News 18 Odia Digital
ପୁରୀ; ଟ୍ରେନରେ ଲୁଟ୍ କରିବା ପାଇଁ ଲୁଟେରାଙ୍କ ନୂଆ ଉପାୟ । ପଇଡ଼ ଭିତରେ ନିଶା ଦେଉଥିଲେ । ନିଶାଦ୍ରବ୍ୟ ମିଶ୍ରିତ ପଇଡ଼ ପିଇଲା ପରେ ବେହୋସ୍ ହୋଇପଡ଼ୁଥିଲେ ଯାତ୍ରୀ । ଏହାର ଫାଇଦା ନେଇ ଟ୍ରେନ ଯାତ୍ରୀଙ୍କ ଠାରୁ କରୁଥିଲେ ଲୁଟ୍।
"ଯାତ୍ରୀଙ୍କ ସୁନାଗହଣା ଠାରୁ ଆରମ୍ଭ କରି ଟଙ୍କା ଏବଂ ମୋବାଇଲ ଲୁଟୁଥିଲେ । ତେବେ ଏଭଳି ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁରୀ ଆରପିଏଫ ଏବଂ ଜିଆରପି"।
"ଗ୍ୟାଙ୍ଗର ୪ଜଣ ଲୁଟେରାକୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୩ଟି ସୁନା ଚେନ୍, ପାଞ୍ଚୋଟି ସୁନା ମୁଦି, ଗୋଟିଏ ମଙ୍ଗଳସୂତ୍ର, ୮ଟି ଦାମି ମୋବାଇଲ୍, ନଗଦ ୩୯୩୫୦ ଟଙ୍କା ସମେତ ନିଶା ବଟିକା ଓ କଇଞ୍ଚି ଜବତ କରିଛି ପୋଲିସ। ଏସବୁର ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହେବ ବୋଲି କହିଛି ଆରପିଏଫ। ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡର ଧ୍ରୁଗୁଜ ମଣ୍ଡଳ, ଅଶୋକ ମଣ୍ଡଳ, ସୁଶୀଲ ମଣ୍ଡଳ ଓ ବିନୋଦ ପୋଦାର । ଏହି ୪ଲୁଟେରା ଏକ ଗ୍ୟାଙ୍ଗ କରି ବିଭିନ୍ନ ରାଜ୍ୟ ସମେତ ଝାଡ଼ଖଣ୍ଡ ଏବଂ ଓଡ଼ିଶାରୁ ବିଭିନ୍ନ ଯାତ୍ରୀଙ୍କ ଠାରୁ ଲୁଟ୍ କରୁଥିଲେ।
"ଗତ ନଭେମ୍ବର ୩୦ରେ ପୁରୀ-ଗୁଣୁପୁର ଏକ୍ସପ୍ରେସରେ କେ ସୁବାସ ଚନ୍ଦ୍ର ଆଚାରୀ ପରିବାର ସଦସ୍ୟଙ୍କ ସହ ପୁରୀରୁ ବ୍ରହ୍ମପୁର ଯାଉଥିଲେ। ସାକ୍ଷୀଗୋପାଳଠାରେ ଅଭିଯୁକ୍ତମାନେ ଆଚାରୀ ପରିବାର ସହ ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ପଇଡରେ ନିଶା ଦ୍ରବ୍ୟ ମିଶାଇ ପିଇବା ପାଇଁ ଦେଇଥିଲେ। ପଇଡ ପିଇବାର କିଛି ସମୟ ପରେ ଆଚାରୀ ପରିବାର ବେହୋସ୍ ହୋଇଯାଇଥିଲେ। ପରେ ଲୁଟେରା ମାନେ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲେ। ଆଚାରୀ ପରିବାର ବେହୋସ୍ ଅବସ୍ଥାରେ ଥିବାବେଳେ ଆରପିଏଫ ଏବଂ ଜିଆରପି କର୍ମଚାରୀ ସେମାନଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଥିଲେ। ଏନେଇ ପୁରୀ ଜିଆରପି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଲୁଟେରାଙ୍କୁ ଗିରଫ କରିବାରେ ଆରପିଏଫ ଓ ଜିଆରପି ସଫଳ ହୋଇଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆରପିଏଫ ଏସପି।
ତେବେ ରେଳଯାତ୍ରୀଙ୍କୁ ପଇଡ଼ରେ ନିଶା ଦ୍ରବ୍ୟ ଦେଇ ଲୁଟ ଘଟଣାରେ ପୁରୀ ଆରପିଏଫ ଓ ଜିଆରପି ପୋଲିସ ଏକ ଜଏଣ୍ଟ ଟିମ କରି ତଦନ୍ତ ଆରମ୍ଭ କରିଥିଲା । ସେହି ଟିମ୍ ସହାୟତାରେ ଚାରି ଜଣକୁ ଗିରଫ କରାଯାଇଛି । ବାରମ୍ବାର ଏଭଳି ଘଟଣା ପୋଲିସର ସୁରକ୍ଷା ବ୍ୟବସ୍ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥୁବା ବେଳେ ରେଳବାଇ ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି l
ତେବେ ଅନେକ ଚତୁରତାର ସହ ୪ ଜଣ ଯୁବକ ଯାତ୍ରୀଙ୍କୁ ପଇଡ଼ ଦେଇ ତାଙ୍କ ଜିନିଷପତ୍ରକୁ ଟ୍ରେନ ଭିତରେ ଲୁଟ କରି ଝାଡ଼ଖଣ୍ଡ ଚାଲିଯାଉଥିବା ଅଭିଯୁକ୍ତ ମାନିଛନ୍ତି । ଆଗକୁ ଆସୁଛି ନୂଆବର୍ଷ ତେଣୁ ଲକ୍ଷାଧିକ ଭକ୍ତ ତଥା ଜନସାଧାରଣ ଟ୍ରେନ ଯୋଗେ ପୁରୀକୁ ଯାତ୍ରା କରିବେ। ତେଣୁ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ସଜାଗ ରହିବାକୁ ପଡିବ ବୋଲି ସମ୍ମିଳନୀରେ ଆଲୋଚନା କରାଯାଇଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।