ଭୁବନେଶ୍ବରରେ ହୋଇଥିବା ୨ ଦିନିଆ ସେରୋ ସର୍ଭେକୁ ନେଇ ପ୍ରଶ୍ନବାଚୀ; ଅଧିକ ନମୁନା ସଂଗ୍ରହ ଉପରେ ଗୁରୁତ୍ବ
ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ମାତ୍ର ଦୁଇ ଦିନ ଭିତରେ ସୀମିତ ଥିଲା ସେରୋ ସର୍ଭେ କାର୍ଯ୍ୟକ୍ରମ । ଅଗଷ୍ଟ ୩୧ ଓ ସେପ୍ଟେମ୍ବର ପହିଲାରେ ମାତ୍ର ପାଞ୍ଚଟି ୱାର୍ଡ଼ରେ ଏହି କରାଯାଇଥିଲା ନମୁନା ପରୀକ୍ଷା ।
ଭୁବନେଶ୍ବରରେ ହୋଇଥିବା ୨ ଦିନିଆ ସେରୋ ସର୍ଭେକୁ ନେଇ ପ୍ରଶ୍ନବାଚୀ
- News18 Odia
- Last Updated: September 4, 2021, 9:46 AM IST
ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଥିବା ସେରୋ ସର୍ଭେକୁ ନେଇ ଉଠିଛି ପ୍ରଶ୍ନ । ବିଶେଷ କରି ତୃତୀୟ ସଂକ୍ରମଣ ପୂର୍ବରୁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ସେରୋ ସର୍ଭେ ଆରମ୍ଭ ହୋଇଥିବା ବେଳେ ଏଥିରେ ସାମିଲ ହେଉଥିବା ସ୍ୱଳ୍ପ ସଂଖ୍ୟକ ନମୁନାକୁ ନେଇ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଭୟ ସାମାଜିକକର୍ମୀ ଓ ଡ଼ାକ୍ତରଙ୍କ ମତରେ ଭୁବନେଶ୍ୱର ଭଳି ସହରରେ ପ୍ରାୟ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ବାସିନ୍ଦା ଅଛନ୍ତି, କିନ୍ତୁ ଏଠି ମାତ୍ର ପାଞ୍ଚଟି ୱାର୍ଡ଼ରେ ସର୍ଭେ ହେଉଥିବା ବେଳେ ମୋଟ ଉପରେ ରାଜ୍ୟର ୧୨ଟି ଜିଲାରେ ଏହା ସୀମିତ ରହିଛି । ଏହାଦ୍ୱାରା ସଠିକ୍ ତଥ୍ୟ ସାମ୍ନାକୁ ଆସି ପାରିବ ନାହିଁ ବୋଲି ମତ ପ୍ରକାଶ ପାଇଛି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ମାତ୍ର ଦୁଇ ଦିନ ଭିତରେ ସୀମିତ ଥିଲା ସେରୋ ସର୍ଭେ କାର୍ଯ୍ୟକ୍ରମ । ଅଗଷ୍ଟ ୩୧ ଓ ସେପ୍ଟେମ୍ବର ପହିଲାରେ ମାତ୍ର ପାଞ୍ଚଟି ୱାର୍ଡ଼ରେ ଏହି କାର୍ଯ୍ୟକ୍ରମ ସୀମିତ ରହିଥିଲା, ଯାହାକି ମାତ୍ର ୫୦୦ ସାମ୍ପୁଲ ଭିତରେ ସୀମିତ ରଖାଯାଇଥିଲା ।
ସାମାଜିକକର୍ମୀ ସଞ୍ଜୟ ବଳିୟାର ସିଂଙ୍କ ମତରେ, ‘‘କୋଭିଡ଼ର ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଏଭଳି ସେରୋ ସର୍ଭେ କାର୍ଯ୍ୟକ୍ରମ କରାଯାଇଛି, ଯାହାର ଉଦ୍ଦେଶ୍ୟ ମହତ୍ବ । ହେଲେ ଏଥିରେ ଯେତିକି ସଂଖ୍ୟକ ନମୁନା ରଖାଯାଉଛି ତାହା ନଗନ୍ୟ । ୧୫ ଲକ୍ଷରୁ ଊର୍ଦ୍ଧ୍ୱ ବାସିନ୍ଦାଙ୍କ ଭିତରୁ ମାତ୍ର ୫୦୦ ନମୁନା ସଂଗ୍ରହକୁ ଗୁରୁତ୍ୱ ଦିଆଯିବା ଯଥେଷ୍ଟ ନୁହେଁ । ଏହା ଦ୍ୱାରା ବାସ୍ତବ ତଥ୍ୟ ଅଜଣା ହୋଇ ରହିଯିବ । ତେଣୁ ତୃତୀୟ ଲହର ପୂର୍ବରୁ ସରକାରୀ ପ୍ରସ୍ତୁତିରେ ଏହା ସହାୟକ ହୋଇପାରିବ ନାହିଁ ।’’

ରଜଧାନୀରେ ସେରୋ ସର୍ଭେ
ଅନ୍ୟପକ୍ଷେ ଓମ୍ସାର ପୂର୍ବତନ ସଭାପତି ଡ଼ାକ୍ତର ମଧୁସୂଦନ ମିଶ୍ରଙ୍କ ଅନୁଯାୟୀ, ‘‘ସେରୋ ସର୍ଭେରେ ଯଦି ୭୦ ପ୍ରତିଶତ ନମୁନାକୁ ଅବଲୋକନ କରାଯାଏ,ତେବେ ପ୍ରକୃତରେ କେତେ ଲୋକଙ୍କ ଭିତରେ ଆଣ୍ଟିବଡ଼ି ତିଆରି ହୋଇପାରିଛି, ତାହା ସାମ୍ନାକୁ ଆସିପାରନ୍ତା । ହେଲେ ସ୍ୱଳ୍ପ ସଂଖ୍ୟକ ନମୁନାକୁ ଗୁରୁତ୍ୱ ଦେବା ଯଥାର୍ଥ ନୁହେଁ । ଏହା ଦ୍ବାରା ଅନେକ ତଥ୍ୟ ଅନାଲୋଚିତ ହୋଇ ରହିଯିବ । ଯେଉଁ ଉଦ୍ଦେଶ୍ୟ ରଖି ସେରୋ ସର୍ଭେ ହେଉଛି ସେ ଉଦ୍ଦେଶ୍ୟ ସାଧିତ ହେବ ନାହିଁ।’’
ଏକ୍ସପର୍ଟ ତଥା ଜୀଵ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡ଼ଃ ସନ୍ଦୀପ ମିଶ୍ର କହିଛନ୍ତି, ‘‘ପ୍ରତି ଅନୁଶୀଳନ ପଦ୍ଧତିର ଏକ ନିର୍ଦ୍ଧିଷ୍ଟ ନିୟମ ରହିଛି । ସେହି ଆଧାରରେ ସେରୋ ସର୍ଭେରେ କମ୍ ସଂଖ୍ୟକ ନମୁନାକୁ ଗୁରୁତ୍ୱ ଦିଆଯାଇଛି । ହେଲେ ଏହି କଥା ସତ ଯଦି ଅଧିକ ସଂଖ୍ୟକ ନମୁନାକୁ ସେରୋ ସର୍ଭେ ଭଳି ଯେ କୌଣସି ସର୍ଭେରେ ସାମିଲ କରାଯିବ ଏଥିରୁ ବାହାରୁଥିବା ନିଷ୍କର୍ଷ ଅଧିକ ତଥ୍ୟଯୁକ୍ତ ଓ ସମୟୋପଯୋଗୀ ହୋଇପାରିବ । ସେ ଦୃଷ୍ଟିରୁ ଭୁବନେଶ୍ୱର ଭଳି କ୍ରମବର୍ଦ୍ଧିଷ୍ଟୁ ସହରରେ ସେରୋ ସର୍ଭେରେ ଅଧିକ ନମୁନା ପାଇଁ ଗୁରୁତ୍ୱ ଦିଆଯିବାର ଯଥାର୍ଥତା ରହିଛି ।’’
ଅଧିକାଂଶ ଏକ୍ସପର୍ଟଙ୍କ ମତରେ, ବିଭିନ୍ନ ସର୍ଭେ ଦ୍ୱାରା ଅନେକ ଅନାଲୋଚିତ ତଥ୍ୟ ସାମ୍ନାକୁ ଆସିଥାଏ । ଠିକ୍ ସେହି ଧାରାରେ ସେରୋ ସର୍ଭେ ମଧ୍ୟ କିଛି ନିର୍ଦ୍ଧିଷ୍ଟ ତଥ୍ୟ ପାଇଁ ଉଦିଷ୍ଟ । ତେଣୁ ଏଥିରେ ଯଦି ଅଧିକ ନମୁନା ସାମିଲ କରାଯାଏ ଅଧିକ ବାସ୍ତବତା ତଥ୍ୟ ସାମ୍ନାକକୁ ଆସିବ । ହେଲେ ଏଥି ପାଇଁ ଲୋକ ସମ୍ବଳ, ସମୟ ଓ ଆର୍ଥିକ ଅନୁଦାନର ଆବଶ୍ୟକତା ରହିଛି।






