News18 Odia Digital
ପୁରୀ: ଶ୍ରୀକ୍ଷେତ୍ର ପୁରୀରୁ ବଦ୍ରିନାଥ ଓ କେଦାରନାଥକୁ ଦଣ୍ଡଯାତ୍ରାରେ ବାହାରିଛନ୍ତି ଦୁଇ ସାଧୁ – ବଡ଼େ ଝାଡ଼ଖଣ୍ଡ ବାବା ଓ ଛୋଟେ ଝାଡ଼ଖଣ୍ଡ ବାବା । ତିନି ବର୍ଷରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି ।
ବଡ଼େ ଝାଡ଼ଖଣ୍ଡ ବାବା ପୁରୀ ଜଗନ୍ନାଥ ଧାମରୁ ଦଣ୍ଡ ପକାଇ ବିଶ୍ୱ ଶାନ୍ତି ଓ ସାଧୁସନ୍ଥଙ୍କ ସୁରକ୍ଷା ନେଇ ବାହାରିଛନ୍ତି । ତାଙ୍କ ସାଥୀ ଛୋଟେ ଝାଡ଼ଖଣ୍ଡ ବାବା ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ କରିଛନ୍ତି ପଦଯାତ୍ରା ।
‘‘ତିନି ବର୍ଷ ଧରି ଏହି ଯାତ୍ରା ଚ଼ାଲିବ । ପୁରୀ ଧାମରୁ ବାହାରି କେଦାର ନାଥ ଓ ବଦ୍ରିନାଥ ପର୍ଯ୍ୟନ୍ତ ଯିବା ପାଇଁ ଆମେ ବାହାରିଛୁ । ଅଖଣ୍ଡ ଭାରତ ପାଇଁ ସାଧୁସନ୍ଥଙ୍କ ସମ୍ମାନ ଓ ସୁରକ୍ଷା ଆବଶ୍ୟକ । ବର୍ତ୍ତମାନ ହିନ୍ଦୁ ଧର୍ମର ରକ୍ଷା ପାଇଁ ସାଧୁସନ୍ଥଙ୍କର ଦାୟିତ୍ୱ ରହିଛି । ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଆର୍ଶିର୍ବାଦ ନେଇ ହାତରେ ଘଣ୍ଟି ଧରି ଦଣ୍ଡ ଯାତ୍ରାରେ ଆମେ ବାହାରିଛୁ,’’ କହିଛନ୍ତି ଅଯୋଧ୍ୟାର ରାମଘାଟ ରାମଦାସ ଭବନ ଶ୍ୟାମା ସଦନରେ ରହୁଥିବା ବଡ଼େ ଝାଡ଼ଖଣ୍ଡ ବାବା ।
ପୁରୀ ବଡ଼ ଦାଣ୍ଡରେ ଘଣ୍ଟି ଥୋଇ ଦଣ୍ଡ ପକାଇ ଯିବା ସହ ଲୋକଙ୍କୁ ସାଧୁସନ୍ଥଙ୍କ ସୁରକ୍ଷା ଓ ସନାତନ ଧର୍ମ ରକ୍ଷା ପାଇଁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆବଗତ କରାଇବା ଏହି ଯାତ୍ରାର ଲକ୍ଷ୍ୟ ବୋଲି କହିଛନ୍ତି ସେ ।

ବଡ଼େ ଝାଡ଼ଖଣ୍ଡ ବାବାଙ୍କ ସହ ଯାତ୍ରାରେ ଅଛନ୍ତି ଛୋଟେ ଝାଡ଼ଖଣ୍ଡ ବାବା (ପଛରେ ଚ଼ାଲିଛନ୍ତି) ।
ଦିନକୁ ଦିନ ଭାରତରେ ‘‘ହିନ୍ଦୁତ୍ୱ’’କୁ ନେଇ ଅନେକ ବିବାଦ ଦେଖାଦେଉଛି ଓ ‘‘ଅଖଣ୍ଡ ଭାରତ’’ ପାଇଁ ସନାତନ ଧର୍ମର ସୁରକ୍ଷା ଆବଶ୍ୟକ ବୋଲି କହିଛନ୍ତି ଛୋଟେ ଝାଡ଼ଖଣ୍ଡ ବାବା । ‘‘ସନାତନ ଧର୍ମର ସୁରକ୍ଷା ପାଇଁ ସାଧୁସନ୍ଥମାନଙ୍କର ରହିଛି ଦାୟିତ୍ୱ । ତେଣୁ ପ୍ରଥମେ ଚ଼ାରି ଧାମ ସୁରକ୍ଷିତ ରଖିବାକୁ ପଡିବ । ତା’ ପରେ ସାରା ଦେଶର ସାଧୁସନ୍ଥମାନେ ଏ ଦିଗରେ ଆଗେଇ ଆସିବେ । ବର୍ତ୍ତମାନ ଦେଶରେ ଧର୍ମ ରକ୍ଷା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ତା’ର ନିଦର୍ଶନ ହେଉଛି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମ କୋର୍ଟଙ୍କ ରାୟ । ତେଣୁ ରାମ ମନ୍ଦିର ନିର୍ମାଣ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପୁରୀରୁ ପଦଯାତ୍ରାରେ ବଡ଼େ ଝାଡ଼ଖଣ୍ଡ ବାବାଙ୍କ ସହ ମୁଁ ବାହାରିଛି,’’ କହିଛନ୍ତି ଛୋଟେ ଝାଡଖଣ୍ଡ ବାବା ।
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାଶ ମହାପାତ୍ର କହିଛନ୍ତି: ‘‘ସନାତନ ଧର୍ମର ମୁଖ୍ୟ ହେଉଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ସେ ଯେମିତି ଚ଼ାରି ଧାମର ସୁରକ୍ଷା ଓ ଧାର୍ମୀୟ ବ୍ୟବସ୍ଥାକୁ ଅକ୍ଷୁର୍ଣ ରଖିବାକୁ କାର୍ଯ୍ୟ କରୁଛନ୍ତି, ସେମିତି ସାଧୁସନ୍ଥମାନେ ମଧ୍ୟ ଏହାର ପ୍ରଚ଼ାର ପ୍ରସାର ପାଇଁ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟ କଲେ ଭାରତ ପାଇଁ ବେଶ୍ ସହାୟକ ହେବ’’ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।