ପୁରୀ: ୨୫ ଲକ୍ଷ ଟଙ୍କାର ଚିଙ୍ଗୁଡ଼ି ସହ ଟ୍ରକ୍ ଅପହରଣ କଲେ ବାପ ଓ ପୁଅ; ଧରା ପଡ଼ି ଜେଲ୍ ଗଲେ

ଅଭିଯୁକ୍ତ କିଛି ବର୍ଷ ହେବ ଚିଙ୍ଗୁଡ଼ି ଦାନା ବେପାର କରୁଥିଲା । ଚିଙ୍ଗୁଡ଼ି ଘେରି ଲଗାଇଥିବା ବ୍ୟବସାୟୀଙ୍କ ସହ ସେ ପୂର୍ବ ରାଗ ରଖି ଗାଡ଼ି ଚୋରି କରିନେଇଥିବା କହିଛି । ଟ୍ରକରେ ଚିଙ୍ଗୁଡ଼ି କୋଲକାତାକୁ ପଠାଯାଉଥିଲା ।

ପୁରୀ: ୨୫ ଲକ୍ଷ ଟଙ୍କାର ଚିଙ୍ଗୁଡ଼ି ସହ ଟ୍ରକ୍ ଅପହରଣ କଲେ ବାପ ଓ ପୁଅ; ଧରା ପଡ଼ି ଜେଲ୍ ଗଲେ
ପୋଲିସ ଏତାଲା ପାଇବା ପରେ ତୁରନ୍ତ ରେଡ଼ ମାରିବା ଆରମ୍ଭ କରିଥିଲା ।
  • News18 Odia
  • Last Updated: November 29, 2020, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଚିଙ୍ଗୁଡ଼ି ପରିବହନ କରୁଥିବା ଏକ ଟ୍ରକ୍‌ ଅପହରଣ କରିନେଇଥିବା ଅଭିଯୋଗରେ କାକଟପୁର ପୋଲିସ ସେହି ଅଞ୍ଚଳର ବାପ-ପୁଅଙ୍କୁ ଗିରଫ କରିଛି । ଟ୍ରକରେ ୨୫ ଲକ୍ଷ ଟଙ୍କାର ଚିଙ୍ଗୁଡ଼ି ଚାଲାଣ ହେଉଥିବା ବେଳେ ଏହାକୁ ଅପହରଣ କରିନେଇଥିଲେ ବାପ ଓ ପୁଅ । ଏ ନେଇ କାକଟପୁର ଥାନାରେ ଅଭିଯୋଗ କରିଥିଲେ ବ୍ୟବସାୟୀ ମନୋଜ ନାୟକ ।

ଅସ୍ତରଙ୍ଗ ଥାନା ଡମସୁନ ଗ୍ରାମର ବ୍ୟବସାୟୀ ୫୫ ବର୍ଷୀୟ ଅଭୟ ନାୟକଙ୍କ ପୁଅ ମନୋଜ ନାୟକଙ୍କ ଏକ ଚିଙ୍ଗୁଡ଼ି ଘେରି ଅଛି । ତାଙ୍କ ଅଭିଯୋଗ ଅନୁସାରେ ନଭେମ୍ବର ୨୭ ତାରିଖ ରାତିରେ ସେ ଏକ ଟ୍ରକରେ (ନମ୍ବର WB-13A4852) ପ୍ରାୟ ଆଠ ଟନ୍‌ ଚିଙ୍ଗୁଡ଼ି ଲୋଡ଼ କରି କଲିକତା ପଠାଇଥିଲେ । ହେଲେ ସେହି ରାତି ୧୧ଟା ୪୫ରେ କାକଟପୁରର ମୂଳାଗଡ଼ ଛକରେ ୫୦ ବର୍ଷୀୟ ସୁବଳ ଖଟୋଇ ଓ ତାଙ୍କ ପୁଅ ୩୬ ବର୍ଷୀୟ ସମ୍ବିତ ଖଟୋଇ ଟ୍ରକକୁ ଅଟକାଇ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରିଥିଲେ ଓ ଗାଡ଼ିଟିକୁ ଲୁଟି ନେଇଥିଲେ ।

ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ

ଅଭିଯୁକ୍ତ ସୁବଳ ଖଟୋଇ ଓ ତାଙ୍କ ପୁଅ ସମ୍ବିତ ଖଟୋଇ


‘‘ଗାଡ଼ିରେ ୨୫ ଲକ୍ଷ ଟଙ୍କାର ଚିଙ୍ଗୁଡ଼ି ଥିବାରୁ ଖବର ପାଇବା ମାତ୍ରେ ମୁଁ ତୁରନ୍ତ କାକଟପୁର ଆସି ଥାନାରେ ଲିଖିତ ଅଭିଯୋଗ କରିଥିଲି । ପୋଲିସ ଏତାଲା ପାଇବା ପରେ କ୍ରିୟାଶୀଳ ହୋଇଥିଲା ଓ ତଦନ୍ତ ଆରମ୍ଭ କରିଥିଲା,’’ କହିଛନ୍ତି ବ୍ୟବସାୟୀ ମନୋଜ ନାୟକ ।

ଏହା ବି ପଢ଼ନ୍ତୁ | ଚୀନର ଗବେଷକମାନେ କହୁଛନ୍ତି କରୋନା ଭାଇରସ୍ ଭାରତରୁ ଆରମ୍ଭ ହୋଇ ବିଶ୍ୱକୁ ବ୍ୟାପିଥିଲା!

ନାୟକଙ୍କ ଏତାଲାକୁ ଭିତ୍ତି କରି ଆଇପିସିର ଦଫା ୩୯୪ରେ (ଆକ୍ରମଣ କରି ଲୁଟ) ଏକ ମାମଲା (୨୩୫/୨୦୨୦) ରୁଜୁ କରିବା ପରେ ପୋଲିସ ଏକ ଟିମକୁ ନେଇ କୁଣ୍ଢେଇ ହାଟରେ ଚଢ଼ାଉ କରିଥିଲା । ସେଠି ଚିଙ୍ଗୁଡ଼ି ବୋଝେଇ ଟ୍ରକକୁ ଜବତ କରିବା ସହ ବାପ ଓ ପୁଅକୁ ଗିରଫ କରାଯାଇଥିଲା ।

‘‘ବାପ ସୁବଳ ଖଟୋଇର ଘର କାକଟପୁର ବାଙ୍ଗୁରିଗାଁ ପଞ୍ଚାୟତର ଛୋଟିପୋଡ଼ା ଗ୍ରାମରେ । ସେ କିଛି ବର୍ଷ ହେବ ଚିଙ୍ଗୁଡ଼ି ଦାନା ବେପାର କରୁଥିଲା । ତେଣୁ ପୂର୍ବ ରାଗ ରଖି ଏଭଳି ଗାଡ଼ି ସେ ଚୋରି କରିଥିବା କହିଛି । ବାପ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଯାଇଛି,’’ କହିଛନ୍ତି ପୋଲିସ ଏ.ଏସ.ଆଇ. ସନାତନ ଖୁଣ୍ଟିଆ । ଚିଙ୍ଗୁଡ଼ି ବୋଝେଇ ଟ୍ରକର କାଗଜପତ୍ର ଯାଞ୍ଚ କରି ଗାଡ଼ିକୁ ପୋଲିସ କଲିକତା ପଠାଯାଇଥିଲା ବୋଲି ସେ କହିଛନ୍ତି ।



ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଲକରେ ଚିଙ୍ଗୁଡ଼ି ଘେରି ସଂଖ୍ୟା ଗତ କିଛି ବର୍ଷ ମଧ୍ୟରେ ବୃଦ୍ଧି ପାଇଛି । ଏଠାକାର ଅନେକ ବେପାରୀ ଚିଙ୍ଗୁଡ଼ି କଲିକତା ପଠାଇ ଭଲ ରୋଜଗାର କରୁଛନ୍ତି । ଚିଙ୍ଗୁଡ଼ି ଚାଷ ଓ ବିକ୍ରିରୁ କୋଟି କୋଟି ଟଙ୍କାର ବ୍ୟବସାୟକୁ ନେଇ ଛୋଟମୋଟ ଅପରାଧ ବି ଏହି ଅଞ୍ଚଳରେ ବଢୁଥିବା ଦେଖାଯାଉଛି । ଅପରାଧୀମାନଙ୍କୁ ଦମନ କରି ଚିଙ୍ଗୁଡ଼ି ଚାଷ ଓ ବ୍ୟବସାୟକୁ ସୁଗମ କରିବା ପାଇଁ ସାଧାରଣରେ ଦାବି ହେଉଛି ।
Published by: Anand Shankar Thankur Das
First published: November 29, 2020, 11:54 PM IST
corona virus btn
corona virus btn
Loading