କଟକ ବିଷାକ୍ତ ଔଷଧ ମାମଲା: ପୋଲିସ କବଜାରେ ଦୁଇ ବିହାରୀ ବ୍ୟବସାୟୀ

ବିଷାକ୍ତ ଔଷଧ ଯୋଗାଣ କରିଥିବା ଦୁଇ ଜଣ ବିହାରୀ ବ୍ୟବସାୟୀଙ୍କୁ ଚିହ୍ନଟ କରିଛି ପୋଲିସ । ଏହି ଔଷଧକୁ ପ୍ରସ୍ତୁତ କରୁଥିବା ମୂଳ ଉତ୍ପାଦକ ଓ କମ୍ପାନୀ ବାବଦରେ ଖୋଳତାଡ଼ ଆରମ୍ଭ ହୋଇଛି।

ପୋଲିସ କବଜାରେ ଦୁଇ ବିହାରୀ ବ୍ୟବସାୟୀ (ପ୍ରତୀକାତ୍ମକ ଛବି)

ପୋଲିସ କବଜାରେ ଦୁଇ ବିହାରୀ ବ୍ୟବସାୟୀ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଟକ: କଟକର ଚାଲାଣ ହୋଇଥିବା ନକଲି ତଥା ବିଷାକ୍ତ ଔଷଧ ଚାଲଣ ଚେର ଖୋଜିବା ପାଇଁ ଜାରି ରହିଛି ତଦନ୍ତ । ଏହି କ୍ରମରେ କଟକର ଦୁଇ ଡ୍ରଗିଷ୍ଟଙ୍କୁ ବିଷାକ୍ତ ଔଷଧ ଯୋଗାଣ କରିଥିବା ଦୁଇ ଜଣ ବିହାରୀ ବ୍ୟବସାୟୀଙ୍କୁ ଚିହ୍ନଟ କରିଛି ପୋଲିସ । ଉଭୟଙ୍କୁ ପଚରା ଉଚରାରୁ ବିଷାକ୍ତ ଔଷଧ କାରବାର ସମ୍ପର୍କରେ ପୋଲିସକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଛି ।

ବିହାରର ଗୟା ଅଞ୍ଚଳରେ ରେଡ଼ କରି ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରିଛି କଟକ କମିଶନରେଟ ପୋଲିସ । ପୋଲିସ କବଜାରେ ଥିବା ସେହି ଦୁଇ ବ୍ୟବସାୟୀ ହିଁ କଟକର ଦୁଇ ଡ୍ରଗିଷ୍ଟ ରାହୁଲ କ୍ୟାଲ ଓ ସଞ୍ଜୟ ଜାଲାନଙ୍କୁ ଔଷଧ ଯୋଗାଇଥିବା ସ୍ପଷ୍ଟ ହୋଇଛି। ପୋଲିସ କବଜା ପଡ଼ିଥିବା ଦୁଇ ବ୍ୟବସାୟୀ ପୁରୀଘାଟ ପୋଲିସକୁ ଔଷଧ ଉତ୍ପାଦନକାରୀଙ୍କ ବାବଦରେ ସୂଚନା ଦେଇଛନ୍ତି। ପୋଲିସ ଏବେ ଏହି ବିଷାକ୍ତ ଔଷଧକୁ ପ୍ରସ୍ତୁତ କରୁଥିବା ମୂଳ ଉତ୍ପାଦକ ଓ କମ୍ପାନୀଙ୍କୁ ଖୋଜିବା ଆରମ୍ଭ କରିଛି ।

"ବିଷାକ୍ତ ଔଷଧ କାରବାର ମାମଲାରେ ଆମକୁ କିଛି ସୁରାକ ମିଳିଛି । ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଛି । କିନ୍ତୁ ଏହି ଲିଙ୍କରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କ ସମ୍ପର୍କରେ ମଧ୍ୟ ସୂଚନା ମିଳିଛି," କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

କଟକର ଦୁଇ ଡ୍ରଗିଷ୍ଟଙ୍କ ଦ୍ବାରା ଓଡ଼ିଶା ବଜାରକୁ ଛଡ଼ା ଯାଇଥିବା ଓ ବିକ୍ରି ପାଇଁ ଆସିଥିବା ମୋଟ ୫୫ ଲକ୍ଷ ଟଙ୍କାର ଟେଲମା ବ୍ରାଣ୍ଡର ଔଷଧ ଜବତ ହୋଇ ସାରିଲାଣି । ଆହୁରି କେତେ ଜଣ ବ୍ୟବସାୟୀଙ୍କ ପାଖରେ ଏହି ଔଷଧ ଗଚ୍ଛିତ ରହିଛି ଓ ସେଗୁଡ଼ିକୁ ସେମାନଙ୍କ ଠାରୁ କିପରି ପ୍ରତ୍ୟାହାର କରାଯିବ ସେ ନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରିଛି ଡ୍ରଗ କଣ୍ଟ୍ରୋଲ ବିଭାଗ । ତେବେ ନକଲି ଔଷଧ କାରବାର କଥା ସାମନାକୁ ଆସିବା ପରେ ଏହାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି । ବଜାରରେ ହଜାର ହଜାର କମ୍ପାନୀର ଲକ୍ଷ ଲକ୍ଷ ଔଷଧ ଉପଲବ୍ଧ ଥିବା ବେଳେ ସେଥିମଧ୍ୟରୁ କେଉଁଟା ଅସଲି ଓ କେଉଁଟି ନକଲି ଜାହା ଜାଣିବା ପାଇଁ କୌଣସି ବ୍ୟବସ୍ଥା ନ ରହିବା ଚିନ୍ତାକୁ ଆହୁରି ବଢାଇ ଦେଇଛି ।

ନକଲି ଔଷଧର ମୂଳ ସନ୍ଧାନ କରିବାକୁ ଯାଇ ଦୁଇ ଦିନ ହେଲା କଟକ ପୁରୀଘାଟ ଥାନା ପୋଲିସ ଓ ଡ୍ରଗ କଣ୍ଟ୍ରୋଲ ବିଭାଗର ଦୁଇଟି ଟିମ ବିହାରର ଗୟାରେ ଛାନଭିନ ଆରମ୍ଭ କରିଛନ୍ତି । ଆସନ୍ତା ସପ୍ତାହରେ ଉଭୟ ପୋଲିସ ଓ ଡ୍ରଗ କଣ୍ଟ୍ରୋଲ ବିଭାଗର ଟିମ କଟକ ଫେରିବ । ଏହି ଗୟାର ଦୁଇ ବ୍ୟବସାୟୀଙ୍କୁ ସାଥିରେ ଧରି କଟକ ଫେରିବା ନେଇ ମଧ୍ୟ ସୂଚନା ମିଳିଛି ।
Published by:Soumya Das
First published: