News18 Odia Digital
ବ୍ରହ୍ମପୁର: ପୁଣି ସ୍ବାବଲମ୍ବୀ ହେବେ କିନ୍ନର। ଭଲ ଦୁଇ ପଇସା ରୋଜଗାର କରି ସମ୍ମାନର ସହ ଜୀବନ ବିତାଇବେ। ଏଭଳି ସୁବିଧା ଯୋଗାଇ ଦେଇଛି ବ୍ରହ୍ମପୁର ମହାନଗର ନିଗମ। ସହରର ବିଭିନ୍ନ ପାର୍କିଂ ସ୍ଥଳୀମାନଙ୍କ ଠାରୁ କିନ୍ନରମାନେ ପାର୍କିଂ ଫି ଆଦାୟ କରିବେ।
କିନ୍ନରମାନଙ୍କୁ ପୁଣି ଥରେ ପାର୍କିଂ ଫି ଆଦାୟ କରିବା ନିମନ୍ତେ ଦାୟିତ୍ବ ଦେଲା ବ୍ରହ୍ମପୁର ମହାନଗର ନିଗମ। ଏନେଇ କିନ୍ନରଙ୍କ ସହ ବୈଠକ କରିବା ପରେ ଏଭଳି ନିଷ୍ପତ୍ତି ନେଇଛି ବି.ଏମ.ସି. । କିନ୍ନରମାନେ ପାର୍କିଂ ଫିର ୪୦ ପ୍ରତିଶତ ରଖିବେ ବଳକା ୬୦ ପ୍ରତିଶତ ଫି ବି.ଏମ.ସି.କୁ ପ୍ରଦାନ କରିବେ ।
ଏଭଳି ନିଷ୍ପତ୍ତିରେ ସହମତି ପ୍ରକାଶ କରିଛନ୍ତି କିନ୍ନରମାନେ। ଯେହେତୁ ପୂର୍ବରୁ ବି.ଏମ.ସି. ପକ୍ଷରୁ ପାର୍କିଂ ଫି ଆଦାୟ କରିବା ନିମନ୍ତେ ଦାୟିତ୍ବ ଦିଆହୋଇଥିଲା କିନ୍ତୁ କିନ୍ନରମାନଙ୍କୁ କେବଳ ପାଞ୍ଚ ପ୍ରତିଶତ ଫି ରଖିପାରିବେ ବୋଲି କୁହାଯାଇଥିଲା।

କିନ୍ନରମାନଙ୍କୁ ପୁଣି ଥରେ ପାର୍କିଂ ଫି ଆଦାୟ କରିବା ନିମନ୍ତେ ଦାୟିତ୍ବ ଦେଲା ବ୍ରହ୍ମପୁର ମହାନଗର ନିଗମ
ଯାହାଫଳରେ ମାତ୍ର ୧୫ ଦିନର ଫି ଆଦାୟ ପରେ କିନ୍ନରମାନେ ଏଥିରୁ ଓହରି ଯାଇଥିଲେ। ବର୍ତ୍ତମାନ ତାଙ୍କୁ ଅଧିକ ଟଙ୍କା ମିଳିଥିବା ଯୋଗୁଁ ଏଥିରେ ସେମାନେ ରାଜି ହୋଇଥିବା ବେଳେ ତାଙ୍କୁ ଏଭଳି କାମ ଯୋଗାଇ ଦେଇଥିବା ଯୋଗୁଁ ବି.ଏମ.ସି.କୁ କିନ୍ନରମାନେ ଧନ୍ୟବାଦ ଦେଇଛନ୍ତି। ସେପଟେ ସହରବାସୀ ବି.ଏମ.ସି.ର ଏଭଳି ପଦକ୍ଷେପକୁ ସ୍ବାଗତ କରିଥିବା ବେଳେ ଏହା ନିଶ୍ଚିତ ଭାବେ କିନ୍ନରଙ୍କୁ ନିଜର ଜୀବନ ଜୀବିକା ନିର୍ବାହ କରିବାରେ ବେଶ୍ ସହାୟକ ହେବ ବୋଲି କହିଛନ୍ତି।
ଏହି ଅବସରରେ କିନ୍ନର ପ୍ରୀତି ପଟ୍ଟନାୟକ କହିଛନ୍ତି, ‘‘ପ୍ରତିଦିନ ଯେତେ ପରିମାଣରେ ପାର୍କିଂ ଫି ଆଦାୟ କରିବୁ ସେଥିରୁ ଆମେମାନେ ୪୦ ପ୍ରତିଶତ ରଖିବୁ ବଳକା ୬୦ ପ୍ରତିଶତ ଟଙ୍କା ବି.ଏମ.ସି.କୁ ପ୍ରଦାନ କରିବୁ। ଏଭଳି ନିଷ୍ପତ୍ତି ନେଇଛି ବ୍ରହ୍ମପୁର ମହାନଗର ନିଗମ। ବି.ଏମ.ସି.ର ଏଭଳି ନିଷ୍ପତ୍ତିରେ ରାଜି ହୋଇଛୁ ଆମେମାନେ। ପୁଣି ଥରେ ଆମକୁ ସ୍ବାବଲମ୍ବୀ କରିବା ନିମନ୍ତେ ବି.ଏମ.ସି. ପଦକ୍ଷେପ ନେଇଥିବା ଯୋଗୁଁ ଧନ୍ୟବାଦ ଜଣାଉଛୁ।’’
‘‘ଯେହେତୁ ପୂର୍ବରୁ କିଭଳି ପାର୍କିଂ ଫି ଆଦାୟ କରିବୁ ସେ ନେଇ ଆମେ ଟ୍ରେନିଂ ପାଇସାରିଛୁ। ଯାହାଫଳରେ ଆମେ ଉଣା ଅଧିକେ ପାର୍କିଂ ଫି ଆଦାୟ ନେଇ ଜ୍ଞାନ ରହିଥିବା ବେଳେ ଆଗାମୀ ଦିନରେ ପୁଣି ଆମକୁ ଟ୍ରେନିଂ ଦିଆଯିବା ନେଇ ଯୋଜନା ରହିଛି। ପାର୍କିଂ ଫି ଆଦାୟ ବେଳେ କିଭଳି କୌଣସି ବିଶୃଙ୍ଖଳା ସୃଷ୍ଟି ନ ହୁଏ ସେ ନେଇ ବି.ଏମ.ସି. ସମସ୍ତ ପ୍ରକାରର ଦାୟିତ୍ବ ନେବ। ଯଦି କେହି ବିଶୃଙ୍ଖଳା ସୃଷ୍ଟି କରନ୍ତି ତେବେ ସିଧାସଳଖ ବି.ଏମ.ସି.କୁ ଜଣାଇବା ନିମନ୍ତେ ଆମକୁ କୁହାଯାଇଛି। ଯେହୁତୁ ପୁଣି ଥରେ ରୋଜଗାରର ପନ୍ଥା ପାଇଛି ଯାହାକୁ ନେଇ ବେଶ୍ ଖୁସୀ ଅଛୁ,’’ କହିଛନ୍ତି କିନ୍ନର ଲଭଲି।
ବ୍ରହ୍ମପୁର ସହରର ପ୍ରମୁଖ ପାର୍କିଂ ସ୍ଥଳୀମାନଙ୍କରେ କିନ୍ନରମାନଙ୍କୁ ନିୟୋଜିତ କରାଯିବ। ସହରର ଅନ୍ନପୂର୍ଣ୍ଣା ମାର୍କେଟ୍, ଗାନ୍ଧିନଗର ସାଇ କମ୍ଲେକ୍ସ, ପୁରୁଣା ବସଷ୍ଟାଣ୍ଡ ଓ ମୟୁରୀ ଟାୱାର ସମ୍ମଖରୁ ପାର୍କିଂ ଫି ଆଦାୟ କରାଯିବା ନେଇ ଯୋଜନା ରହିଛି। ଏହି ସ୍ଥାନ ବିଷୟ ବି.ଏମ.ସି. ପକ୍ଷରୁ କିନ୍ନରମାନଙ୍କୁ ଜଣାଇ ଦିଆଯାଇଛି।
କିନ୍ନରମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ବି.ଏମ.ସି.ର ଏଭଳି ପଦକ୍ଷେପ ସ୍ବାଗତ ଯୋଗ୍ୟ । ଏଭଳି ପାର୍କିଂ ଫି କରିବା ଦ୍ବାରା କିନ୍ନରମାନେ ନିଜର ଜୀବନ ଜୀବିକା ନିର୍ବାହ କରିପାରିବେ। ଏହା ସହ ବି.ଏମ.ସି. ମଧ୍ୟ ଯେଉଁଭଳିଆ ରାଜସ୍ବ ହରାଉଥିଲା ସେଥିରୁ ମୁକ୍ତି ପାଇପାରିବ ବୋଲି କହିଛନ୍ତି ବ୍ରହ୍ମପୁର ବାସିନ୍ଦା ମୋହନ ସିଂହାରୀ ।
ପୂର୍ବରୁ ଚପଲ ପ୍ରସ୍ତୁତ କରିବା ନିମନ୍ତେ କିନ୍ନରମାନଙ୍କୁ ସେଠାରେ ନିୟୋଜିତ କରାଯାଇଥିଲା। ଗତ ବର୍ଷ ପାର୍କିଂ ଫି ଆଦାୟ ନେଇ ଟ୍ରେନିଂ ଦିଆଯିବା ସହିତ କିଛି ଦିନ ପାର୍କିଂ ଫି ମଧ୍ୟ ଆଦାୟ କରିଥିଲେ। ବର୍ତ୍ତମାନ ପୁଣି ଥରେ ପାର୍କିଂ ଫି ଆଦାୟ ନିମନ୍ତେ କିନ୍ନରମାନଙ୍କୁ ଦାୟିତ୍ବ ଦିଆଯାଇଛି । ତେବେ ପୂର୍ବରୁ କିନ୍ନରମାନଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ଦୁଇଟି ପଦକ୍ଷେପ ଫେଲ ମାରିଥିବା ବେଳେ ବର୍ତ୍ତମାନ ନିଆଯାଇଥିବା ପଦକ୍ଷେପ କିଭଳି ସଠିକ୍ ଭାବେ କାର୍ଯ୍ୟକାରୀ ହେବ ଓ କିନ୍ନରମାନେ ଲାଭ ପାଇପାରିବେ ସେ ନେଇ ବି.ଏମ.ସି. ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ବ୍ରହ୍ମପୁର ବାସିନ୍ଦା କାହ୍ନ ପତି।
୨୦୧୭-୧୮ ଆର୍ଥିକ ବର୍ଷରେ ପାର୍କିଂ ଫି ବାବଦକୁ ବି.ଏମ.ସି. ଛଅ ଲକ୍ଷ ରାଜସ୍ବ ଆଦାୟ କରିଥିଲା । ସେହିପରି ୨୦୧୮-୧୯ରେ ୫ ଲକ୍ଷ ୯୫ ହଜାର, ୨୦୧୯-୨୦ରେ ୩ ଲକ୍ଷ ୯୪ ହଜାର ଆଦାୟ ହୋଇଥିବା ବେଳେ ୨୦୨୦-୨୧ ବର୍ଷରେ କୌଣସି ରାଜସ୍ବ ଆଦାୟ ହୋଇନାହିଁ । ତେବେ ଚଳିତ ବର୍ଷ କିଭଳି ରାଜସ୍ବ ଆଦାୟ ହେଉଛି ଓ କିନ୍ନରମାନେ କେତେ ଉପକୃତ ହେଉଛି ତାହା ଦେଖିବାକୁ ବାକି ରହିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।