ଜାତୀୟ ରାଜପଥରେ ପରିବହନ ବିଭାଗର ସଜାଗ ନୀତି; ୨୪ଟି ଗ୍ୟାଣ୍ଟ୍ରି ପଏଣ୍ଟ ଜରିଆରେ ରଖିବ ନଜର

ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୨୪ଟି ଗ୍ୟାଣ୍ଟ୍ରି ପଏଣ୍ଟରେ ନିୟମ ଖିଲାପକାରୀଙ୍କ ଉପରେ ରଖାଯାଇଛି ନଜର। ପ୍ରାଥମିକ ଭାବେ ସ୍ପିଡ଼୍ ଡ଼୍ରାଇଭିଂ ଉପରେ ନଜର ରଖାଯାଇଥିବା ବେଳେ ଧୀରେ ଧୀରେ ଅନ୍ୟ ନିୟମ ଉଲ୍ଲଂଘନକୁ ମଧ୍ୟ ପରିସରଭୁକ୍ତ କରାଯିବ ବୋଲି କୁହାଯାଇଛି।

୨୪ ଟି ଗ୍ୟାଣ୍ଟ୍ରି ପଏଣ୍ଟ ଜରିଆରେ ନଜର

୨୪ ଟି ଗ୍ୟାଣ୍ଟ୍ରି ପଏଣ୍ଟ ଜରିଆରେ ନଜର

  • Share this:
News 18 Odia Digital

ଭୁବନେଶ୍ୱର: ଜାତୀୟ ରାଜପଥ ଉପରେ ନିୟମ ଭିତରେ ଗାଡ଼ି ଚଳାଉଛନ୍ତି ତ? ଯଦି ନା ତାହାହେଲେ ଖୁବ୍‌ ଶୀଘ୍ର ଆପଣମାନେ ପଡ଼ି ପାରନ୍ତି ସଡ଼କ ପରିବହନ ବିଭାଗର ନିୟମ ଖିଲାପକାରୀଙ୍କ ତାଲିକା ଭିତରେ। ଏଥିପାଇଁ ଆପଣଙ୍କ ଉପରେ ସଜାଗ ନଜର ରଖିଛି ରାଜ୍ୟ ପରିବହନ ବିଭାଗ।

ଦ୍ରୁତଗତିରେ ଗାଡ଼ି ଚାଳନା, ରଙ୍ଗ୍‌ରୁଟ୍‌ରେ ଗାଡ଼ି ଚାଳନା, ବାଇକରେ ଦୁଇରୁ ଅଧିକ ଯାତ୍ରୀଙ୍କୁ ବସାଇବା, ମାଲ ପରିବହନ ଗାଡ଼ିରେ ଯାତ୍ରୀ ନେବା ଆଣିବା କରିବା, ଗାଡ଼ି ଚଳାଇବା ସମୟରେ ମୋବାଇଲରେ କଥା ହେବା ଆଦି ନିୟମ ଖିଲାପ ଯଦି କରୁଛନ୍ତି ତାହାହେଲେ ୫୦୦ ଟଙ୍କାରୁ ଆରମ୍ଭ କରି ୫୦ ହଜାର ଟଙ୍କା ମଧ୍ୟ ଆପଣଙ୍କୁ ଜୋରିମନା ଦେବାକୁ ପଡ଼ିପାରେ।

ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୨୪ଟି ଗ୍ୟାଣ୍ଟ୍ରି ପଏଣ୍ଟରେ ନିୟମ ଖିଲାପକାରୀଙ୍କ ଉପରେ ରଖାଯାଇଛି ନଜର। ପ୍ରାଥମିକ ଭାବେ ସ୍ପିଡ଼୍ ଡ଼୍ରାଇଭିଂ ଉପରେ ନଜର ରଖାଯାଇଥିବା ବେଳେ ଧୀରେ ଧୀରେ ଅନ୍ୟ ନିୟମ ଉଲ୍ଲଂଘନକୁ ମଧ୍ୟ ପରିସରଭୁକ୍ତ କରାଯିବ ବୋଲି କୁହାଯାଇଛି। ରାଜ୍ୟ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ସଞ୍ଜୟ ବିଶ୍ୱାଳଙ୍କ ସୂଚନା ଅନୁସାରେ, ବଢୁଥିବା ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି ଏହି ଅଭିଯାନ।

ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କ୍ୟାମେରାର ବ୍ୟବସ୍ଥା କରାଯାଇଛି, ଯାହା ଜରିଆରେ ନିୟମ ଖିଲାପକାରୀଙ୍କ ଉପରେ ନଜର ରଖିହେବ। ଗ୍ୟାଣ୍ଟ୍ରି ପଏଣ୍ଟ ଗୁଡ଼ିକରେ ଲାଗିଥିବା କ୍ୟାମେରା ଜରିଆରେ ଗାଡ଼ିର ନମ୍ବର ପ୍ଲେଟରୁ ତଥ୍ୟ ଜାଣିହେବା ସହିତ ଗାଡ଼ି ଚାଳକ କେଉଁର୍ଭଳି ପ୍ରକାରର ନିୟମ ଉଲ୍ଲଂଘନ କରୁଛନ୍ତି ତାକୁ ମଧ୍ୟ ନଜର ରଖାଯାଇପାରିବ। ଏସମସ୍ତ ତଥ୍ୟ ଭୁବନେଶ୍ୱର ଆରଟିଓରେ ରହିଥିବା କଣ୍ଟ୍ରୋଲ ରୁମରେ ୨୪ ଘଣ୍ଟା ରେକର୍ଡ଼ କରାଯିବ। ରେକର୍ଡ଼ ଭିଡ଼ିଓକୁ ଆନାଲିସ୍‌ସ କରି ନିୟମ ଖିଲାପକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ।

ସେ ସ୍ପଷ୍ଟ କରିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧାର ରାମେଶ୍ୱରପୁରମଠାରୁ ୧୬ ନଂ ଜାତୀୟ ରାଜପଥରେ ପାଣିକୋଇଲି ପର୍ଯ୍ୟନ୍ତ ମୋଟ ୧୪୦ କିମି ରାସ୍ତାରେ ଗ୍ୟାଣ୍ଟ୍ରି ପଏଣ୍ଟ କରାଯାଇଛି। କେବଳ ଏହି ରାସ୍ତା ଭିତରେ ମୋଟ ୨୧ଟି ଗ୍ୟାଣ୍ଟ୍ରି ପଏଣ୍ଟ କରାଯାଇଥିବା ବେଳେ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଆଉ ତିନୋଟି ଗ୍ୟାଣ୍ଟ୍ରି ପଏଣ୍ଟ କରାଯାଇଛି ।

ଏହି ପଏଣ୍ଟ ଗୁଡ଼ିକରେ ପ୍ରଥମ ପର୍ଯ୍ୟାୟରେ ସ୍ପିଡ଼୍ ଡ଼୍ରାଇଭିଂ ବା ଦ୍ରୁତ ଗାଡ଼ି ଚାଳନା ଉପରେ ନଜର ଦିଆଯାଇଛି। ଏହି ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବା ବେଳେ ଧୀରେ ଧୀରେ ଅନ୍ୟ ନିୟମଖିଲାପକାରୀଙ୍କୁ ଏହି ପରିସରଭୁକ୍ତ କରାଯିବ। ନମ୍ବର ପ୍ଲେଟ ରିଡ଼ିଂ ଦ୍ୱାରା ଗାଡ଼ି ଚାଳନାରେ କ’ଣ ତ୍ରୁଟି ରହିଛି ଓ ଏଥିପାଇଁ ତାଙ୍କୁ କ’ଣ ଜୋରିମନା କରାଯାଇଛି ସେନେଇ ବିସ୍ତୃତ ତଥ୍ୟ ମନିଟର ରୁମ୍‌ରେ ଆପେ ଆପେ ଦୃଶ୍ୟମାନ ହେବ। ପରେ ଏହାକୁ ସମ୍ପୃକ୍ତ ଖିଲାପକାରୀଙ୍କ ଠିକଣାରେ ପଠାଇ ଦିଆଯିବ।
Published by:Soumyashree Mishra
First published: