ରାୟଗଡ଼ା: ଇଏ ଏମିତି ଗାଁ ଯେଉଁଠି ଜଣେ ବି ଲୋକ ମଦ ପିଅନ୍ତି ନାହିଁ । ବିଶ୍ୱାସ ନ ହେଲେ ବି ସତ । ଏମିତି ଅଭିନବ ସଂସ୍କାର ପାଇଁ ରାୟଗଡ଼ା ଜିଲ୍ଲାର ବାଇସିଂ ପଞ୍ଚାୟତର ଜୁରୁଡି ଗାଁ ଏବେ ଚର୍ଚ୍ଚାରେ ।
ଆଦିବାସୀବହୁଳ ଏହି ଗାଁରେ ମଦ୍ୟପାନ ସମ୍ପୂର୍ଣ୍ଣଭାବେ ନିଷିଦ୍ଧ । ମହିଳାମାନେ ଏ ଅଭିଜାନରେ ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା । ସର୍ବସମ୍ମତ୍ତି କ୍ରମେ ନିଷ୍ପତ୍ତି ହୋଇଛି ଯେ କେହି ଗ୍ରାମବାସୀ ମଦ ପିଉଥିବାର ଖବର ମିଳିଲେ ତାକୁ ୫ ହଜାର ଟଙ୍କା ଜୋରିମାନା ଦେବାକୁ ହେବ।
କିଛି ମାସ ପୂର୍ବରୁ ଦିନରେ ଗାଁର ଅଧିକାଂଶ ପୁରୁଷଲୋକ ମଦ ପିଇ ଘର ଭିତରେ ନହେଲେ ବାରଣ୍ଡାରେ ଗଡ଼ୁଥିବାର ଦେଖିବାକୁ ମିଳୁଥିଲା । ହେଲେ ଏବେ ଦିନ ଦିପହରେ ଗାଁ ପୁରୁଷଶୂନ୍ୟ ଲାଗୁଛି। ସମସ୍ତେ କ୍ଷେତରେ ବା ଗାଁ ପାଖ ବଜାରରେ କାମରେ ଲାଗିପଡିଛନ୍ତି । ପୁରୁଷମାନେ ଆଉ ମଦ ନିଶାରେ ଘରେ ପଡ଼ି ରହୁନାହାନ୍ତି । ଏବେ ଆଉ ଗାଁରେ ଅଶାନ୍ତକର ପରିବେଶ ବି ନାହିଁ ।
ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରୁ ୭ କିଲୋମିଟର ଦୂରରେ ଅବସ୍ଥିତ ବାଇସିଂ ପଞ୍ଚାୟତର ଜୁରୁଡ଼ି ଗାଁ । ଗାଁରେ ୪୫ଟି ଘର ଓ ସେଥିରେ ରହନ୍ତି ୪୫ଟି ପରିବାର । ଆଗରୁ ପୁରୁଷମାନେ ମଦ୍ୟପାନ କରି ଦୈନିକ ହିଂସାତ୍ମକ ଘଟଣା ଘଟାଉଥିଲେ । ସ୍ତ୍ରୀଲୋକମାନଙ୍କୁ ପିଟାମରା ବି କରୁଥିଲେ ।

ଏଇ ଗାଁରେ ମହିଳାମାନେ ପୁରୁଷମାନଙ୍କ ସହ ମିଶି କାମ କରନ୍ତି ଓ ଅର୍ଥ ଉପାର୍ଜନ କରନ୍ତି ।
ମାତ୍ର ଗାଁର ମହିଳାମାନେ ଏକାଠି ହୋଇ ଏସବୁକୁ ବିରୋଧ କରିବା ଆରମ୍ଭ କଲେ । ସେମାନେ ଗାଁର ସବୁ ପୁରୁଷଲୋକଙ୍କୁ ରୋକଟୋକ୍ କହିଦେଲେ ଯେ ମଦ ପିଇ ପଇସା ଉଡ଼େଇବା ଓ ନିଜକୁ ଅକାମୀ କରି ରଖିବା ଆଉ ବରଦାସ୍ତ କରାଯିବ ନାହିଁ ।
ମହିଳାମାନେ ନିଷ୍ପତ୍ତି ନେଲେ ଯେ କେହି ଯଦି ମଦ ପିଉଛି ବୋଲି ଜଣା ପଡ଼଼େ ତାହେଲେ ତା’ ଠାରୁ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । ପ୍ରଥମେ ପ୍ରଥମେ ଜୋରିମାନାକୁ ଭୟ କରି ପୁରୁଷଲୋକେ ମଦ ପିଇବା କମ୍ କରିଦେଲେ । ଏବେ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି ।
‘‘ମଦ ବନ୍ଦ୍ ହେବା ଦିନରୁ ଗାଁକୁ ଶାନ୍ତିଶୃଙ୍ଖଳା ଫେରି ଆସିଛି । ପୁରୁଷଲୋକମାନେ କର୍ମଠ ହୋଇ ଉଠିଛନ୍ତି । ସେମାନେ ସାମୁହିକ ନିୟମ ମାନି ମଦ ପିଇବା ବନ୍ଦ୍ କରି ଦେଇଥିବାରୁ ଆମେ ସେମାନଙ୍କୁ ଧନ୍ୟବାଦ ଦେଉଛୁ,’’ କହିଛନ୍ତି ଗାଁର ଜଣେ ମହିଳା ହେନ୍ତା ତାଡ଼ିଙ୍ଗି ।
ବାହାଘର ଓ ଯାନିଯାତ୍ରାରେ ଆଦିବାସୀମାନେ ସାଧାରଣତଃ ପ୍ରଚୁ଼ର ପରିମାଣରେ ମଦ ବ୍ୟବହାର କରନ୍ତି । ଏପରିକି ବନ୍ଧୁ ପରିଜନଙ୍କ ଘରକୁ ଗଲେ ମଦକୁ ଉପହାର ସ୍ବରୂପ ନିଆଯାଏ । କିନ୍ତୁ ଆଦିବାସୀବହୁଳ ଜୁରୁଡ଼ି ଗାଁରେ ମଦ୍ୟପାନ ବନ୍ଦ ହେବା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ରାୟଗଡ଼ାର ଅବକାରୀ ଅଧିକ୍ଷକ ଦଣ୍ଡପାଣି ବେହେରା ଜୁରୁଡ଼ି ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଏହାର ପ୍ରଭାବ ଆଖପାଖ ଗାଁରେ ପଡ଼ିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।