ଅଂଶୁମାନ ପାତ୍ର | News18 Odia Digital
ଭବାନିପାଟଣା: ଯେ କୌଣସି କ୍ଷେତ୍ରରେ ନିଷ୍ଠାପର ଭାବେ ସେବା କଲେ ତା’ର ପୁରସ୍କାର ଅବଶ୍ୟ ମିଳେ । ଏହି ଉକ୍ତିର ଜ୍ବଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଆଦିବାସୀବହୁଳ କଳାହାଣ୍ଡି ଜିଲ୍ଲାରେ । ଗ୍ରାମାଞ୍ଚଳରେ କାର୍ଯ୍ୟରତ ଜଣେ ଯୁବ ଡାକ୍ତର ନିଜ ସେବା ଭାବ ଯୋଗୁଁ ଲୋକଙ୍କର ଏତେ ଆପଣାର ହୋଇଯାଇଥିଲେ ଯେ ତାଙ୍କ ବଦଳି ବେଳେ ସେଠାକାର ଆବାଳ ବୃଦ୍ଧ ବନିତାଙ୍କ ଆଖିରୁ ଝରିଥିଲା ଲୁହ ।
ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗତ ପାଞ୍ଚ ବର୍ଷ ହେଲା କାର୍ଯ୍ୟ କରିଆସୁଥିବା ଡାକ୍ତର ଅବିନାଶ ରଥ ବଦଳି ହୋଇ ଯିବା ବେଳେ ଆଖପାଖ ସାତ ଆଠଟି ଗାଆଁର ଲୋକେ ଆସି ତାଙ୍କ ପାଖରେ ପହଞ୍ଚିଥିଲେ । କିଏ ଡାକ୍ତର ବାବୁଙ୍କ ପାଦ ଛୁଇଁ ପ୍ରଣାମ କରିଥିଲା ତ କିଏ ତାଙ୍କୁ କୋଳେଇ ଧରି ଭୋ ଭୋ ହୋଇ କାନ୍ଦିଥିଲା । ସମସ୍ତଙ୍କ ଆଖି ଲୁହ ଛଳଛଳ ହୋଇଯାଇଥିଲା । ବାଜା ବଜାଇ, ଫୁଲମାଳ ପିନ୍ଧାଇ ଡାକ୍ତରବାବୁଙ୍କୁ ଭାବବିହ୍ବଳ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ଜଣେ ଗ୍ରାମବାସୀ ତାଙ୍କୁ ଉପହାରରେ ଦେଇଥିଲେ ମାଆ ମାଣିକେଶ୍ବରୀଙ୍କ ବନ୍ଧେଇ ଫଟୋଚ଼ିତ୍ର ।
୨୦୧୫ରେ ଭୁବନେଶ୍ୱରରୁ ଆସି ଥୁଆମୂଳ ରାମପୁରରେ ଯୋଗଦେଇଥିବା ଡାକ୍ତର ରଥଙ୍କ ବଦଳି ହୋଇଯାଇଛି ପୁରୀ ଦିଲ୍ଲାର ପିପିଲିକୁ । ଡାକ୍ତର ଚ଼ାକିରି କରି ସେ ଖାଲି ରୋଗୀ ସେବାରେ ବ୍ରତୀ ନ ଥିଲେ, ସ୍ଥାନୀୟ ଲୋକଙ୍କ ସୁଖଦୁଃଖରେ ବି ଭାଗିଦାର ଥିଲେ ।
‘‘ଆମର ଆତ୍ମା ଛାଡ଼ି ଚ଼ାଲିଯାଉଛି…’’ କହି ଭୋ ଭୋ ହୋଇ କାନ୍ଦିଥିଲେ ଜଣେ ବୟସ୍କା ଆଦିବାସୀ ମହିଳା । ‘‘ଭାରି କଷ୍ଟ ହେଉଛି…,’’ ପଣତରେ ଆଖି ପୋଛୁ ପୋଛୁ ପୁଣି କହିଥିଲେ ସେ ।
ଡାକ୍ତର ଅବିନାଶଙ୍କ ରୋଗୀ ସେବାରେ ଆଗ୍ରହ ଓ ନିଷ୍ଠା ଯୋଗୁଁ ତାଙ୍କୁ ପାଖରୁ ଛାଡ଼ିବାକୁ ରାଜି ହେଉନାହାନ୍ତି ଅଞ୍ଚଳବାସୀ । ହେଲେ ସରକାରୀ ନିର୍ଦ୍ଦେଶରେ ଓ କର୍ତ୍ତବ୍ୟର ଆହ୍ବାନରେ ତାଙ୍କୁ ଅନ୍ୟତ୍ର ଯିବାକୁ ପଡ଼ିଛି ବୋଲି କ୍ଷୋଭର ସହ କହିଛନ୍ତି ସେମାନେ ।
“ଏଭଳି ସ୍ନେହୀ ଡାକ୍ତର ଆମେ ଆଗରୁ କେବେ ଦେଖି ନ ଥିଲୁ । ରାତିଦିନ ଯେତେବେଳ ହସ୍ପିଟାଲ ଗଲେ ଡାକ୍ତରବାବୁଙ୍କୁ ଦେଖିବାକୁ ମିଳୁଥିଲା । ସ୍ନେହ ଆଦରର ସହ ସେ ସବୁ ରୋଗୀଙ୍କର ଚ଼ିକିତ୍ସା କରୁଥିଲେ । ବେଳ ପାଇଲେ ଦୁର୍ଗମ ଅଞ୍ଚଳକୁ ବାଇକରେ ଯାଇ ପହଞ୍ଚି ଯାଉଥିଲେ,’’ କହିଛନ୍ତି ଅନ୍ୟ ଜଣେ ଆଦିବାସୀ ମହିଳା ।

ବିଦାୟ ବେଳେ ଗ୍ରାମବାସୀଙ୍କ ମେଳରେ ଡଃ ଅବିନାଶ ରଥ
ଥୁଆମୂଳ ରାମପୁର ଡାକ୍ତରଖାନାର ଲାବରୋଟାରୀ ଟେକ୍ନିସିଆନ ସୁରଜ କୁମାର କହିଛନ୍ତି: ‘‘ସାର୍ଙ୍କ ଭଳି ଡାକ୍ତର ମୁଁ କେବେ ଦେଖି ନ ଥିଲି । ଖାଲି ରୋଗୀ ସେବା ନୁହେଁ, ଲୋକଙ୍କ ଭିତରେ ସ୍ବାସ୍ଥ୍ୟ ସଚ଼େତନତା ସୃଷ୍ଟି କରିବାରେ ଡାକ୍ତର ଅବିନାଶ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ ।’’
‘‘ଯେ କୌଣସି ପୋଷ୍ଟମର୍ଟମ ବେଳେ ଡାକ୍ତର ଅବିନାଶଙ୍କୁ ଖୋଜିବାକୁ ପଡ଼େନି । ସେ ଆଗେ ହାଜର ହୋଇଯାଆନ୍ତି । ରୋଗୀମାନଙ୍କର ସେ ମନ ଲଗେଇ ଚ଼ିକିତ୍ସା କରନ୍ତି । ସେ ଜଣେ କର୍ତ୍ତବ୍ୟନିଷ୍ଠ ଓ ରୋଗୀବତ୍ସଳ ଡାକ୍ତର,’’ କହିଛନ୍ତି ଥୁଆମୂଳ ରାମପୁରର ଥାନା ଅଧିକାରୀ ମନୋରଞ୍ଜନ କୁମ୍ଭାର ।
ଲୋକଙ୍କ ଠାରୁ ବିଦାୟ ନେବା ବେଳେ ଡାକ୍ତର ରଥଙ୍କ ଆଖି ବି ହୋଇଯାଇଥିଲା ଲୁହ ଛଳଛଳ । “କେବିକେ ଅଞ୍ଚଳରେ ପାଞ୍ଚ ବର୍ଷ କାମ କରିବାର ମୋ’ ଅନୁଭୂତି ସାରା ଜୀବନ ଅବିସ୍ମରଣୀୟ ହୋଇ ରହିବ । ଏଠାକାର ଲୋକେ ଯେଉଁ ସ୍ନେହ ଓ ଶ୍ରଦ୍ଧା ଅଜାଡ଼ି ଦେଇଛନ୍ତି, ତାହା କେବେ ଭୁଲି ପାରିବିନି । ବିଦାୟ ବେଳାର ଗୋଟି ଗୋଟି ମୁହୂର୍ତ୍ତ ମୋ’ ସ୍ମୃତିରେ ସାଇତି ରହିବ,’’ ସେ କହିଛନ୍ତି ।
‘‘ଭୁବନେଶ୍ୱର ମୋ’ ଘର । ମୁଁ କେବେ ଜୀବନରେ ଅନୁତାପ କରିବିନି ଯେ ମୁଁ ପାଞ୍ଚ ବର୍ଷ ନଷ୍ଟ କଲି ବୋଲି । ରୋଗୀ ସେବା କରି ମୁଁ ବହୁତ ଆନନ୍ଦ ପାଇଛି ଏଠି,’’ ନିଜ ଗଳାରେ ସ୍ଥାନୀୟ ଲୋକେ ପିନ୍ଧାଇଥିବା ଫୁଲ ମାଳ ପିନ୍ଧି କହିଛନ୍ତି ଡାକ୍ତର ରଥ ।
ତାଙ୍କର କିଛି ବନ୍ଧୁ ବି ଗରିବ ଆଦିବାସୀ ଗ୍ରାମବାସୀଙ୍କ ଦ୍ୱାରା ତାଙ୍କ ବିଦାୟ ସମ୍ବର୍ଦ୍ଧନା ଦେଖିବା ପାଇଁ ଆସି ପହଞ୍ଚିଥିଲେ । ‘‘ସେମାନେ ଏମିତି ସମ୍ବର୍ଦ୍ଧନା ଦେଖି ଅଭିଭୂତ ହୋଇଯାଇଛନ୍ତି,’’ କହିଛନ୍ତି ଡାକ୍ତର ରଥ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।