ଆଦିବାସୀ ମେଳାରେ ଝଲସୁଛି ପାରମ୍ପରିକ ଗହଣା, କାରୁକାର୍ଯ୍ୟରେ ଶାଣିତ ଆଧୁନିକତା

ଦେଶୀ ଓ ପାରମ୍ପରିକ ଜିନିଷ ଦେଖିବା ଓ କିଣିବା ପାଇଁ ବର୍ଷ ସାରା ଅପେକ୍ଷା କରିଥା’ନ୍ତି ରାଜଧାନୀବାସୀ । ଆଦିବାସୀଙ୍କ ପାରମ୍ପରିକ ଜିନିଷର ଏମିତି ସମ୍ଭାର ସେ ଅପେକ୍ଷାକୁ ପ୍ରଶମିତ କରିଛି ଗ୍ରୀଷ୍ମର ଦ୍ୱିପହରେ ଆସିଥିବା ଅଚ଼ାନକ ଅସରାଏ ବର୍ଷା ପରି ।

ପିତ୍ତଳ ଉପରେ ଆଦିବାସୀଙ୍କ ନିଖୁଣ କାରିଗରୀରେ ତିଆରି ହେଇଛି ଗହଣା ସବୁ ।

ପିତ୍ତଳ ଉପରେ ଆଦିବାସୀଙ୍କ ନିଖୁଣ କାରିଗରୀରେ ତିଆରି ହେଇଛି ଗହଣା ସବୁ ।

  • Share this:
News18 Odia Digital

ଭୁବନେଶ୍ବର: ଗହଣା କାହାକୁ ଭଲ ନ ଲାଗେ? ବଦଳୁଥିବା ଯୁଗକୁ ନେଇ ଫ୍ୟାଶନ୍‌ ବି ବଦଳିବାରେ ଲାଗିଛି, ହେଲେ ଆଜି ବି ପାରମ୍ପରିକ ଜୁଏଲାରୀ ବା ଗହଣାର ଚ଼ାହିଦା ରହିଛି । ରାଜଧାନୀର ଆଦିବାସୀ ମେଳାରେ ପାରମ୍ପରିକ ଜୁଏଲାରୀ ଷ୍ଟଲଗୁଡ଼ିକରେ ଲାଗୁଥିବା ନାହିଁ ନ ଥିବା ଗହଳିରୁ ଏ କଥା ଆହୁରି ସ୍ପଷ୍ଟ ହୋଇଯାଉଛି।

ପିତ୍ତଳରେ ତିଆରି ଭଳିକି ଭଳି ଆଦିବାସୀ ଗହଣାରେ ଝଲସୁଛି ପ୍ରଦର୍ଶନୀ ପଡ଼ିଆର ମେଳା । ତା’ ସାଙ୍ଗକୁ ମନ ମୋହୁଛି ଭଳିକି ଭଳି ପିତ୍ତଳ କାରୁକାର୍ଯ୍ୟରେ ଭରା ଘରସଜା ସାମଗ୍ରୀ । ଯୁଗ ବଦଳିବା ସଙ୍ଗେ ସଙ୍ଗେ ଟ୍ରେଣ୍ଡ ବା ଫ୍ୟାଶନ୍ ବଦଳି ଥିଲେ ବି ଲୋକେ ଆଜି ବି ସୌନ୍ଦର୍ଯ୍ୟରେ ଭରା ପାରମ୍ପରିକ ବସ୍ତୁ ପ୍ରତି ଦେଖାଉଛନ୍ତି ଦୁର୍ବଳତା । ସେଇଥି ପାଇଁ ତ ଆଦିବାସୀ ମେଳାରେ ଜମୁଛି ଭିଡ଼ ।

ଏଠି କେବଳ ପାରମ୍ପରିକ ଗହଣା ପାଇଁ ଲାଗିଛି ୨୦ରୁ ଅଧିକ ଷ୍ଟଲ୍ । ସେଥିରୁ କିଛି ପାରମ୍ପରିକ ଆଦିବାସୀ ଗହଣାର ଷ୍ଟଲ୍‌ ଥିବା ବେଳେ ଆଉ କିଛି ରହିଛି ଫ୍ୟାଶନେବଲ୍ ଟ୍ରେଣ୍ଟି ଆଇଟମର ଷ୍ଟଲ୍‌ ।

ପିତ୍ତଳ ଉପରେ ଆଦିବାସୀଙ୍କ ନିଖୁଣ କାରିଗରୀ ବେଶ୍ ସୁନ୍ଦର ଦିଶୁଛି । ଆଖି ଝଲସିଲା ଭଳି କାରୁକାର୍ଯ୍ୟ । ଯୁବ ପିଢ଼ିଙ୍କ ପାଇଁ ଖାସ୍ ପିତ୍ତଳ ବ୍ରାସଲେଟ୍, ଆଙ୍କଲେଟ୍, ପାୟଲ ଓ ବଡ଼ ହାର ଓ ଇୟର-ରିଂ ଆଣିଛନ୍ତି କାରିଗରମାନେ । ଦାମ୍ ବି ୧୦୦ ଟଙ୍କାରୁ ଆରମ୍ଭ କରି ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି  ।

କେବଳ ପାରମ୍ପରିକ ଗହଣା ପାଇଁ ଲାଗିଛି ୨୦ରୁ ଅଧିକ ଷ୍ଟଲ୍ ।


‘‘ସମୟ କ୍ରମେ ନୂଆ ଟ୍ରେଣ୍ଡକୁ ଦେଖି ନୂଆ ନୂଆ ଗହଣା ବି ଆସିଛି । ଯେମିତି ଲୋକଙ୍କ ଆଧୁନିକ ପେଶାକୁ ଏ ସବୁ ମ୍ୟାଚ୍ କରିବ ସେଥି ପ୍ରତି ବିଶେଷ ଧ୍ୟାନ ଦେଇ ସବୁ ଆଇଟମ୍‌ ତିଆରି କରାଯାଇଛି,’’ କହିଛନ୍ତି ବ୍ୟବସାୟୀ ଜଗଦୀଶ ସାହୁ । ‘‘ପ୍ରତି ବର୍ଷ ଏହି ପାରମ୍ପରିକ ଗହଣା ବେଶ୍ ଭଲ ବ୍ୟବସାୟ ଦେଉଥିବା ବେଳେ ଏ ଥର ବି ଭଲ କରିବୁ,’’ ସେ କହିଛନ୍ତି ।

ପିତ୍ତଳ ଗହଣା ସହିତ ପିତ୍ତଳରେ ତିଆରି ଘରସଜା ସାମଗ୍ରୀକୁ ନେଇ ମଧ୍ୟ ଦେଖିବାକୁ ମିଳିଛି ରାଜଧାନୀବାସୀଙ୍କ ମଧ୍ୟରେ ଉତ୍ସାହ । ଆକର୍ଷଣ ପାଲଟିଛି ଆଦିବାସୀ ଦମ୍ପତିଙ୍କ ମୂର୍ତ୍ତି । ସମ୍ପୂର୍ଣ୍ଣ ଆଦିବାସୀ ପରିପାଟୀରେ ତିଆରି ହୋଇଛି ପ୍ରାୟ ୩୮ କେଜି ପିତ୍ତଳରେ ତିଆରି ଏହି ମୂର୍ତ୍ତି । ଦେଖିବାକୁ ଯେତିକି ସୁନ୍ଦର ଦାମ୍ ବି ସେତିକି ଉଞ୍ଚା ରହିଛି । କେବଳ ଏଇ ମୂର୍ତ୍ତି ଦେଖିବାକୁ ଆଦିବାସୀ ମେଳାରେ ଲାଗୁଛି ଭିଡ଼ ।

ବଡ଼ ମୂର୍ତ୍ତିର ଦାମ୍ ୩୮ହଜାର ଟଙ୍କା ରହିଥିବା ବେଳେ ଛୋଟ ମୂର୍ତ୍ତି ୨୨ ହଜାର ଟଙ୍କାରେ ମିଳୁଛି । ସେହିପରି ପାରମ୍ପରିକ ବାଦ୍ୟ ଯନ୍ତ୍ର, ପେଣ୍ଟିଂ ବା ଡୋକ୍ରା ଜିନିଷ କିଣିବାକୁ ବି ଲୋକେ ପସନ୍ଦ କରୁଛନ୍ତି  ।

ମେଳାକୁ ବିଭିନ୍ନ ସାମଗ୍ରୀ ନେଇ ଆସିଥିବା ଆଦିବାସୀ ଲଳନା


‘‘ପ୍ରତି ବର୍ଷ ଆଦିବାସୀଙ୍କ ଦ୍ୱାରା ନିର୍ମିତ ଏହି ପାରମ୍ପରିକ ପିତ୍ତଳ ସାମଗ୍ରୀ କିଣିବାକୁ ଖାଲି ରାଜ୍ୟ ନୁହେଁ, ରାଜ୍ୟ ବାହାରୁ ଲୋକ ଆସିଥାନ୍ତି । ସେମାନେ ନିଶ୍ଚୟ କଳାର ମୂଲ୍ୟ ବିଝନ୍ତି,’’ କହିଛନ୍ତି ବ୍ୟବସାୟୀ ଜ୍ୟୋତିଶଙ୍କର ସାହୁ ।

ଦେଶୀ ଓ ପାରମ୍ପରିକ ଜିନିଷ ଦେଖିବା ଓ କିଣିବା ପାଇଁ ବର୍ଷ ସାରା ଅପେକ୍ଷା କରିଥା’ନ୍ତି ରାଜଧାନୀବାସୀ ।  ଆଦିବାସୀଙ୍କ ପାରମ୍ପରିକ ଜିନିଷର ଏମିତି ସମ୍ଭାର ତ ସେ ଅପେକ୍ଷାକୁ ପ୍ରଶମିତ କରିଛି ଗ୍ରୀଷ୍ମର ଦ୍ୱିପହରେ ଆସିଥିବା ଅଚ଼ାନକ ଅସରାଏ ବର୍ଷା ପରି ।
Published by:Anand Shankar Thankur Das
First published: