ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ପୁଣି ନନ୍ଦନକାନନରେ ଗଡ଼ିଲା ଟଏ ଟ୍ରେନ; ପ୍ରାଣୀ ଉଦ୍ୟାନରେ ବୁଲି ମଜା ନେଲେ ପର୍ଯ୍ୟଟକ

ପୁଣି ନନ୍ଦନକାନନରେ ଗଡ଼ିଲା ଟଏ ଟ୍ରେନ; ପ୍ରାଣୀ ଉଦ୍ୟାନରେ ବୁଲି ମଜା ନେଲେ ପର୍ଯ୍ୟଟକ

ଦୀର୍ଘ ଦିନ ଧରି ଭିନ୍ନ ଭିନ୍ନ କାରଣରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବନ୍ଦ ରହିଥିଲା ଏହି ଟ୍ରେନ । ହେଲେ ପର୍ଯ୍ୟଟକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଗତ ଅକ୍ଟୋବର ୮ ତାରିଖରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଟଏ ଟ୍ରେନର ଶୁଭାରମ୍ଭ କରିଥିଲେ ।

ପୁଣି ନନ୍ଦନକାନନରେ ଗଡ଼ିଲା ଟଏ ଟ୍ରେନ; ପ୍ରାଣୀ ଉଦ୍ୟାନରେ ବୁଲି ମଜା ନେଲେ ପର୍ଯ୍ୟଟକ
ପୁଣି ନନ୍ଦନକାନନରେ ଗଡ଼ିଲା ଟଏ ଟ୍ରେନ
  • News18 Odia
  • Last Updated: November 17, 2021, 5:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପରିଶେଷରେ ପୁଣି ମାସକ ବ୍ୟବଧାନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାରଠାରୁ ଗଢ଼ିଲା ଟଏ ଟ୍ରେନ । ପ୍ରଥମ ଦିନରେ ଖୁବ୍ କମ୍ ସଂଖ୍ୟକ ପର୍ଯ୍ୟଟକ ଥିବାରୁ ମୋଟ ୪ଟି ଟ୍ରିପ୍‌ରେ ଟଏ ଟ୍ରେନର ମଜା ନେଇଛନ୍ତି ପର୍ଯ୍ୟଟକ । ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତୃପକ୍ଷ କହିଛନ୍ତି ଯେ ଯାନ୍ତ୍ରିକ ତ୍ରୁଟି କାରଣରୁ ସାମୟିକ ଭାବେ ଟଏ ଟ୍ରେନ ବନ୍ଦ ରହିଥିଲା । ଏହାକୁ ଠିକ୍ କରାଯିବା ପରେ ମଙ୍ଗଳବାରଠାରୁ ପରୀକ୍ଷାମୂଳକ ଭାବେ କମ ପର୍ଯ୍ୟଟକଙ୍କୁ ନେଇ ଗଡ଼ିଛି ଟ୍ରେନ୍ । ଆଗକୁ ପର୍ଯ୍ୟଟକଙ୍କ ଆଗ୍ରହକୁ ଦେଖି ଅଧିକ ସଂଖ୍ୟକ ଟ୍ରିପ୍ କରାଯିବ।

ଦୀର୍ଘ ଦିନ ଧରି ଭିନ୍ନ ଭିନ୍ନ କାରଣରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବନ୍ଦ ରହିଥିଲା ଏହି ଟ୍ରେନ । ହେଲେ ପର୍ଯ୍ୟଟକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଗତ ଅକ୍ଟୋବର ୮ ତାରିଖରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଟଏ ଟ୍ରେନର ଶୁଭାରମ୍ଭ କରିଥିଲେ ।

ପ୍ରାଣୀ ଉଦ୍ୟାନ କର୍ତୃପକ୍ଷଙ୍କ ସୂଚନା ଅନୁସାରେ, ଗତ ମାସ ୮ ତାରିଖରେ ଟଏ ଟ୍ରେନ ସେବା ନନ୍ଦନକାନନରେ ଆରମ୍ଭ ହୋଇଥିଲା । କିନ୍ତୁ ଆରମ୍ଭ ହେବାର କିଛି ଦିନ ବ୍ୟବଧାନରେ ଏଥିରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଏହାକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା । ମରାମତି ହେବା ପରେ ମଙ୍ଗଳବାରଠାରୁ ଏହି ସେବା ଆରମ୍ଭ କରାଯାଇଛି । ଏଥିରେ ଦୈନିକ ମୋଟ ୬ଟି ଟ୍ରିପ୍‌ର ବ୍ୟବସ୍ଥା ରହିଛି । ଦିନ ୧୦ଟା, ୧୧ଟା ଓ ୧୨ଟାରେ ପ୍ରଥମ ତିନୋଟି ଟ୍ରିପ୍‌ରେ ଟଏ ଟ୍ରେନରେ ବୁଲିବାର ମଜା ନେବେ ପର୍ଯ୍ୟଟକ । ସେହିଭଳି ଅପରାହ୍ନରେ ଦିନ ୨ଟା, ୩ଟା ଓ ୪ଟାରେ ଟଏ ଟ୍ରେନରେ ବୁଲି ପାରିବେ ପର୍ଯ୍ୟଟକମାନେ।

ପ୍ରାଣୀ ଉଦ୍ୟାନରେ ବୁଲି ମଜା ନେଲେ ପର୍ଯ୍ୟଟକ


ଟଏ ଟ୍ରେନରେ ବୁଲିବା ପାଇଁ ଦୁଇ ପ୍ରକାର ଦେୟ ଦେବାକୁ ହେବ । ୧୨ ବର୍ଷରୁ କମ୍ ପିଲାଙ୍କ ପାଇଁ ୩୦ ଟଙ୍କା ଲାଗିବ ଓ ୧୨ରୁ ଅଧିକଙ୍କ ପାଇଁ ଟିକେଟ ଦାମ ୫୦ ଟଙ୍କା ରହିଛି । ପ୍ରାଣୀ ଉଦ୍ୟାନର ବରିଷ୍ଠ ଅଧିକାରୀ ତଥା ଏସିଏଫ ଶରତ ଚନ୍ଦ୍ର ବେହେରାଙ୍କ ସୂଚନା ଅନୁସାରେ, ଅନ୍ୟ ପ୍ରାଣୀ ଉଦ୍ୟାନ ତୁଳନାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଟଏ ଟ୍ରେନରେ ବୁଲିବାର ମଜା ନିଆରା । ବ୍ୟାଟେରି ଚାଳିତ ଏହି ଟ୍ରେନରେ ମୋଟ ୪ଟି ବଗି ରହିଛି । ଯେଉଁଥିରେ ଏକାଥରକେ ୭୨ ଜଣ ପର୍ଯ୍ୟଟକ ବୁଲିପାରିବେ । ଟ୍ରେନରେ ବସି ପର୍ଯ୍ୟଟକମାନେ ଜଙ୍ଗଲ ବୁଲିବାର ଭରପୂର ମଜା ନେଇପାରିବେ । ପ୍ରତି ଟ୍ରିପର ସମୟସୀମା ରହିଛି ୧୫ ରୁ ୨୦ ମିନିଟ୍ । ସବୁ ବୟସର ପର୍ଯ୍ୟଟକଙ୍କ ପାଇଁ ଏହି ଟଏ ଟ୍ରେନରେ ବୁଲିବାର ସୁଯୋଗ ରହିଛି । ଗତ ମାସରେ ଆରମ୍ଭ ହୋଇଥିବା ଏହି ସେବାରେ ଯାନ୍ତ୍ରିକ ତ୍ରୁଟି ଯେଭଳି ରହିବ ନାହିଁ ସେ ନେଇ ଯଥାସମ୍ଭବ ଉଦ୍ୟମ କରାଯାଇଛି।

