ବଢ଼ୁଛି ଆକାଶ-ଅଭୟକାନ୍ତ-ପ୍ରଦୀପଙ୍କ ଅଡ଼ୁଆ; ଏକ ନୂଆ କେସ୍ କଲା ସାଇବର୍ ସେଲ୍
ଜେଲରେ ଥିବା ଆକାଶ ପାଠକଙ୍କ ବିରୁଦ୍ଧରେ ହୋଇଥିବା କେସରେ ଆଇପିସିର ଦଫା ୪୧୯, ୪୨୦ ଓ ୪୬୭ ସହ ଆଇଟି ଆକ୍ଟର ବି କେତେକ ଦଫା ଲାଗିଛି । ତାଙ୍କ ବାପା ଅଭୟକାନ୍ତ ପାଠକ ଓ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ସେ ବି ଜେଲରେ ଅଛନ୍ତି ।

(ବାମରୁ ଡାହାଣ) ଅଭୟକାନ୍ତ ପାଠକ, ପ୍ରଦୀପ ପାଣିଗ୍ରାହୀ ଓ ଆକାଶ ପାଠକ
- News18 Odia
- Last Updated: December 8, 2020, 5:27 PM IST
ଭୁବନେଶ୍ୱର: ଆକାଶ ପାଠକଙ୍କ ବିରୋଧରେ ନୂଆ କେସ୍ ଲଗାଇଛି ରାଜ୍ୟ ପୋଲିସର ସାଇବର ସେଲ୍ । କ୍ରାଇମ୍ ବ୍ରାଞ୍ଚର ସାଇବର ସେଲ ଏହି କେସ୍ (କେସ୍ ନମ୍ବର ୨୬/୨୦୨୦) ଲଗାଯାଇଥିବା ଏସ୍.ଡି.ଜେ.ଏମ୍. କୋର୍ଟକୁ ଅବଗତ କରାଇଛି । ଆକାଶଙ୍କ ବିରୋଧରେ ହୋଇଥିବା ଠକେଇ, ଜାଲିଆତି ଓ ଆଇଟି ଠକେଇ ଆଦି ମାମଲା ନେଇ ଆହୁରି ପ୍ରମାଣ ଯୋଗାଡ଼ କରିବାରେ ଲାଗିପଡିଛି କ୍ରାଇମ ବ୍ରାଞ୍ଚର ସାଇବର ସେଲ୍ ।
ଜେଲରେ ଥିବା ଆକାଶ ପାଠକଙ୍କ ବିରୁଦ୍ଧରେ ହୋଇଥିବା କେସରେ ଆଇପିସିର ଦଫା ୪୧୯, ୪୨୦ ଓ ୪୬୭ ସହ ଆଇଟି ଆକ୍ଟର ବି କେତେକ ଦଫା ଲାଗିଛି । ତାଙ୍କ ବାପା ଅଭୟକାନ୍ତ ପାଠକଙ୍କ ଆୟବହିର୍ଭୁତ ସମ୍ପତ୍ତିର ଖୋଳତାଡ଼ ଲିଙ୍କରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଝାରପଡ଼ାରେ ଥିବା ଆକାଶଙ୍କୁ ସୋମବାର ଦିନ କଡା ସୁରକ୍ଷା ଭିତରେ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା ।
ଏହା ବି ପଢ଼ନ୍ତୁ | ଆଲାହାବାଦ ହାଇ କୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ପତ୍ନୀ ବେୱଫା କି ନୁହେଁ? DNA ଟେଷ୍ଟ କରି କରିପାରିବେ ପ୍ରମାଣ
ଏଡିଜେ ୩ କୋର୍ଟ ସୋମବାର ଦିନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଶୁଣାଣି କରି ତାକୁ ଖାରଜ କରିଛନ୍ତି । ପ୍ରଦୀପଙ୍କ ଓକିଲ ଓ କ୍ରାଇମ ବ୍ରାଞ୍ଚ ଓକିଲଙ୍କ ପକ୍ଷ ଶୁଣିବା ପରେ ବିଚାରପତି ନିଜ ରାୟ ସଂରକ୍ଷିତ ରଖିଥିଲେ ।
ଏହା ବି ପଢ଼ନ୍ତୁ | Video: ନ୍ୟୁ ୟର୍କରେ ପୋଲିସ ଅଫିସରଙ୍କ ମୁହଁକୁ ଛେପ ପକାଇ ଗିରଫ ହେଲେ ଭାରତୀୟ ଯୁବତୀ
ପ୍ରଦୀପଙ୍କ ଓକିଲ ବିଭିନ୍ନ ଦିଗ ଉପରେ ପ୍ରଦୀପଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପିତ କରିଥିଲେ ଓ ପ୍ରଶ୍ନ ଉଠାଇଥିଲେ । ସେହି ଦିଗଗୁଡ଼ିକ ହେଉଛି: (୧) ଏଫ୍.ଆଇ.ଆର୍.ରେ ପ୍ରଦୀପଙ୍କ ବିରୋଧରେ କୌଣସି ଅଭିଯୋଗ ନାହିଁ; (୨) ଏଫ୍.ଆଇ.ଆର୍. ବହୁ ପୂର୍ବରୁ ହୋଇଥିବା ବେଳେ ଏତେ ଦିନ ଧରି କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ଘଟଣାକୁ ଚପାଇଥିବାରୁ କ୍ରାଇମ ବ୍ରାଞ୍ଚର ଭୂମିକା ସନ୍ଦେହ ଘେରରେ ଅଛି; (୩) ଟାଟାରେ ହୋଇଥିବା ଜାଲିଆତି ପଛରେ ପ୍ରଦୀପଙ୍କର କୌଣସି ଭୂମିକା ନାହିଁ; (୪) ପ୍ରଦୀପଙ୍କ ବିରୋଧରେ ଠକେଇ ବା ଜାଳିଆତିର କିଛି ପ୍ରମାଣ ନାହିଁ; (୫) ଆପରାଧିକ ଷଡଯନ୍ତ୍ର ନୁହେଁ, ବରଂ ରାଜନୈତିକ ଉଦ୍ଦେଶ୍ୟରେ ପ୍ରଦୀପଙ୍କୁ ହଇରାଣ କରାଯାଇଛି ।
‘‘ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ କେଉଁ ଆଡ଼େ ଖସି ଯିବେନି । ତାଙ୍କୁ ଜାମିନ ଦିଆଯାଉ,’’ କୋର୍ଟଙ୍କୁ କହିଥିଲେ ତାଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ । ହେଲେ ଏ ସବୁ ଶୁଣିବା ପରେ କ୍ରାଇମ ବ୍ରାଞ୍ଚର ଓକିଲ ଶାଣିତ ଯୁକ୍ତି ରଖିଥିଲେ ଓ କହିଥିଲେ ଯେ ଏବେ ତଦନ୍ତ ଚାଲିଛି । ପ୍ରଦୀପ ବିଧାୟକ ଥିବାରୁ ଏବେ ଜାମିନ ଦେଲେ ସେ ପ୍ରମାଣ ନଷ୍ଟ କରିଦେବାର ସମ୍ଭାବନା ଅଛି ବୋଲି ସେ କହିଥିଲେ ।
ଜାମିନ ମିଳିବାର ସମ୍ଭାବନା କମ୍ ଥିବାରୁ ଆକାଶ ପାଠକ, ଅଭୟକାନ୍ତ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଅଡୁଆ ବଢ଼ୁଛି । ସେମାନଙ୍କ ବିରୁଦ୍ଧରେ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିବାରେ ଲାଗିପଡିଛି କ୍ରାଇମ ବ୍ରାଞ୍ଚ । ଆକାଶଙ୍କ ପିଏ ଡେଭିଡ ପିଟର ସହ ଏବେ ବି ଚାଲିଛି ମାରାଥନ ଜେରା । ସେଥିରୁ ଯାହା ପ୍ରମାଣ ମିଳିବ ତାହା ପୁଣି ପ୍ରଦୀପ ଓ ଆକାଶଙ୍କ ବିରୋଧରେ କୋର୍ଟରେ ପେଶ୍ କରିବ କ୍ରାଇମ ବ୍ରାଞ୍ଚ ।