ଦନ୍ତା ଦଳିଦେଲା ପାଟ୍ରୋଲିଂ ଗାଡ଼ି; ୬ ବନ କର୍ମଚାରୀ ଆହତ

ଦନ୍ତାଟି ପାଟ୍ରୋଲିଂରେ ଯାଇଥିବା ଗାଡ଼ିକୁ ଠେଲି ଠେଲି ଏକ ନାଳ ଭିତରେ ଫିଙ୍ଗି ଦେଇଥିଲା। ଫଳରେ ବୋଲେରୋ ଭିତରେ ବସିଥିବା ୬ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି।

ଦନ୍ତା ଦଳିଦେଲା ପାଟ୍ରୋଲିଂ ଗାଡ଼ି (ପ୍ରତୀକାତ୍ମକ ଛବି)

ଦନ୍ତା ଦଳିଦେଲା ପାଟ୍ରୋଲିଂ ଗାଡ଼ି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଲେଶ୍ଵର: କୁଲଡିହା ଅଭୟାରଣ୍ୟରୁ ଏକ ଦନ୍ତା ହାତୀ ରାତି ଅଧିଆ ଖୁମକୁଟ ଅଞ୍ଚଳକୁ ଆସି ଉପଦ୍ରବ ଚଳାଇଥିଲା । ତେବେ ଏହି ହାତୀକୁ ଘଉଡ଼ାଇବାକୁ ଯାଇ ୬ଜଣ ବନକର୍ମଚାରୀ ଆହତ ହୋଇଛନ୍ତି।

ଅନେକ ସମୟରେ ଜନବସତି ଆଡ଼କୁ ବନ୍ୟ ଜୀବଜନ୍ତୁ ପଶି ଆସୁଥିବା ଖବର ସାମ୍ନାକୁ ଆସୁଛି। ମୁଖ୍ୟତଃ କୁଲଢ଼ିଆ ଅଭୟାରଣ୍ୟରେ ବାରମ୍ବାର ହାତୀ ଓ ମଣିଷ ମଧ୍ୟରେ ଛକାପଞ୍ଜା ଦେଖିବାକୁ ମିଳୁଛି । ତେବେ ଏଥର ଜନବସତି ଠାରୁ ହାତୀକୁ ଦୁରେଇବାକୁ ଯାଇ ଖୋଦ ବନ ବିଭାଗ କର୍ମଚାରୀଙ୍କ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ।

ଘଟଣା ଅନୁସାରେ ବାଲେଶ୍ୱର କୁଲଡିହା ଅଭୟାରଣ୍ୟରୁ ଏକ ଦନ୍ତା ହାତୀ ପଞ୍ଚଲିଙ୍ଗେଶ୍ଵର ବିଟ ଅଧିନ ଗୋଡି଼ଖୋଳା ନିକଟ ଖୁମକୁଟ ଅଞ୍ଚଳରେ ଏକ ଦନ୍ତା ହାତୀ ବୁଧବାର ରାତିରେ ସ୍ଥାନୀୟ କ୍ଷେତରେ ପଶି ନଷ୍ଟ କରିବା ସହିତ ଉପଦ୍ରବ କରୁଥିବା ସୂଚନା ପାଇ ବନ କର୍ମଚାରୀମାନେ ସେଠାକୁ ପାଟ୍ରୋଲିଂରେ ଯାଇଥିଲେ । ବନପାଳ ଭାଗ୍ୟଶ୍ରୀ ଦ୍ବିବେଦୀ, ବନରକ୍ଷୀ ଶଶିକଳା ସାହୁଙ୍କ ସମେତ ଅନ୍ୟ ୪ଜଣ ସବୁଜବାହିନୀ କର୍ମଚାରୀ ରାତି ସାଢ଼େ ୧୦ଟାରେ ସେଠାରେ ପହଞ୍ଚି ଉକ୍ତ ଦନ୍ତାକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ପ୍ରାୟ ଘଣ୍ଟାଏ କାଳ ଦନ୍ତାଟି ବନବିଭାଗ କର୍ମଚାରୀଙ୍କ ସହ ଲୁଚକାଳି ଖେଳି ଶେଷରେ ପାଲଟା ଆକ୍ରମଣ କରିଥିଲା । ଦନ୍ତାଟି ପାଟ୍ରୋଲିଂରେ ଯାଇଥିବା ବୋଲେରୋକୁ ଠେଲି ଠେଲି ଏକ ନାଳ ଭିତରେ ଫିଙ୍ଗି ଦେଇଥିଲା। ଫଳରେ ବୋଲେରୋ ଭିତରେ ବସିଥିବା ୬ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି। ଗାଡ଼ି ଚାଳକ ମୁନ୍ନା ରାଉତ ବାରମ୍ବାର ହର୍ଣ୍ଣ ବଜାଇବା ଯୋଗୁଁ ହାତୀଟି ସ୍ଥାନ ଛାଡ଼ି ଜଙ୍ଗଲକୁ ପଳାଇଥିଲା। ପରେ ବହୁ କଷ୍ଟରେ କର୍ମଚାରୀମାନେ ଗାଡ଼ି ଭିତରୁ ବାହାରି ନିଜ ଜୀବନ ବଞ୍ଚାଇଥିଲେ। ଖବରପାଇ କୁଲଡିହା ରେଞ୍ଜର ଅନନ୍ତ ଜେନା ଘଟଣାସ୍ଥଳରେ ପହଞ୍ଚିଥିଲେ।ବିଳମ୍ବିତ ରାତିରେ ବୋଲେରୋକୁ ନାଳ ଭିତରୁ ଉଦ୍ଧାର କରାଯାଇଆହତ କର୍ମଚାରୀଙ୍କୁ ନୀଳଗିରି ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା।

ସୂଚନାଯୋଗ୍ୟ ଯେ କୁଲଡିହା ଅଭୟାରଣ୍ୟରେ ରହିଥିବା ହାତୀପଲ ସନ୍ଧ୍ୟା ସମୟରେ ଜଙ୍ଗଲ ପାଦଦେଶକୁ ଓହ୍ଲାଇ ଧାନ କିଆରିରେ ଫସଲ ନଷ୍ଟ କରୁଥିବା ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଏନେଇ ବନ ବିଭାଗ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରି ହାତୀର ଗତିବିଧି ଉପରେ ନଜର ରଖିଥାଏ ଓ ଜନବସତି ଆଡୁ ହାତୀକୁ ଦୁରେଇ ରଖିଥାଏ।
Published by:Soumya Das
First published: