ଏଥିପାଇଁ ନନ୍ଦନକାନନ ଡିଭିଜନ ଓ ଚନ୍ଦକା ଡିଭିଜନର କର୍ମଚାରୀଙ୍କୁ ନେଇ ତିନୋଟି ଟିମ୍ ଗଠନ କରାଯିବା ସହିତ ଦୁଇଟି ଯାକ ହାତୀର ଗତିବିଧି ଉପରେ ନଜର ରଖାଯାଇଥିଲା। ବିଶେଷ କରି ସନ୍ଧ୍ୟା ପରେ ହାତୀ ଘଉଡ଼ାଇବା କାର୍ଯ୍ୟ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ କର୍ତୃପକ୍ଷ। ସେହି ଅନୁସାରେ ସନ୍ଧ୍ୟାରେ ୫ଟାରୁ ଆରମ୍ଭ ହୋଇଥିଲା ହାତୀ ଘଉଡ଼ାଇବା ଅଭିଯାନ। ହାତରେ ମଶାଲ ଓ ଆତସବାଜି କରି ହାତୀ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ ତିନୋଟି ଯାକ ଟିମ୍। କିନ୍ତୁ ଘଉଡ଼ାଇବା ଟିମ୍‌କୁ ଚକମା ଦେଇ ପ୍ରାଣୀ ଉଦ୍ୟାନ ଭିତରେ ଘୁରି ବୁଲିଥିଲେ ଦୁଇଟି ଯାକ ହାତୀ।

ପ୍ରାଣୀ ଉଦ୍ୟାନର ଏସିଏଫ ଶରତଚନ୍ଦ୍ର ବେହେରାଙ୍କ ସୂଚନା ଅନୁଯାୟୀ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଜଙ୍ଗଲୀ ହାତୀ ପ୍ରାଣୀ ଉଦ୍ୟାନ ଭିତରକୁ ଆସିବା ପରେ ହାତୀ ଖୁଆଡ଼ ଅଞ୍ଚଳରେ ସେମାନେ ଘୁରି ବୁଲୁଥିଲେ । ଖାଦ୍ୟ ଅନ୍ୱେଷଣରେ ସେମାନେ ଭିତରକୁ ପଶି ଆସିଥିବା ଅନୁମାନ କରାଯାଉଛି। ଜଙ୍ଗଲୀ ହାତୀ ହୋଇଥିବାରୁ ଏମାନେ ଉତ୍ପାତ କରି ପାରନ୍ତି ଆଶଙ୍କାରେ ବିଭିନ୍ନ ଖୁଆଡ଼କୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ନନ୍ଦନକାନନ ଉପ ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି ଯେ, ବିଭିନ୍ନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସୁଛି । ପାଚେରି ଦୁର୍ବଳ ଥିବା କାରଣରୁ ଓ ହାତୀ କରିଡ଼ର ଭିତରେ ଏହି ରାସ୍ତା ପଡୁଥିବାରୁ ସେମାନେ ଭିତରକୁ ପଶି ଆସୁଛନ୍ତି।

ପୂର୍ବରୁ ବିଭିନ୍ନ ସମୟରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିସାରିଛି। ତେବେ ଆଗକୁ ଏସବୁ ପୁରୁଣା ପାଚେରିକୁ ଭାଙ୍ଗି ନୂଆ କରାଯିବା ପାଇଁ କର୍ତୃପକ୍ଷ ଉଦ୍ୟମ କରୁଥିବା ସେ ସ୍ପଷ୍ଟ କରିଛନ୍ତି। ହାତୀଙ୍କ ଭୟରେ ପ୍ରାଣୀ ଉଦ୍ୟାନ ବନ୍ଦ ହେବା ଫଳରେ ବହୁ ସଂଖ୍ୟକ ପର୍ଯ୍ୟଟକ ହତାଶ ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା। ଉଭୟ ପଶ୍ଚିମ ବଙ୍ଗ ଓ ବିହାରରୁ ସପରିବାର ଆସିଥିବା ଅନେକ ପର୍ଯ୍ୟଟକ ଏଭଳି ଘଟଣା ଯୋଗୁ ସେମାନେ ପ୍ରାଣୀ ଉଦ୍ୟାନ ବୁଲିବାରୁ ବଞ୍ଚିତ ହୋଇଥିଲେ ବୋଲି କହିଛନ୍ତି। ତେବେ ହଠାତ୍ ପ୍ରାଣୀ ଉଦ୍ୟାନ ବନ୍ଦ କରାଯାଇଥିବାରୁ ସେମାନଙ୍କ ଏତେ ପରିଶ୍ରମ ବୃଥା ଗଲା ବୋଲି ସେମାନେ ଜଣାଇଥିଲେ।
Published by:Lipina Das
First published: