News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ମାରଣାସ୍ତ୍ର ଧରି ଭିଡ଼ିଓ ସୁଟ୍ କରି ଭାଇରାଲ କରିଥିବା କେ.ବି.ଏନ (କୋଇ ଭାଇ ନେହିଁ) ଗ୍ୟାଙ୍ଗର ୫ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରୁଛି ନୟାପଲି ଥାନା ପୋଲିସ । ରିମାଣ୍ଡରେ ଆସିଥିବା ୫ ଅଭିଯୁକ୍ତ ହେଲେ ରାହୁଲ ଜେନା, ଚେଙ୍ଗ ଓରଫ ରାଜେଶ ବେହେରା, ଶନିଆ ଓରଫ ସନାତନ ବେହେରା, ସୁମନ ପରିଡା ଓ ନରେନ୍ଦ୍ର ସାହୁ । କୋର୍ଟଙ୍କ ଅନୁମତି ପରେ ଅଭିଯୁକ୍ତମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି ପୋଲିସ।
ରିମାଣ୍ଡ ସମୟରେ ଭିଡ଼ିଓରେ ଦେଖାଯାଉଥିବା ବନ୍ଧୁକ, ଖଣ୍ଡାଗୁଡ଼ିକ ଅଭିଯୁକ୍ତମାନେ କେଉଁଠି ଲୁଚେଇ ରଖିଛନ୍ତି ସେ ନେଇ ଅଭିଯୁକ୍ତଙ୍କୁ ଜେରା କରୁଛି ପୋଲିସ । ପୂର୍ବରୁ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଦୁଇଟି ଖଣ୍ଡା ଓ ଗୋଟିଏ ବନ୍ଧୁକ ପୋଲିସ ଜବତ କରି ସାରିଛି। ସେମାନେ ବ୍ୟବହୃତ କରିଥିବା କାର ଓ ବାଇକ ମଧ୍ୟ ଜବତ କରାଯାଉଛି ।
ଭୁବନେଶ୍ୱର ଯୋନ-୫ ଏ.ସି.ପି ସଞ୍ଜୀବ ଶତପଥୀ କହିଛନ୍ତି, "ଦୁଇ ଦିନ ରିମାଣ୍ଡ ବେଳେ ଆମକୁ ଭିଡ଼ିଓ ନେଇ ତଥ୍ୟ ମିଳିଛି। ଯେଉଁସବୁ ସ୍ଥାନ ମାନଙ୍କରେ ଭିଡ଼ିଓ ସୁଟ୍ ହୋଇଥିଲା ସେସବୁ ସ୍ଥାନମାନଙ୍କୁ ଚିହ୍ନଟ କରାଯାଇଛି । ସିସିଟିଭି ଗୁଡ଼ିକ ଯାଞ୍ଚ କରାଯାଉଛି । ସେମାନଙ୍କ ଠାରୁ କିଛି ମାରଣାସ୍ତ୍ର ଗୁଡ଼ିକ ଜବତ କରାଯାଇଛି । ଆଉ କିଛି ଏ ପର୍ଯ୍ୟନ୍ତ ମିଳିନି । ସେଥି ପାଇଁ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ସହ ସର୍ଚ୍ଚ ଅପରେସନ କରାଯାଇଥିଲା।’’

ରାଜ୍ୟ ରାଜଧାନୀରେ ମାରଣାସ୍ତ୍ର ଧରି ଭିଡ଼ିଓ ସୁଟ୍ କରି ଭାଇରାଲ କରିଥିଲେ କେ.ବି.ଏନ ଗ୍ୟାଙ୍ଗ
କେ.ବି.ଏନ. ଗ୍ୟାଙ୍ଗର ୨୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ନୟାପଲି ଥାନା ପୋଲିସ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଦୁଇଜଣ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଗ୍ୟାଙ୍ଗ ମାଷ୍ଟରମାଇଣ୍ଡ ବୁବୁ ଜେନା ସମେତ ଅନ୍ୟ ଅଭିଯୁକ୍ତମାନେ ଏବେ ବି ଫେରାର ଅଛି । ସେମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ।
"ତଦନ୍ତ ବେଳେ ଜଣା ପଡ଼ିଛି ଗ୍ୟାଙ୍ଗ ମୁଖିଆ ବୁବୁ ଜେନାର ପ୍ରମୁଖ ସହଯୋଗୀ ଥିଲେ ଚେଙ୍କ ଓ ଶନିଆ । ପୂର୍ବରୁ ଚେଙ୍ଗ ଓ ସଞ୍ଜୟ ଖୁଣ୍ଟିଆରେ ଘରେ ଚଢ଼ାଉ କରି ମାରଣାସ୍ତ୍ର ଜବତ କରାଯାଇଛି । ବନ୍ଧୁକ କେଉଁଠି ଅଛି ତାହାର ତଦନ୍ତ ଚାଲିଛି । ଭିଡ଼ିଓରେ ଦେଖୁଥିବା ସବୁ ଅଭିଯୁକ୍ତମାନଙ୍କ ଚିହ୍ନଟ କରାଯାଇଛି । ଖୁବ୍ ଶୀଘ୍ର ସ୍ୱତନ୍ତ୍ର ଟିମ୍ ଜରିଆରେ ସମସ୍ତଙ୍କୁ ଗିରଫ କରାଯିବ,’’ କହିଛନ୍ତି ଏ.ସି.ପି ଶତପଥୀ।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ରାଜଧାନୀରେ ଏହି ଗ୍ୟାଙ୍ଗ ମାରଣାସ୍ତ୍ର ଧରି ଭିଡ଼ିଓ ସୁଟ୍ କରିବା ସହ ଭିଡ଼ିଓକୁ ଭାଇରାଲ କରିଥିଲେ । ଚୋରି ବନ୍ଧୁକରେ ଟ୍ରେନିଂ ନେଉଥିବାର ଭିଡ଼ିଓ ମଧ୍ୟ ଭାଇରଲ କରିଥିଲେ। ଆଉ କିଛି ଭିଡ଼ିଓରେ ରାସ୍ତା ଉପରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିଲେ । ଏ ସବୁ ଭିଡ଼ିଓ ସାମ୍ନାକୁ ଆସିବା ପରେ ପୋଲିସର ଦକ୍ଷତା ନେଇ ପ୍ରଶ୍ନ ଉଠିଥିଲା । ପୋଲିସ ଅଭିଯୁକ୍ତଙ୍କୁ ଆଣି ଜେରା କରୁଥିବା ବେଳେ ଭିଡିଓ ଭାଇରାଲ କେଉଁ ଆକାଉଣ୍ଟରୁ ହେଉଛି, କିଏ କରୁଛି ସେ ନେଇ ମଧ୍ୟ ତଦନ୍ତ କରୁଛି କମିସନରେଟ ପୋଲିସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।