ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଓପନ ଇଣ୍ଟରନ୍ୟାସନାଲ ଗେମ ୨୦୨୧: ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କଲେ ଦୁଇ ଓଡ଼ିଆ ପୁଅ

ଓପନ ଇଣ୍ଟରନ୍ୟାସନାଲ ଗେମ ୨୦୨୧: ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କଲେ ଦୁଇ ଓଡ଼ିଆ ପୁଅ

ନେପାଳରେ ଚାଲିଥିବା ଓପନ୍ ଇଣ୍ଟରନ୍ୟାସ୍ନାଲ୍ ଗେମରେ ବ୍ରହ୍ମପୁରର ଦୁଇ ଓଡ଼ିଆ ପ୍ରତିଯୋଗୀ କମାଲ କରିଛନ୍ତି । ବ୍ରହ୍ମପୁରର ଦୁଇ ଓଡ଼ିଆ ପୁଅ ବକ୍ସିଂରେ ପଦକ ଜିତି ଓଡ଼ିଶାର ଗର୍ବ ବଢାଇଛନ୍ତି।

ଓପନ ଇଣ୍ଟରନ୍ୟାସନାଲ ଗେମ ୨୦୨୧: ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ହାସଲ କଲେ ଦୁଇ ଓଡ଼ିଆ ପୁଅ
ନେପାଳରେ ଓପନ୍ ଇଣ୍ଟରନ୍ୟାସ୍ନାଲ୍ ଗେମରେ ଦୁଇ ଓଡ଼ିଆ ପୁଅ ନାମ କରିଛନ୍ତି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 28, 2021, 6:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ହୋଇଥିବା ଓପେନ୍‌ ଇଣ୍ଟରନ୍ୟାସ୍‌ନାଲ୍‌ ଗେମ୍‌ ୨୦୨୧ରେ ବକ୍ସିରେ ବ୍ରହ୍ମପୁରର ଦୁଇ ପ୍ରତିଯୋଗୀ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ସେମାନେ ହେଉଛନ୍ତି ପ୍ରମୋଦ ଆପଟ ଓ ଦୁର୍ଗା ପ୍ରସାଦ ଦାସ।

ଗତ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ କାଠମାଣ୍ଡୁରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ବ୍ରହ୍ମପୁରର ଦୁଇ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ମୋଟ ୫ଟି ଦେଶ ଭାଗ ନେଇଥିବା ବେଳେ ବକ୍ସିଂରେ ଶ୍ରେଷ୍ଠ ପ୍ରଦର୍ଶନ କରି ଭାରତ ପାଇଁ ସ୍ବର୍ଣ୍ଣ ଆଣିଛନ୍ତି ବ୍ରହ୍ମପୁରର ପ୍ରମୋଦ ଆପଟ ଓ ରୌପ୍ୟ ଆଣିଛନ୍ତି ଦୁର୍ଗା ପ୍ରସାଦ ଦାସ । ବିଜୟ ଲାଭ କରି ଆଜି ବ୍ରହ୍ମପୁରରେ ପହଞ୍ଚିବା ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆଗାମୀ ଦିନରେ କମନ୍‌ଓ୍ବେଲଥ୍‌ ଗେମ୍‌ ଖେଳି ସେଥିରେ ମଧ୍ୟ କୃତକାର୍ଯ୍ୟ ହେବାର ଦୁହେଁ ଲକ୍ଷ୍ୟ ରଖିଛନ୍ତି ।

ପ୍ରମୋଦ ବ୍ରହ୍ମପୁର ସହରର ବ୍ରହ୍ମପଲ୍ଲୀର ଓ  ଦୁର୍ଗା ପ୍ରସାଦ ଦାସ ଖୋଡ଼ାସିଙ୍ଗର ବସିନ୍ଦା ଅଟନ୍ତି। ଗତ ୨୨ରୁ ୨୬ ତାରିଖ ମଧ୍ୟରେ ନେପାଳର କାଠମାଣ୍ଡୁରେ ଓପେନ୍‌ ଇଣ୍ଟରନେସ୍‌ନାଲ୍‌ ଗେମ୍‌ ଅନୁଷ୍ଠିତ ହୋଇଥିଲା। ସାଉଥ୍‌ ଏସିଆନ୍‌ ଫେଡ଼ରେସନ୍‌ ଅଫ୍ ଆଲ୍‌ ସ୍ପୋର୍ଟସ୍‌ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ସମେତ ଭୋପାଳ, ନେପାଳ, ଶ୍ରୀଲଙ୍କା ଓ ବାଲାଂଦେଶ ଭଳି ଅନ୍ୟ ୫ଟି ଦେଶର ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । ଭାରତର ବକ୍ସି ବିଭାଗରେ ମୋଟ ୭ ଜଣ ପୁରୁଷ ଓ ୩ ଜଣ ମହିଳା ପ୍ରତିଯୋଗିତାରେ ଭାଗ ନେଇଥିଲେ ।

ବକ୍ସିଂର ୫୨-୫୭ ବିଭାଗରେ ଭାରତ ପକ୍ଷରୁ ବ୍ରହ୍ମପୁରର ପ୍ରମୋଦ ଆପଟ ଖେଳିଥିଲେ । ପ୍ରଥମେ ପ୍ରମୋଦ ଭୁଟାନ, ପରେ ନେପାଳ ଓ ଶେଷରେ ଶ୍ରୀଲଙ୍କାର ପ୍ରତିଦ୍ବନ୍ଦିକୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। "ମୁଁ ପ୍ରତିଦିନ ପ୍ରାୟ ୪ ଘଣ୍ଟା ଅଭ୍ୟାସ କରିବା ପରେ ଏହି ସଫଳତା ମିଳିଛି । ଆଗାମୀ ଦିନରେ କମନଓ୍ବେଲଥ୍ ଓ ଏସିଆନ୍‌ ଗେମ୍‌ରେ ଭାଗ ନେଇ ସେଠାରେ ସଫଳତା ଆଣିବି,"କହିଛନ୍ତି ସ୍ବର୍ଣ୍ଣ ପଦକ ହାସଲ କରିଥିବା ପ୍ରମୋଦ।

ଓପନ ଇଣ୍ଟରନ୍ୟାସନାଲ ଗେମରେ ବକ୍ସିଂରେ ରୌପ୍ଯ ଜିତିଛନ୍ତି ଦୁର୍ଗା ପ୍ରସାଦ ଦାସ


ପ୍ରମୋଦଙ୍କ ଭଳି ବ୍ରହ୍ମପୁର ସ୍ଥିତ ଖୋଡ଼ାସିଙ୍ଗର ଦୁର୍ଗା ପ୍ରସାଦ ଦାସ ମଧ୍ୟ ଏହି ଓପନ୍‌ ଇଣ୍ଟରନେସନାଲ୍‌ ଗେମ୍‌ରେ ଭାଗ ନେଇଥିଲେ । ଦୁର୍ଗା ୪୯-୫୨ ବିଭାଗରେ ବକ୍ସିଂ ଖେଳିଥିଲେ । ଦୁର୍ଗା ପ୍ରଥମେ ନେପାଳକୁ ହରାଇଥିଲେ । ଏହାପରେ ସେ ଭୁଟାନ ସହ ଖେଳିଥିଲେ । କିନ୍ତୁ ଭୁଟାନକୁ ହରାଇବା ତାଙ୍କ ପକ୍ଷରେ ସମ୍ଭବପର ହୋଇପାରିନଥିଲା ।

‘‘ରୌପ୍ୟ ପଦକ ପାଇଥିଲେ ସୁଦ୍ଧା ସେ ବେଶ୍‌ ଖୁସି ଅଛି। ଆଗାମୀ ଦିନରେ ଆହୁରି ଅଧିକ ଭଲ ଭାବେ ଅଭ୍ୟାସ କରିବା ସହିତ ଅନ୍ତର୍ଜାତୀୟ ସ୍ତରରେ ହେଉଥିବା ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିବି," କହିଛନ୍ତି ରୌପ୍ୟ ହାସଲ କରିଥିବା ଦୁର୍ଗା ପ୍ରସାଦ ଦାସ ।

ଏହି ଦୁଇ ପ୍ରତିଯୋଗୀ ମାନେ ବ୍ରହ୍ମପୁର ଇଣ୍ଡଷ୍ଟ୍ରିଆଲ୍‌ରେ ରହିଥିବା ଏକ ଷ୍ଟ୍ରାଜ୍ ଫିଟନେସ୍ ଜିମ୍‌ରେ ଟ୍ରେନିଂ ନେଉଥିଲେ । ଦୁଇ ଜଣ ନେପାଳରେ ଅନୁଷ୍ଠିତ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପରେ ଆଜି ବ୍ରହ୍ମପୁରକୁ ଫେରିଥିଲେ । ଦୁହିଁଙ୍କୁ ଷ୍ଟ୍ରାଜ୍‌ ଫିଟନେସ୍‌ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଆପଟ


‘‘ଦୁହେଁ ଜିମ୍‌ରେ ଅଧିକ ସମୟ ଟ୍ରେନିଂ ନେବା ସହିତ ବହୁ ନିଷ୍ଠାର ସହିତ ଅଭ୍ୟାସ କରୁଥିଲେ । ଯାହାଫଳରେ ସେମାନେ ପ୍ରତିଯୋଗିତାରେ ଭାଗ ନେବା ସମୟରେ ହିଁ ଜଣାପଡ଼ୁଥିଲେ ନିଶ୍ଚିତ ଭାବେ ସଫଳତା ପାଇବେ। ଦୁହିଁଙ୍କ ଏହି ସଫଳତା ଯୋଗୁଁ ଆଜି କେବଳ ଜିମ୍‌ର ସଦସ୍ୟ ନୁହେଁ ବରଂ ବ୍ରହ୍ମପୁର ବାସିନ୍ଦା ଗର୍ବିତ,‘‘ କହିଛନ୍ତି ଷ୍ଟ୍ରାଜ୍ ଫିଟନେସ ଜିମର ମାଲିକ ଗଣେଶ ଚନ୍ଦ୍ର ଦାସ ।

ବ୍ରହ୍ମପୁରର ଦୁଇ ଜଣ ପ୍ରତିଯୋଗି ଏଭଳି ସଫଳତା ଆଣିବା ପରେ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଆଗାମୀ ଦିନରେ ନିଶ୍ଚିତ ଭାବେ ଆହୁରି ଭଲ ଖେଳ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶାବାଦୀ ।
Published by: Soumya Das
First published: September 28, 2021, 6:29 PM IST