ପ୍ରଥମ ଦିନରେ ଟଏ ଟ୍ରେନରେ ବୁଲିବାର ମଜା ନେଇଥିଲେ ଅନେକ ପର୍ଯ୍ୟଟକ । କଟକରୁ ଆସିଥିବା ପର୍ଯ୍ୟଟକ ସୁପ୍ରିୟା ଦୀକ୍ଷିତ୍ କହିଛନ୍ତି, ‘‘ଗତ ମାସରେ ଯେତେବେଳେ ଟଏ ଟ୍ରେନ ସେବା ଆରମ୍ଭ ହେଲା ଏଥିରେ ବସି ବୁଲିବା ପାଇଁ ଖୁବ୍ ଆଗ୍ରହ ଥିଲା । କିନ୍ତୁ ହଠାତ୍ ଅଳ୍ପ ଦିନରେ ବନ୍ଦ ହୋଇଯିବାରୁ ଆମର ଆଗ୍ରହ ମଧ୍ୟ ମରିଯାଇଥିଲା । ପୁଣି ଥରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିବାରୁ ଆମେ ବହୁତ ଖୁସି । କମ୍ ସମୟ ବୁଲିବାକୁ ମିଳିଥିଲେ ମଧ୍ୟ ଭଲ ଲାଗିଲା ।’’

ସେହିପରି ପଶ୍ଚିମ ବଙ୍ଗ ମେଦିନାପୁରରୁ ଆସିଥିବା ପର୍ଯ୍ୟଟକ ରୂପେଶ ପାଲ କହିଛନ୍ତି, ‘‘ବହୁତ ଭଲ ଲାଗିଲା ଟଏ ଟ୍ରେନରେ ବସି ବୁଲିବା । ନନ୍ଦନକାନନ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର କାରଣ ହେଲା ଏହାର ପ୍ରାକୃତିକ ମନୋରମ ଦୃଶ୍ୟ । ଯୁଆଡ଼େ ଚାହିଁବ ଜଙ୍ଗଲ। ଆଉ ଟ୍ରେନରେ ବସି ଜଙ୍ଗଲ ବୁଲିବାକୁ ସମସ୍ତଙ୍କୁ ଭଲ ଲାଗିବ ବୋଲି ଆଶା କରୁଛି।’’

ନନ୍ଦନକାନନରେ ପ୍ରଥମ କରି ୧୯୭୧ ମସିହା ଅଗଷ୍ଟ ୮ ତାରିଖରେ ଟଏ ଟ୍ରେନର ଶୁଭାରମ୍ଭ ହୋଇଥିଲା । ଏହାକୁ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ବିଶ୍ୱଜିତ୍ ଦାସ । ସେ ସମୟରେ ପର୍ଯ୍ୟଟକଙ୍କୁ ଏହା ଭରପୁର ଆକର୍ଷିତ କରି ପାରିଥିଲା । ପରେ ୧୯୯୩ ମସିହା ନଭେମ୍ବର ୧୪ ତାରିଖରେ ତତ୍କାଳୀନ ରେଳ ରାଷ୍ଟ୍ର ମନ୍ତ୍ରୀ କାହ୍ନୁଚରଣ ଲେଙ୍କା ଏହାକୁ ପୁନରୁଦ୍ଧାର କରିଥିଲେ । ସେ ସମୟରେ ଏହାର ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଓଡ଼ିଶାର ତତ୍କାଳୀନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକ । କିଛି ବର୍ଷ ଚାଲିଲା ପରେ ଏହା ବନ୍ଦ ହୋଇଥିଲା । ଦୀର୍ଘ ବର୍ଷ ପରେ ଗତ ଅକ୍ଟୋବର ମାସ ୮ ତାରିଖରେ ପୁଣି ଥରେ ଆରମ୍ଭ ହୋଇଥିଲା ଏହି ଟଏ ଟ୍ରେନ ସେବା ।
Published by: Lipina Das
First published: November 17, 2021, 5:34 PM IST