News 18 Odia Digital
ବ୍ରହ୍ମପୁର; କନେଷ୍ଟବଳଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଜି ଏକ ବଡ଼ ଅଘଟଣରୁ ବର୍ତ୍ତିଗଲେ ମହିଳା । ଆଜି ଏସଡ଼ିଜେଏମ କୋର୍ଟ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିଲା । କୋର୍ଟ ରୁମରେ ଥିଲେ ଜର୍ଜ, ସାକ୍ଷୀ, କୋର୍ଟର ଅନ୍ୟାନ୍ୟ କର୍ମଚାରୀ ଓ କିଛି ଆଇନଜୀବୀ । ଏହି ସମୟରେ ହଠାତ୍ ଜଣେ ମହିଳା କୋର୍ଟ ରୁମକୁ ଆସି ନିଜେ ଧରିଥିବା ପେଟ୍ରୋଲକୁ ନିଜ ଉପରେ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

‘‘କୋର୍ଟ ପରିସରରେ ମୁତୟନ ଥିବା କନେଷ୍ଟବଳ ରଶ୍ମିରଞ୍ଜନ ଦାଶ ମହିଳାଙ୍କଠାରୁ ପେଟ୍ରୋଲ ବୋତଲ ଛଡ଼ାଇ ନେବା ସହିତ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ପରେ ବୈଦ୍ୟନାଥୁପର ଥାନା ଅଧିକାରୀଙ୍କୁ ଫୋନ ଯୋଗେ ଘଟଣାକୁ ନେଇ କହିବା ପରେ ପୋଲିସ ପହଞ୍ଚି କୋର୍ଟରୁ ମହିଳାଙ୍କୁ ବୈଦ୍ୟନାଥୁପର ଥାନାକୁ ନିଆଯାଇଥିଲା । ତେବେ କୋର୍ଟ ପରିସରରେ ପ୍ରବେଶ କରି ହଠାତ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । କୌଣସି ବିଷୟରେ କାହା ସହିତ ଆଲୋଚନା ନାହିଁ କି କିଛି ନାହିଁ । ନିଜ ଉପରେ ପେଟ୍ରୋଲ ଢ଼ାଳିଥିଲେ ସୁଦ୍ଧା ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଥିବା କହିଛନ୍ତି,‘‘ ମହିଳାଙ୍କୁ ଉଦ୍ଧାର କରିଥିବା କନେଷ୍ଟବଳ ରଶ୍ମିରଞ୍ଜନ ଦାଶ ।
‘‘ତେବେ କୋର୍ଟ ପରିସରରେ ରହିଥିବା କନେଷ୍ଟବଳ ରଶ୍ମିରଞ୍ଜନଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଜି କେବଳ ଜଣେ ମହିଳା ମୃତ୍ୟୁମୁଖର ବଞ୍ଚିଲେ ତାହା ନୁହେଁ ବରଂ ଏକ ବଡ଼ ଅଘଟଣରୁ ରକ୍ଷା କରାଯାଇପାରିଲା । ତେଣୁ କନେଷ୍ଟବଳ ରଶ୍ମିରଞ୍ଜନଙ୍କ ଏଭଳି ସାହାସିକତା ଉଚ୍ଚ ପ୍ରଶଂସନୀୟ । ଯେହେତୁ କୋର୍ଟ ପରିସରକୁ ପ୍ରତିଦିନ ଶହ ଶହ ମହକିଲ ତଥା ସାଧାରଣ ଲୋକେ ଯାତାୟତ କରୁଥିବା ବେଳେ କୋର୍ଟକୁ ଯିବା ପୂର୍ବରୁ କଡ଼ାକଡ଼ି ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି,‘‘ ଆଇନଜୀବୀ ପ୍ରଦୀପ ବେହେରା । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣଙ୍କୁ ପୋଲିସ ସୁରକ୍ଷିତ ଭାବେ ବୈଦ୍ୟନାଥପୁର ଥାନାରେ ରଖିଥିବା ବେଳେ ପୋଲିସ ନିଜ ଆଡ଼ୁ ଏକ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଛି । ଆଜି ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ଜଣକ ହେଲେ ଗୋଷାଣୀ ନୂଆଗାଁ ଅଞ୍ଚଳର ଝରଣା ସାହୁ । ଝରଣା ପୂର୍ବରୁ ଦୁଇଟି ମାମଲା ଥାନାରେ କରିଥିବା ପୋଲିସ ଜାଣିବାକୁ ପାଇଛି ।
ଝରଣା ସାହୁଙ୍କୁ ୩୧,୧୦,୨୦୨୦ ରେ ବାପୁନୀ ସାହୁ ନାମକ ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ବାପୁନୀ ଗିରଫ ହେବା ସହ କୋର୍ଟ ଚାଲାଣ ହୋଇଥିଲା ଓ ପରେ କୋର୍ଟରୁ ଜାମିନର ମୁକୁଳିଥିଲା । ପୁଣି ଗତ ୧୪,୧୧,୨୨ ତାରିଖରେ ବାପୁନୀ ସାହୁ ତାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କୁ ବିଷ ପିଆଇ ହତ୍ୟା ଉଦ୍ୟମ କରିଥିବା ନେଇ ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନାରେ ଏତଲା ଦେଇଥିଲେ । ଏହି ମାମଲାରେ ପୁଣି ବାପୁନୀ ସାହୁ ଗିରଫ ହୋଇ କୋର୍ଟ ଚାଲାଣ ପରେ ଏବେ ଜେଲରେ ଅଛନ୍ତି ।
‘‘ଝରଣାଙ୍କ ସ୍ୱାମୀ ଉପେନ୍ଦ୍ର ସ୍ୱାଇଁ ହାଇଦ୍ରାବାଦରେ କାର୍ଯ୍ୟ କରୁଥିବା ବେଳେ ବାପୁନୀ ସାହୁଙ୍କ ଏକାଉଣ୍ଟକୁ ଟଙ୍କା ପଠାଇଥାନ୍ତି । ଆଉ ଏହି ଟଙ୍କା ଦେବା ବାହାନାରେ ଝରଣାଙ୍କୁ ବାପୁନୀ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଯଦିଓ ଗତ ୨୮ ପରେ କୋର୍ଟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା । ବର୍ତ୍ତମାନ ପୁଣି ଆଉ ଏକ ଅଘଟଣ ପରେ ପ୍ରତ୍ୟେକ କୋର୍ଟ ପରିସରରେ ଆହୁରି ଅଧିକ ପୋଲିସ ମୁତୟନ କରାଯିବ । ତେବେ ଆଜି ହଠାତ୍ ମହିଳା ଜଣଙ୍କ କଣ ପାଇଁ କୋର୍ଟ ପରିସରକୁ ଆସି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହା ଜଣାପଡିନଥିବା ବେଳେ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି,‘‘ ବ୍ରହ୍ମପୁର ଏସପି ଡ଼.ଶ୍ରବଣା ବିବେକ ଏମ । ଏସଡ଼ିଜେଏମଙ୍କ କୋର୍ଟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଝରଣା କେଉଁ କାରଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସର ତଦନ୍ତ ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ।
ଏସଡ଼ିଜେଏମଙ୍କ କୋର୍ଟରେ ଗୋଟିଏ ସପ୍ତାହରେ ଦୁଇଟି ଅଘଟଣ ଘଟିଛି । ଗତ ୨୮ ତାରିଖରେ ଜଣେ ଯୁବକ ଏସଡ଼ିଜେଏମଙ୍କ ଡ଼ାଇସ ଉପରେ ଚଢ଼ି ଜର୍ଜଙ୍କୁ ଛୁରୀ ଦେଖାଇ ଆକ୍ରମଣ କରିବା ନିମନ୍ତେ ଉଦ୍ୟମ କରିଥିଲେ । ସୌଭାଗ୍ୟବସତଃ ଯୁବକକୁ ଧରିଥିଲେ ଝାଡ଼ୁଦାର ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।