News18 Odia Digital
ଭୁବନେଶ୍ୱର: ରାଜଧାନୀରେ ଅମାନିଆ ଅଟୋ ଚାଳକଙ୍କୁ ସାବାଡ଼ କଲା କମିଶନରେଟ ପୋଲିସ। କାଗଜପତ୍ର ଠିକ ନଥାଇ ଅଟୋ ବ୍ୟବସାୟ କରୁଥିବା ଅଟୋଗୁଡ଼ିକୁ ନେଇ ସ୍ୱତନ୍ତ୍ର ଡ୍ରାଇଭ କରି ୨୬ଟି ଅଟୋକୁ ଜବତ କରିଛି ଟ୍ରାଫିକ ପୋଲିସ । ଜବତ ଅଟୋଗୁଡ଼ିକର ଗାଡ଼ି ସମ୍ବନ୍ଧୀୟ କୌଣସି କାଗଜପତ୍ର ଠିକ ନଥିବା ଟ୍ରାଫିକ ପୋଲିସ ପକ୍ଷରୁ କୁହାଯାଇଛି ।
ରାଜଧାନୀରେ ଲୋକଙ୍କ ଠାରୁ ବଳି ଗଲାଣି ଅଟେ ସଂଖ୍ୟା । ଅଟୋଗୁଡ଼ିକ ବେଆଇନ୍ ପାକିଂ ଓ ବେପରୁଆ ଗାଡ଼ି ଚାଳନା ଯୋଗୁଁ ସହରରେ ଟ୍ରାଫିକ ଜାମ୍ ଦେଖାଯାଉଛି। ତେଣୁ ଅଟୋଗୁଡ଼ିକର କାଗଜପତ୍ର କରିବା କରିବାରୁ ୨୬ଟି ଅଟୋକୁ ଜବତ କରିଛି ଟ୍ରାଫିକ ପୋଲିସ । ତେବେ କାଗଜପତ୍ର ସଠିକ୍ ନଥିବା ଅଟୋଗୁଡିକୁ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରାଫିକ ପୁଲିସ ପକ୍ଷରୁ କୁହାଯାଇଛି।
"ଜବତ ହୋଇଥିବା ଅଟୋ ଗୁଡ଼ିକରେ କାଗଜପତ୍ର ନାହିଁ। କାହାର ଫିଟନେସ ନାହିଁ ଆଉ କିଏ ବିନା ଲାଇସେନ୍ସରେ ରାସ୍ତରେ ଗଡୁଥିଲା । ଅମାନିଆ ଅଟୋ ଗୁଡ଼ିକୁ ସାବାଡ଼ କରିବା ପାଇଁ ଆମେ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଥିଲୁ । ଏବେ ୨୬ଟି ଅଟୋକୁ ଜବତ କରାଯାଇଛି ।କାଗଜପତ୍ର ଦେଖାଇ ନପାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ," କହିଛନ୍ତି ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା ।
ରସୁଲଗଡ଼ ଠାରୁ ଆରମ୍ଭ କରି ବାଣୀବିହାର, ଆଚାର୍ଯ୍ୟବିହାର କଳ୍ପନା ମାଷ୍ଟରକ୍ୟାଣ୍ଟିନ ଆଦି ସ୍ଥାନରେ ଟ୍ରାଫିକ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ କରାଯାଇଥିଲା । ଅଟୋଗୁଡ଼ିକ କାଗଜପତ୍ର ଠିକ ନ ରଖି ଯାତ୍ରୀ ବସାଇ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଥିଲା । ତେଣୁ ଅଟୋ ଗୁଡ଼ିକର ଫିଟନେସ ଯାଞ୍ଚ କରିବା ସହ ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା । ଯେଉଁ ଅଟୋ ଚାଳକ ମାନେ ଗାଡ଼ି କାଗଜପତ୍ର ଦେଖାଇ ପାରି ନାହାଁନ୍ତି ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।