News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀର ପଟିଆ ରେଲୱେ ଷ୍ଟେସନରେ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ଅଭିଯୁକ୍ତ କାହ୍ନା ଓରଫ କୃଷ୍ଣ ମଲିଆକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତର ଘର ବାଙ୍କୀ ଅଞ୍ଚଳରେ ହୋଇଥିବା ବେଳେ କମିଶନରେଟ ପୋଲିସ ସହାୟତାରେ କାହ୍ନାକୁ ଗିରଫ କରିଛି GRP ପୋଲିସ।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ କାହ୍ନା ପଟିଆ ଅଞ୍ଚଳରେ ଥିବା ଏକ ମାଛ ଦୋକାନରେ କାମ କରେ। ତେଣୁ ସେ ପୂର୍ଵରୁ ସେ ଅଞ୍ଚଳରେ ବେଶ୍ ପରିଚିତ ଥିଲା। ଏହି ଘଟଣାରେ ଆଉ କିଛି ଯୁବକଙ୍କ ସମ୍ପୃକ୍ତି ଥିବାବେଳେ ସେମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ପୋଲିସ। ସେପଟେ ଆଜି ଦୁଇ ନାବାଳିକାଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ଜଣା ପଡ଼ିଛି।
ସୂଚନାଯୋଗ୍ୟ, ଗତ ସୋମବାର ପଟିଆ ଅଞ୍ଚଳର ଦୁଇ ଜଣ ନାବାଳିକାଙ୍କୁ ଅପହରଣ ପରେ ରାତି ସାରା ହାତ ଗୋଡ଼ ବାନ୍ଧି ଗଣ ଦୁଷ୍କର୍ମ କରାଯାଇଥିଲା। ଜଣେ ପୀଡିତାଙ୍କ ବୟସ ୧୨ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ମାତ୍ରା ୧୪ବର୍ଷ। ସେମାନେ ନିଜ ପରିବାର ସହିତ ପାଟିଆ ଅଞ୍ଚଳରେ ରୁହନ୍ତି। ଦୁଷ୍କର୍ମ ପରେ ଏ କଥା ଅନ୍ୟମାନଙ୍କୁ ଜଣାଇଲେ ସେମାନଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ ଅଭିଯୁକ୍ତ।
ମଙ୍ଗଳବାର ସକାଳେ ଦୁଇ ଝିଅଙ୍କୁ ଛାଡ଼ି ଦେଇଥିଲେ ଦୁର୍ବୁତ୍ତ। ଘରେ ପହଞ୍ଚିବା ପରେ ସେମାନେ ନିଜ ପରିବାର ସଦସ୍ୟଙ୍କୁ ସେମାନଙ୍କର ଭୟଙ୍କର ଘଟଣା ବାବଦରେ ସବୁକିଛି ଜଣାଇଥିଲେ। ଯେତେବେଳେ ପରିବାର ସଦସ୍ୟ ଦୁଷ୍କର୍ମକାରୀଙ୍କୁ ପଚାରିଲେ ସେମାନେ ଏହି ଖବରକୁ ସର୍ବସାଧାରଣରେ ନଜଣାଇବାକୁ ସେମାନଙ୍କୁ କିଛି ଟଙ୍କା ଦେବାକୁ ଚେଷ୍ଟା କରିଥିଲେ। ଏନେଇ ଚାଇଲ୍ଡ ଲାଇନ ଖବର ପାଇବା ପରେ ଦୁଇ ପୀଡିତା ଓ ସେମାନଙ୍କ ପରିବାର ଲୋକଙ୍କୁ ନେଇ ଜିଆଆରପି ଥାନାରେ ଅଭିଯୋଗ କରିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।