କାଲି ସିଏମସି ନିର୍ବାଚନର ଭୋଟ ଗଣତି; କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ପାଇଁ ଅଲଗା ଦୁଇଟି ହଲ

ଆସନ୍ତାକାଲି ସିଏମସି ନିର୍ବାଚନର ଭୋଟ ଗଣତି କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଛି କଟକ ଜିଲ୍ଲା ପ୍ରଶାସନ । କର୍ପୋରେଟର ଓ ମେୟର ପ୍ରାର୍ଥୀମାନଙ୍କ ଭୋଟ ଗଣତି ପାଇଁ ଅଲଗା ଅଲଗା କରି ଦୁଇଟି ହଲର ବ୍ୟବସ୍ଥା କରାଯାଇଛି ।

ଇଭିଏମ ଗଚ୍ଛିତ ଥିବା ଷ୍ଟ୍ରଙ୍ଗରୁମକୁ ଜଗି ରହିଛନ୍ତି ସୁରକ୍ଷାକର୍ମୀ1

ଇଭିଏମ ଗଚ୍ଛିତ ଥିବା ଷ୍ଟ୍ରଙ୍ଗରୁମକୁ ଜଗି ରହିଛନ୍ତି ସୁରକ୍ଷାକର୍ମୀ1

  • Share this:
News18 Odia Digital

କଟକ: ଆସନ୍ତାକାଲି ସିଏମସି ନିର୍ବାଚନର ଭୋଟ ଗଣତି କରାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରି ସାରିଛି କଟକ ଜିଲ୍ଲା ପ୍ରଶାସନ । ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହେବ । ଇଭିଏମରେ ମତଦାନ ହୋଇଥିବାରୁ ସକାଳ ସାଢେ  ୯ଟା ସୁଦ୍ଧା ଟ୍ରେଣ୍ଡ ଆସିବା ଆରମ୍ଭ ହେବ ଓ ମଧ୍ୟାନ୍ନ ପୂର୍ବରୁ ସ୍ପଷ୍ଟ ଚିତ୍ର ସାମନାକୁ ଆସିବ ବୋଲି ଅନୁମାନ କରାଯାଉଛି ।

କର୍ପୋରେଟର ଓ ମେୟର ପ୍ରାର୍ଥୀମାନଙ୍କ ଭୋଟ ଗଣତି ପାଇଁ ଅଲଗା ଅଲଗା କରି ଦୁଇଟି ହଲର ବ୍ୟବସ୍ଥା କରାଯାଇଛି । ପ୍ରତି ହଲରେ ୧୨ ଟି ଲେଖାଏଁ କରି  ଉଭୟ ହଲରେ ମୋଟ ୨୪ଟି ଟେବୁଲ ରହିବ । ପ୍ରତି କର୍ପୋରେଟର ଓ ମେୟର ପ୍ରାର୍ଥୀମାନଙ୍କ ପକ୍ଷରୁ ଜଣେ ଲେଖାଏଁ ଏଜେଣ୍ଟ ଭୋଟ ଗଣତି ସମୟରେ ଉପସ୍ଥିତ ରହିବେ । କର୍ପୋରେଟର ପ୍ରାର୍ଥୀମାନଙ୍କ ଭୋଟ ଗଣତି ବୁଥ ଓ ଓ୍ବାର୍ଡ଼ ଓ୍ବାରୀ କରାଯିବାକୁ ଥିବା ବେଳେ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ବୁଥ ଓ୍ବାରୀ କରାଯିବ ।

"ଭୋଟ ଗଣତି ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ଯେଉଁ ଦୁଇଟି ହଲରେ ଭୋଟ ଗଣତି ହେବ ସେଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଭୋଟ ଗଣତିର ଫଳାଫଳ ଓ୍ବାର୍ଡ ଓ୍ବାରୀ ଆମେ ଘୋଷଣା କରିବୁ," କହିଛନ୍ତି ସିଏମସିର ନିର୍ବାଚନ ଅଧିକାରୀ ବିଜୟ କୁମାର ଖଣ୍ଡାୟତରାୟ।

ସେପଟେ ଭୋଟ ଗଣତିକୁ ଦୃଷ୍ଟିରେ ରଖି କମିଶନେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭୋଟ ଗଣତି କେନ୍ଦ୍ର ଓ ଏହାକୁ ଲାଗି କରିଥିବା ଅଞ୍ଚଳରେ ମୋଟ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ୪୦ ଜଣ ଅଫିସରଙ୍କୁ ସୁରକ୍ଷା ଦାୟିତ୍ବରେ ମଧ୍ୟ ନିୟୋଜିତ କରାଯିବ । ଭୋଟ ଗଣତି କେନ୍ଦ୍ର ଓ ଏହାର ପରିସରକୁ ପ୍ରାର୍ଥୀମାନଙ୍କର ଏଜେଣ୍ଟ, ଜିଲ୍ଲା ପ୍ରଶାସନ ଦ୍ବାରା ଅନୁମୋଦିତ ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାଦ ଦେଲେ ଅନ୍ୟ କୌଣସି ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

"ଭୋଟ ଗଣତି କେନ୍ଦ୍ର ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଭୋଟ ଗଣତି କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ଥିବା ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବ । ଭୋଟ ଗଣତି ସମୟ ଓ ଏହା ପରେ ଯେମିତି ଶାନ୍ତିଶୃଙ୍ଖଳା ବଜାୟ ରହିବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି," କହିଛନ୍ତି କଟକ ଡିସିପି ପ୍ରତିକ ସିଂ ।

ସିଏମସି ନିର୍ବାଚନରେ କର୍ପୋରୋଟର ପଦ ପାଇଁ ୨୫୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ମେୟର ପଦ ପାଇଁ ୧୬ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ । ମେୟର ପଦ ପାଇଁ କଂଗ୍ରେସ, ବିଜେଡ଼ି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ଟକର ହେଉଥିବା ବେଳେ ଭୋଟ ଦାନ ପରେ ଏହି ଟକର କଂଗ୍ରେସ ଓ ବିଜେଡ଼ି ପ୍ରାର୍ଥୀଙ୍କ ମଧ୍ୟରେ ହେବ ବୋଲି ସ୍ପଷ୍ଟ ହୋଇଛି ।

ଗତ ନିର୍ବାଚନରେ ସିଏମସିର ମୋଟ ୫୯ ଓ୍ବାର୍ଡ ମଧ୍ୟରୁ ବିଜେଡି ୩୬ ଟି ଆସନ ହାତେଇ ଥିବା ବେଳେ କଂଗ୍ରେସ ୯ଟି, ବିଜେପି ୪ଟି ଓ ସ୍ବାଧିନ ୧୦ଟି ଓ୍ବାର୍ଡ଼ରେ ବିଜୟୀ ହୋଇଥିଲେ ।

"ଏଥରର ଭୋଟର ମୁଡ଼ ଓ ଭୋଟ ଦାନ ହାରକୁ ଅନୁଧ୍ୟାନ କରିବା ପରେ କଂଗ୍ରେସ ଖାତାକୁ ପୂର୍ବ ନିର୍ବାଚନ ତୁଳନାରେ କିଛି ଅଧିକ କର୍ପୋରେଟର ସିଟ ଯାଇ ପାରେ," ମତ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ।
Published by:Soumya Das
First published: