News18 Odia Digital
କଟକ: କିନ୍ନର। ଏହି ଶବ୍ଦ କିମ୍ବା ବର୍ଗ ସମାଜ ପାଇଁ ଆଉ ଅସ୍ପୃଶ୍ୟ ହୋଇ ରହିନାହିଁ। ତୃତୀୟ ଲିଙ୍ଗର ମାନ୍ୟତା ମିଳିବା ପରେ କିନ୍ନରମାନେ ସମାଜର ମୁଖ୍ୟସ୍ରୋତକୁ ଆସିବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି। ତାର ଏକ ନିଚ୍ଛକ ଉଦାହରଣ ହେଉଛନ୍ତି କଟକ କଲେଜ ଛକ ବାସିନ୍ଦା ତନୁଶ୍ରୀ ବେହେରା।
ଏକ ମାତ୍ର କିନ୍ନର ପ୍ରାଥି ଭାବେ ସିଏମସି ନିର୍ବାଚନକୁ ଓହ୍ଲାଇଛନ୍ତି ତନୁଶ୍ରୀ । କଟକ ମହାନଗର ନିଗମର ୩୮ ନମ୍ବର ୱାର୍ଡ଼ ପାଇଁ କର୍ପୋରେଟର ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ତନୁଶ୍ରୀ ଅନ୍ୟ ପ୍ରାର୍ଥୀମାନଙ୍କ ଭଳି ଘରକୁ ଘର ବୁଲି ବୁଲି ଭୋଟ ଭିକ୍ଷା କରୁଛନ୍ତି । ପୂର୍ବରୁ ଅନେକ ଲୋକଙ୍କୁ ନିର୍ବାଚିତ କରିଥିବା ଭୋଟରଙ୍କୁ ଥରଟିଏ ଜଣେ କିନ୍ନରଙ୍କ ପ୍ରତି ଆସ୍ଥା ପ୍ରକଟ କରିବା ପାଇଁ ନିବେଦନ ମଧ୍ୟ କରୁଛନ୍ତି ।
"ମୁଁ ଯେବେ ଘର ଛାଡ଼ି ଆସିଲି ସେବେ ଠାରୁ ଏହି ଅଞ୍ଚଳରେ ରହୁଛି । ତେଣୁ ଏହି ଅଞ୍ଚଳରେ ଥିବା ସମସ୍ୟା ଓ ଲୋକଙ୍କ ଅସୁବିଧା ବାବଦରେ ମୁଁ ବେଶ ଭଲଭାବେ ଅବଗତ । ତେଣୁ ସେଗୁଡ଼ିକର ସମାଧାନ ପାଇଁ ମୁଁ ନିର୍ବାଚନକୁ ଓହ୍ଳାଇଛି । ମୋ ପାଖରେ ଦଳର ବଳ, ଅର୍ଥ ବଳ କିମ୍ବା ଲୋକ ବଳ ନାହିଁ । ଯଦି କିଛି ଅଛି ତାହା ହେଉଛି ସମାଜ ପାଇଁ ଓ ଅଞ୍ଚଳ ପାଇଁ କିଛି କରିବାର ଇଚ୍ଛା ଶକ୍ତି । ସେଥିପାଇଁ ମୁଁ କର୍ପୋରେଟର ପଦ ପାଇଁ ନିର୍ବାଚନ ଲଢୁଛି । ଆଶା କରୁଛି କି ମୋ ଓ୍ବାର୍ଡ଼ବାସୀ ମୋ ପ୍ରତି ଆସ୍ଥାପ୍ରକଟ କରି ମୋତେ ଭୋଟ ଦେବେ,"କହିଛନ୍ତି ତନୁଶ୍ରୀ ବେହେରା।
ନିଜ କିନ୍ନର ସମାଜର ଲୋକଙ୍କ ଜୀବନ ଧାରଣ ମାନର ଉନ୍ନତି ଆଣିବା ପାଇଁ ବେଶ କିଛି ଦିନ ହେଲା ପ୍ରୟାସ ଜାରି ରଖିଛନ୍ତି ତନୁଶ୍ରୀ । ବର୍ଷର ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଜରିଆରେ ସହରରେ ବସବାସ କରୁଥିବା କିନ୍ନରମାନଙ୍କୁ ଟ୍ରେନରେ ଭିକ୍ଷା ବୃତ୍ତି ତଥା ଅନୈତିକ କାର୍ଯ୍ୟରୁ ନିବୃତ ରଖିବା ପାଇଁ ସେ ଉଦ୍ୟମ କରୁଛନ୍ତି । ଯାହାକି ତାଙ୍କୁ ସହରବାସୀଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି । ସେହି ପରିଚୟକୁ ଆଧାର କରି ସେ ଏବେ ନିର୍ବାଚନ ରଣାଙ୍ଗନରେ ଅଛନ୍ତି ।
ତେବେ ନିର୍ବାଚନରେ ତନୁଶ୍ରୀ ଭାଗ ନେବାକୁ ନେଇ ତାଙ୍କର ୱାର୍ଡବାସୀ ତନୁଶ୍ରୀଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି । "ଆମ ଓ୍ବାର୍ଡ଼ରେ ବହୁ ସଂଖ୍ୟାରେ କିନ୍ନର ରହୁଛନ୍ତି । ପୂର୍ବ ଅପେକ୍ଷା ସେମାନେ ବହୁ ସଂଖ୍ୟାରେ ସମାଜର ମୁଖ୍ୟସ୍ରୋତକୁ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଆତ୍ମ ନିର୍ଭରଶୀଳ ବି ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆମ ଅଞ୍ଚଳର ଜଣେ କିନ୍ନର କର୍ପୋରେଟର ପ୍ରାର୍ଥୀ ଭାବେ ପ୍ରଥମ ଥର ଲାଗି ରାଜନୀତିକୁ ଆସିଥିବାରୁ ଆମେ ଖୁସି," କହିଛନ୍ତି ୩୮ ନମ୍ବର ୱାର୍ଡ଼ ବାସିନ୍ଦା ପ୍ରଭାଂଶୁ ଷଡଙ୍ଗୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।