ଗଜପତି ଜିଲ୍ଲାରେ ଅନଲାଇନରେ ଆଦିବାସୀଙ୍କ ଠାରୁ ଠକିନେଲେ ୩ କୋଟି ଟଙ୍କାରୁ ଅଧିକ

ଆଦିବାସୀମାନଙ୍କଠାରୁ ଟଙ୍କା ନେଇ ସମ୍ପୃକ୍ତ ସଂସ୍ଥା ବିଭିନ୍ନ ବଡ଼ ବଡ଼ କମ୍ପାନୀର ଶେୟାରରେ ବିନିଯୋଗ କରୁଥିଲା ଓ ସେଥିରୁ ମିଳୁଥିବା ଲାଭାଂଶକୁ ଜମାକାରୀଙ୍କୁ ଦେଉଥିଲା । ଏମିତି ତିନି ମାସ ଚାଲିବା ପରେ ସେହି ସଂସ୍ଥା ଆଉ ଜମାକାରୀଙ୍କୁ ଟଙ୍କା ଫେରାଉ ନାହିଁ ।

ଠକେଇର ଶିକାର କେତେକ ଜମାକାରୀ

ଠକେଇର ଶିକାର କେତେକ ଜମାକାରୀ

  • Share this:
News18 Odia Digital

ବ୍ରହ୍ମପୁର: ଅଧିକ ସୁଧର ଲୋଭ ଦେଖାଇ ଗଜପତି ଜିଲ୍ଲାର ସରଳ ଆଦିବାସୀମାନଙ୍କ ଠାରୁ ତିନି କୋଟି ଟଙ୍କାରୁ ଅଧିକ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ତିନି ମାସ ତଳେ ମୋବାଇଲ୍‌ ଫୋନକୁ ଏକ ଲିଙ୍କ୍‌ ଆସିବା ପରେ ତାକୁ ଅନୁକରଣ କରି କିଛି ଲୋଭନୀୟ ଅଫର୍‌ ସହ ଅଧିକ ହାରରେ ସୁଧ ମିଳିବ ବୋଲି ଏକ ବିଜ୍ଞାପନ ଆସିଥିଲା । ତାକୁ ବିଶ୍ବାସ କରି ସମ୍ପୃକ୍ତ ସଂସ୍ଥାର ଆକାଉଣ୍ଟକୁ ଟଙ୍କା ପଠାଇଥିଲେ ଲୋକେ । ସେତେବେଳେ ସେମାନେ ଜାଣି ନ ଥିଲେ ଯେ ଏକ ବଡ଼ ଠକେଇରେ ସେମାନେ ପଡୁଛନ୍ତି ।

ପ୍ରଥମେ ଟଙ୍କା ଜମା କରିବା ପରେ ଅଧିକରୁ ଅଧିକ ସୁଧ ବି ମିଳିଥିଲା କିଛି ଲୋକଙ୍କୁ । ଏହା ଫଳରେ ଲୋକେ ଲକ୍ଷ ଲକ୍ଷ ଟଙ୍କା ଜମା କରିଚାଲିଲେ । କିନ୍ତୁ ଗତ କିଛି ଦିନ ହେଲା ଲୋକଙ୍କୁ ଆଉ ଟଙ୍କା ଫେରାଇଲା ନାହିଁ ସେହି ସଂସ୍ଥା । ଫଳରେ ସେମାନେ ଠକେଇରେ ପଡ଼ିଥିବା ନେଇ ଜାଣିଲେ ଓ ଦକ୍ଷିଣାଞ୍ଚଳ ଡି.ଆଇ.ଜି.ଙ୍କ ନିକଟରେ ଗୁହାରି କରି ଟଙ୍କା ଫେରିପାଇବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କଲେ ।

ଏହା ବି ପଢ଼ନ୍ତୁ | ଅଭିନେତା ଅଭିଷେକ ବଚ୍ଚନ ୪୫ କୋଟି ଟଙ୍କାରେ ବିକିଲେ ମୁମ୍ବାଇରେ ନିଜ ଲଗ୍ଜରୀ ଆପାର୍ଟମେଣ୍ଟ୍

ଏହି ଘଟଣାର ତଦନ୍ତ ପାଇଁ ସାଇବର ସେଲକୁ ଅନ୍ତର୍ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡି.ଆଇ.ଜି. ସତ୍ୟବ୍ରତ ଭୋଇ । ଲୋକେ କେମିତି ନିଜ ଟଙ୍କା ଫେରିପାଇବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି ଏହି ଜଜ୍

‘‘ସମ୍ପୃକ୍ତ ସଂସ୍ଥା ବିଭିନ୍ନ ବଡ଼ ବଡ଼ କମ୍ପାନୀର ଶେୟାରରେ ଟଙ୍କା ବିନିଯୋଗ କରୁଥିଲା । ସେଥିରୁ ଯାହା ଲାଭ ଆସୁଥିଲା ତାହା ଜମାକାରୀଙ୍କୁ ମିଳୁଥିଲା । ଏଭଳି ପ୍ରାୟ ତିନି ମାସ ଚାଲିବା ପରେ ଗତ କିଛି ଦିନ ହେଲା ସମ୍ପୃକ୍ତ ସଂସ୍ଥା ଆଉ ଜମାକାରୀଙ୍କୁ ଟଙ୍କା ଫେରାଉ ନାହିଁ । କରୋନା ସଂକ୍ରମଣ ସମୟରେ ସେମାନଙ୍କୁ ଏଭଳି ଭଲ ସୁଧ ମିଳୁଥିବା ଯୋଗୁଁ ବେଶ ଖୁସି ହୋଇ ଆମେ ଟଙ୍କା ଜମା କରିଥିବା ବେଳେ ଏବେ କେମିତି ନିବେଶ କରିଥିବା ଟଙ୍କା ଫେରିପାଇବୁ ସେ ନେଇ ଚିନ୍ତାରେ ଅଛୁ,’’ କହିଛନ୍ତି ଜମାକାରୀ ରମେଶ ।

ଦକ୍ଷିଣାଞ୍ଚଳ ଡି.ଆଇ.ଜି. ସତ୍ୟବ୍ରତ ଭୋଇ


ଏହା ବି ପଢ଼ନ୍ତୁ | ନାବାଳିକାକୁ ରେପ୍ କରିଥିଲେ ମେଘାଳୟର ଏହି ପୂର୍ବ MLA; ତାଙ୍କୁ ମିଳିଲା ୨୫ ବର୍ଷ ଜେଲ୍ ଦଣ୍ଡ

ଆଉ ଜଣେ ଜମାକାରୀ ସୁଶାନ୍ତ କହିଛନ୍ତି, ‘‘ଗତ ତିନି ମାସ ମଧ୍ୟରେ ମୁଁ ଓ ମୋ’ ପରି ଶହ ଶହ ଲୋକ ନିଜ ଟଙ୍କା ଜମା କରିଥିଲୁ । କେହି କେହି ସୁଧ ଲୋଭରେ ଋଣ କରି ବି ଟଙ୍କା ଜମା କରିଥିଲେ । ବର୍ତ୍ତମାନ ଆମେ ଜମାକାରୀମାନେ ନିଜ ଟଙ୍କା କିଭଳି ଫେରି ପାଇବୁ ସେଥି ପାଇଁ ଡି.ଆଇ.ଜି.ଙ୍କ ଦ୍ବାରସ୍ଥ ହୋଇଛୁ । ଘଟଣାର ତଦନ୍ତ କରିବା ସହିତ ସମ୍ପୃକ୍ତ ସଂସ୍ଥା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆମେ ଦାବି କରିଛୁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଘର ଉପରେ ଖସି ପଡ଼ିଲା ବାୟୁ ସେନାର ମିଗ୍୨୧ ଫାଇଟର୍ଜେଟ୍‌; ଜଳିଗଲା ବିମାନ ସହ ଘର

ଗଜପତି ଜିଲ୍ଲାର ମୋହନା, ଗୁମ୍ମା, ଖଜୁରିପଡ଼ା, ନୂଆଗଡ଼ ଓ ଗୋଷାଣୀ ଭଳି ବିଭିନ୍ନ ବ୍ଳକର ଶହ ଶହ ଲୋକେ ଏହି ଠକେଇର ଶିକାର ହୋଇଛନ୍ତି । ଠକେଇ ନେଇ ଦକ୍ଷିଣାଞ୍ଚଳ ଡି.ଆଇ.ଜି.ଙ୍କୁ ତାଙ୍କ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି କ୍ଷତିଗ୍ରସ୍ତ ଜମାକାରୀ ମାନେ । ସେମାନେ ଡି.ଆଇ.ଜି.ଙ୍କୁ ସାକ୍ଷାତ କରି ସେମାନଙ୍କ ସହ ହୋଇଥିବା ଠକେଇ ବିଷୟରେ ତାଙ୍କୁ ସବୁ ବିଷୟ ଜଣାଇଛନ୍ତି ।

ଏହା ବି ପଢ଼ନ୍ତୁ | CMଙ୍କୁ ଚାପୁଡ଼ା ମାରିବେ କହି କେନ୍ଦ୍ର ମନ୍ତ୍ରୀ ଗିରଫ: ‘‘ନାରାୟଣ ରାଣେ ଠିକ୍ ଭାବେ କଥା କହିବା ଶିଖିବା ଉଚିତ’’

‘‘ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଏହାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯିବ । ତଦନ୍ତ ପାଇଁ ସାଇବର୍‌ ଥାନାରେ ଏକ ମାମଲା ରୁଜୁ କରାଯିବ । ଠକେଇର କିଛି ଟେକନିକାଲ୍‌ ତଥ୍ୟ ବାହାର କରିବା ପାଇଁ ସାଇବର୍‌ ‌ଥାନାକୁ ମାମଲା ହସ୍ତାନ୍ତର ହୋଇଛି । ସଠିକ୍‌ ଭାବେ ତଦନ୍ତ କରି କେମିତି ଖୁବ୍‌ ଶୀଘ୍ର ଘଟଣାର ପର୍ଦ୍ଧାଫାସ ହେବ ସେ ନେଇ ଚେଷ୍ଟା କରାଯିବ,’’ କହିଛନ୍ତି ଦକ୍ଷିଣାଞ୍ଚଳ ଡି.ଆଇ.ଜି. ସତ୍ୟବ୍ରତ ଭୋଇ ।



ଏଭଳି ଆର୍ଥିକ କାରବାର ନେଇ କୌଣସି ସୋସାଇଲ୍‌ ମିଡ଼ିଆ କିମ୍ବା ମୋବାଇଲ୍‌ ଫୋନକୁ ମେସେଜ୍‌ ଆସିଲେ ଲୋକେ ତରବରିଆ ଭାବେ ପଦକ୍ଷେପ ନ ନେଇ ପୋଲିସର ସହାୟତା ନେବା ଉଚିତ ବୋଲି ସେ କହିଛନ୍ତି । ତାଙ୍କ ପ୍ରତିଶୃତି ପରେ ଏବେ ଆଦିବାସୀମାନେ ଖୁବ୍‌ ଶୀଘ୍ର ନିଜ ଟଙ୍କା ଫେରିପାଇବେ ବୋଲି ଆଶାବାଦୀ ଅଛନ୍ତି ।
Published by:Anand S.T. Das
First published: