ବେଆଇନ ଲିଙ୍ଗ ନିରୂପଣ ମାମଲା: ୨ କର୍ମଚାରୀଙ୍କ ପରେ ଗିରଫ ହେଲେ ଆଉ ୨ ଜଣ ଦଲାଲ

ବେଆଇନ ଲିଙ୍ଗ ନିରୂପଣ କରିବା ଅଭିଯୋଗରେ ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି କଟକ ଆଲଫା ହେଲ୍ଥ କେୟାରର ଦୁଇ ଜଣ କର୍ମଚାରୀ। ଆଉ ଏବେ ଦୁଇ ଦଲାଲଙ୍କୁ ଗିରଫ କରିଛି ପୋଲିସ।

ବେଆଇନ ଲିଙ୍ଗ ନିରୂପଣ ମାମଲାରେ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ

ବେଆଇନ ଲିଙ୍ଗ ନିରୂପଣ ମାମଲାରେ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ

  • Share this:
News18 Odia Digital

କଟକ: ମଙ୍ଗଳବାର ଦିନ ବେଆଇନ ଲିଙ୍ଗ ନିରୂପଣ କରିବା ଅଭିଯୋଗରେ ଗରିଫ ହୋଇ ଜେଲ ଯାଇଥିଲେ କଟକ ମଙ୍ଗଳାବାଗ ସ୍ଥିତ ଆଲଫା ହେଲ୍ଥ କେୟାରର ଦୁଇ ଜଣ କର୍ମଚାରୀ। ସେହିପରି ଆଉ ଦୁଇ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତି ଦୁଇ ଜଣ ହେଉଛନ୍ତି ହୃଷିକେଶ ସାହୁ ଓ ସନ୍ତୋଷ ଲେଙ୍କା। ହୃଷିକେଶ ସାହୁ ଔଷଧ ଦୋକାନୀ ଓ ସନ୍ତୋଷ ଲେଙ୍କା ପ୍ରାଇମ ଡାଇଗ୍ନୋଷ୍ଟିକ ନାମକ ଏକ ଘରୋଇ କ୍ଲିନିକ୍ ଚଳାଉଥିଲେ।

ଏହା ସହିତ ଏହି ବେଆଇନ କାର୍ଯ୍ୟରେ ବ୍ୟବହାର ହେଇଥିବା ଅଲ୍ଟ୍ରାସାଉଣ୍ଡ ମେସିନ ସହିତ ସମ୍ପୃକ୍ତ ଡାଗ୍ନୋସିକ ସେଣ୍ଟରରେ ଥିବା ବହୁ କାଗଜପତ୍ରକୁ ମଧ୍ୟ ଜବତ କରିଛି ପୋଲିସ । ତେବେ ଏହି ଗିରଫଦାରୀ ଘଟଣା ପରେ ଲିଙ୍ଗ ନିରୂପଣ ରାକେଟକୁ ନେଇ ବହୁତ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି।

ଏହି କ୍ରମରେ ସାମନାକୁ ଆସିଥିଲା ଏହି ରାକେଟର ପର୍ଦ୍ଦା ଫାସ କରିବା ପାଇଁ କରାଯାଇଥିବା ଷ୍ଟିଙ୍ଗ୍ ଅପରେସନର ଭିଡିଓ। ଏହି ଷ୍ଟିଙ୍ଗ୍ ଅପରେସନର ଗୋଟିଏ ଭିଡିଓରେ ଜଣେ ଗର୍ଭବତୀ ମହିଳାଙ୍କ ଭୃଣକୁ ଚିହ୍ନଟ କରିବା ପରେ ତାହା ଝିଅ ଟିଏ ବୋଲି କହୁଛନ୍ତି ଆଲଫା ହେଲ୍ଥ କେୟାରର ଟେକ୍ନିସିଆନ୍। ଆଉ ଏକ ଭିଡ଼ିଓରେ ଅନ୍ୟ ଜଣେ ମହିଳାଙ୍କ ଭୃଣକୁ ଯାଞ୍ଚ କରିବା ପରେ ତାଙ୍କ ଗର୍ଭସ୍ଥ ଭୃଣଟି ଏକ ପୁତ୍ର ସନ୍ତାନ ବୋଲି ମଧ୍ୟ କୁହଯାଇଥିଲା। ଏପରି କି ଅଲ୍ଟ୍ରାସାଉଣ୍ଡ ମେସିନର ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ଦେଖାଇ ଏହା କହୁଛନ୍ତି ସମ୍ପୃକ୍ତ ଡାଇଗ୍ନେଷ୍ଟିକ ସେଣ୍ଟରର ଟେକ୍ନିସିଆନ୍।

