News 18 Odia Digital
ଢେଙ୍କାନାଳ; ସହରର କଣ୍ଟାନାଳୀ ବାଇପାସ ନିକଟରେ ଥିବା ହିମାଳୟ କିନ୍ନର ବସ୍ତିରେ ପାଳିତ ହୋଇଛି ବହୁଚରା ମାତା ପୂଜା। ନିଜର ଇଷ୍ଟଦେବୀ ଭାବରେ କିନ୍ନରମାନେ ବହୁଚରା ମାତାଙ୍କୁ ପୂଜା କରିଥାନ୍ତି। ଏହି ଦିନ ସକାଳୁ ବସ୍ତିର ସମସ୍ତ କିନ୍ନର ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ପରେ ନିଜର ଇଷ୍ଟଦେବୀଙ୍କୁ ମନ୍ଦାର ଫୁଲ ମାଳ ଓ ଲେମ୍ବୁ ମାଳ ଦେବା ସହ ସାତ ପ୍ରକାରର ମିଠା ସହ ସାତ ପ୍ରକାରର ଫଳ ମଧ୍ୟ ଅର୍ପଣ କରିଥାନ୍ତି । କିନ୍ନରମାନେ ଏହି ଦିନ କଏନ ପଇସାକୁ ସାଧ୍ୟ କରି ମା'ଙ୍କ ନିକଟରେ ରଖିଥାନ୍ତି ।

ଚଳିତଥର ବହୁଚରା ମାତା ପୂଜା ପାଇଁ ଢେଙ୍କାନାଳ ସ୍ଥିତ ହିମାଳୟ କିନ୍ନର ବସ୍ତିରେ ବ୍ୟାପକ ଆୟୋଜନ କରାଯାଇଥିଲା । ଭୋଜିଭାତ କରି ବାଜା ବଜାଇ ନାଚ ଗୀତରେ ସମସ୍ତେ ମସଗୁଲ ହୋଇଥିଲେ। ଏହି ପୂଜାରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ କଟକ, ଭୁବନେଶ୍ୱର, ଅନୁଗୁଳ, ଦେବଗଡ ଜିଲ୍ଲାରୁ ଅନେକ ଜଣ କିନ୍ନର ଆସି ଯୋଗଦାନ କରିଥିଲେ। ବିଭିନ୍ନ ଜିଲ୍ଲାରୁ ଆସିଥିବା କିନ୍ନରମାନେ ବାଜା ବଜାଇ ନାଚଗୀତ ମାଧ୍ୟମରେ ଆନନ୍ଦ ଉଲ୍ଲାସର ସହ ଢେଙ୍କାନାଳ ସହର ପରିକ୍ରମା କରିଥିଲେ।

ଏହି ପରିପ୍ରେକ୍ଷୀରେ ହିମାଳୟ ବସ୍ତିରେ କିନ୍ନରମାନଙ୍କ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ନେଇ ଏକ ଆଲୋଚନା ଚକ୍ରର ଆୟୋଜନ ମଧ୍ୟ କରାଯାଇଥିଲା। ଏଥିରେ ଢେଙ୍କାନାଳ ପୌରପାଳିକା କର୍ମଚାରୀ, ବ୍ୟାଙ୍କ କର୍ମଚାରୀ ଓ ଏନଜିଓମାନେ ଯୋଗଦାନ କରିଥିଲେ। ଆଗକୁ କିନ୍ନରମାନଙ୍କୁ ନେଇ ଏସଏଚଜି ଗୃପ ତିଆରି କରିବା ସହ ଧନ୍ଦାମୁଳକ ଶିକ୍ଷା ପ୍ରଦାନ ପାଇଁ ପ୍ରଚେଷ୍ଟା କରାଯିବା ନେଇ ଆଲୋଚନା ହୋଇଥିଲା। କିନ୍ନରମାନଙ୍କୁ କିଭଳି ସମାଜର ମୁଖ୍ୟସ୍ରୋତକୁ ଫେରାଇ ଅଣାଯିବ ସେନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି କହିଛନ୍ତି ବ୍ୟାଙ୍କ କର୍ମଚାରୀ ଓ ଏନଜିଓ ଅଧିକାରୀ।
"ବସ୍ତିରେ ରହୁଥିବା ନବାଗତ କିନ୍ନରମାନଙ୍କ ମଧ୍ୟରୁ ଯାହାକୁ ତାଙ୍କର ଇଷ୍ଟ ଦେବୀ ସ୍ୱପ୍ନାଦେଶ କରିଥାନ୍ତି କିମ୍ବା ନିଜକୁ ଯେତେବେଳେ ଜଣେ ସମ୍ପୂର୍ଣ୍ଣ କିନ୍ନର ବୋଲି ଅନୁଭବ କରିଥାଏ ସେତେବେଳେ ସେହି କିନ୍ନରଙ୍କ ପାଇଁ ଏହି ବହୁଚରା ମାତା ପୂଜାର ଆୟୋଜନ କରାଯାଇଥାଏ। ଏହାକୁ ଗୁରୁଚେଲା ପରମ୍ପରାର ଶିଶ୍ୱତ୍ୱ ଗ୍ରହଣ ପୂଜା ବୋଲି ମଧ୍ୟ ବିବେଚନା କରାଯାଏ ବୋଲି କହିଛନ୍ତି ରାଜ୍ୟ କିନ୍ନର ସଂଘର ସଭାପତି ମୀରା ପରିଡା।"
"ସ୍ୱପ୍ନାଦେଶ ପାଇଥିବା କିନ୍ନରମାନେ ଦୀର୍ଘ ୪୧ ଦିନ ପର୍ଯ୍ୟନ୍ତ ନିଜ ଇଷ୍ଟଦେବୀଙ୍କ ଧ୍ୟାନରେ ରହିଥାନ୍ତି। ତା'ସହିତ ସେହି ସମୟରେ କୌଣସି ପର ପୁରୁଷର ମୁହଁ ମଧ୍ୟ ଦେଖିନଥାନ୍ତି ବୋଲି ପରମ୍ପରା ରହିଛି। ପରବର୍ତ୍ତୀ ସମୟରେ ସେହି କିନ୍ନରଙ୍କୁ ଶିଶ୍ୱତ୍ୱ ଦିଆଯାଇଥାଏ ବା କିନ୍ନର ସମାଜରେ ସାମିଲ କରାଯାଇଥାଏ। ଇଷ୍ଟଦେବୀଙ୍କ ନିକଟରେ ସମସ୍ତ ରିତୀନିତୀରେ ପୂଜାର୍ଚ୍ଚନା କରାଯାଇ ନାଚ ଗୀତ ଭୋଜି ଭାତର ଆୟୋଜନ ହୋଇଥାଏ। ସମସ୍ତ କିନ୍ନର ସମାଜ ଏହାକୁ ଏକ ବଡ ପର୍ବ ଭାବେ ପାଳନ କରିଥାନ୍ତି ବୋଲି କହିଛନ୍ତି ହିମାଳୟ କିନ୍ନର ବସ୍ତିର ସଭାପତି ଛବି କିନ୍ନର।"
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।