କଥା କେବଳ ଏତିକିରେ ଅଟକ ଯାଇନାହିଁ। ମଙ୍ଗଳାବାଗ ଠାରେ ଚାଲିଥିବା ବେଆଇନ ଲିଙ୍ଗ ନିରୂପଣ ଓ ଗର୍ଭପାତ ରାକେଟକୁ ନେଇ ଆସିଛି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ। ବେଆଇନ ଲିଙ୍ଗ ନିରୂପଣ କରୁଥିବା ଆଲଫା ହେଲ୍ଥ କେୟାର ସେଠାରେ ପ୍ରାୟ ପାଞ୍ଚ ବର୍ଷ ହେଲା କାର୍ଯ୍ୟ କରୁଥିଲା । ସେଠାରେ ବେଆଇନ ଭାବେ ଲିଙ୍ଗ ନିରୂପଣ ଚାଲୁଥିବା ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପାଖରେ ମଧ୍ୟ ସୂଚନା ଥିଲା। ଏପରିକି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପୂର୍ବରୁ ସେଠାରେ ଦୁଇ ଦୁଇ ଥର ଚଢ଼ାଉ କରିବାକୁ ଯାଇଥିଲେ ମଧ୍ୟ ଖାଲି ହାତରେ ଫେରିଥିଲା। କାରଣ ଏହି ଚଢ଼ାଉ ବିଷୟରେ ଜାଣିପାରି ଡାଇଗ୍ନୋଷ୍ଟିକ ସେଣ୍ଟର କର୍ମଚାରୀମାନେ ସମ୍ପୃକ୍ତ କୋଠାର ପଛପଟ ଗେଟ ବବାଟ ଦେଇ ଉପସ୍ଥିତ ଥିବା ସମସ୍ତ ମହିଳାମାନଙ୍କୁ ଫେରାର କରାଇ ଦେଉଥିଲେ। ଏକଥାକୁ ନିଜେ ସ୍ବୀକାର କରିଛି କଟକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ।

"ଆମେ ପୂର୍ବରୁ ମଧ୍ୟ ଦୁଇ ଥର ଚେଷ୍ଠା କରିଥିଲୁ କିନ୍ତୁ ସେହି ଡାଇଗ୍ନୋଷ୍ଟିକ ସେଣ୍ଟର କର୍ମଚାରୀମାନେ ଆମକୁ ଚକମା ଦେଖାଇ ପରୀକ୍ଷା ପାଇଁ ସେଠାକୁ ଆସିଥିବା ଲୋକଙ୍କୁ ପଛପଟ ଗୋଟ ଦେଇ ବିଦା କରି ଦେଇଥିଲେ । ସେଥିପାଇଁ ପୋଲିସର ସହଯୋଗରେ ଏହି ଚଢ଼ାଉ କରାଯାଇଥିଲା । ଏହି ଡାଇଗ୍ନୋଷ୍ଟିକ ସେଣ୍ଟରକୁ ଧରି ଆମେ ତା'ର ଚେର ପର୍ଯ୍ୟନ୍ତ ଯିବୁ ଗୋଟିଏ ମାସ ଭିତରେ ସେହି ଚେରକୁ ଓପାଡ଼ି ଫୋପାଡିବୁ," କହିଥିଲେ କଟକ ଜିଲ୍ଲା ସହକାରୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଉମେଶ ରାୟ।

ସେପଟେ ବେଆଇନ ଭାବେ ଲିଙ୍ଗ ନିରୂପଣ କରିବା ନେଇ ଆଇପିସିର ଧାରା ୪୧୯, ୪୨୦, ୩୪ ଓ PNDP ଆଇନର ଧାରା ୨୨ ଓ ୨୩ରେ ଏକ ମାମଲା ରୁଜୁ କରିଛି ମଙ୍ଗଳାବାଗ ଥାନା ପୋଲିସ । ଏହି କ୍ରମରେ ସମ୍ପୃକ୍ତ ଡାଇଗ୍ନୋଷ୍ଟିକର ଟେକ୍ନିସିଆନ ପ୍ରସନ୍ନ ସାହୁ ଓ ଅନ୍ୟଜଣେ କର୍ମଚାରୀ ବସନ୍ତ ବର୍ଦ୍ଧନକୁ ଗିରଫ କରି କୋର୍ଟ ଚାଲାଣ କରଥିଲା। ପୋଲିସର ପ୍ରାଥମିକ ତଦନ୍ତରୁ ମଙ୍ଗଳାବାଗର ଏହି ଡାଇଗ୍ନୋଷ୍ଟିକ ସେଣ୍ଟର ହେଉଛି ଏହି ବେଆଇନ କାରବାରର ମୂଳ କେନ୍ଦ୍ର ଓ ଏହାର ଚେର କଟକ ସହର ତଥା ରାଜ୍ୟ ବିଭିନ୍ନ ସ୍ଥାନରେ ଥିବା ନର୍ସିଂହୋମ ପର୍ଯ୍ୟନ୍ତ ଲମ୍ବି ନେଇ ପୋଲିସ ହାତରେ ଠୋସ ପ୍ରମାଣ ମଧ୍ୟ ଲାଗିଛି।

ଏହା ବ୍ୟତିତ ଅଲ୍ଟ୍ରାସାଉଣ୍ଡ ମେସିନର ବ୍ୟବହାର ପାଇଁ ଆବଶ୍ୟକିୟ ଅନୁମତି ଦରକାର ହୋଇଥାଏ । ସେହି ସବୁ ପ୍ରମାଣ ପତ୍ର ବିନା କେହିବି ଅଲ୍ଟ୍ରା ସାଉଣ୍ଡ ମେସିନ ବ୍ୟବହାର କରିପାରିବ ନାହିଁ କିମ୍ବା ସ୍ବୀକୃତି ପାଇ ନ ଥିବା କୌଣସି ସଂସ୍ଥା ବା ଡାଇଗ୍ନୋଷ୍ଟିକ ସେଣ୍ଟରକୁ କୌଣସି କମ୍ପାନୀ ନିଜର ଅଲ୍ଟ୍ରାସାଉଣ୍ଡ ମେସିନ୍ ବିକ୍ରି କରି ପାରିବେ ନାହିଁ କିମ୍ବା ଲିଜ ସୂତ୍ରରେ ମଧ୍ୟ ଦେଇ ପାରିବେନାହିଁ । ତେବେ ବେଆଇନ ଭାବେ ବା ବିନା କୌଣସି କାଗଜପତ୍ରରେ ଚାଲୁଥିବା ଏହି ଡାଇଗ୍ନୋଷ୍ଟିକ ସେଣ୍ଟର ଚଲାଉଥିବା ଲୋକଙ୍କୁ ଏକ ନିର୍ଦ୍ଧିଷ୍ଟ ଏଜେନ୍ସି ଠାରୁ ଏହି ପ୍ରୋଟେବୁଲ ଅଲ୍ଟ୍ରାସାଉଣ୍ଡ ମେସିନକୁ ଭଡ଼ା ସୂତ୍ରରେ ଆଣିଥିବା କଥା ପୋଲିସ ତଦନ୍ତରୁ ଜଣା ପଡ଼ିଛି।
Published by:Lipina Das
First published: