ବିଷାକ୍ତ ଗ୍ୟାସ୍‌ର ପ୍ରଭାବ: ବାଲେଶ୍ବର ଜିଲ୍ଲାର ଖନ୍ତାପଡ଼ାରେ ଥିବା ଫାଲକନ୍‌ ଚିଙ୍ଗୁଡ଼ି ଫାର୍ମର ୧୦୦ ମହିଳା କର୍ମଚାରୀ ଅସୁସ୍ଥ

ଫ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି । ଫାଲ୍‌କନ୍‌ ମେରାଇନ୍‌ ଏକ୍ସପୋର୍ଟ୍ସ ଲିମିଟେଡ୍‌ର ସାତ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୩ ମ୍ୟାନେଜରଙ୍କ ସମେତ ୭ କର୍ମଚାରୀ ସାମିଲ ।

ବିଷାକ୍ତ ଗ୍ୟାସ୍‌ର ପ୍ରଭାବ: ବାଲେଶ୍ବର ଜିଲ୍ଲାର ଖନ୍ତାପଡ଼ାରେ ଥିବା ଫାଲକନ୍‌ ଚିଙ୍ଗୁଡ଼ି ଫାର୍ମର ୧୦୦ ମହିଳା କର୍ମଚାରୀ ଅସୁସ୍ଥ
ଜଣେ ମହିଳା କର୍ମଚାରୀଙ୍କୁ ହସ୍‌ପିଟାଲ୍‌ ଭିତରକୁ ଅଣାଯାଉଛି ।
  • News18 Odia
  • Last Updated: November 14, 2019, 4:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଖନ୍ତାପଡ଼ା ଥାନା ଅଧୀନରେ ଥିବା ଫାଲକନ୍‌ ଚିଙ୍ଗୁଡ଼ି ଫାର୍ମରେ ଘଟିଛି ଏକ ବଡ଼ ଅଘଟଣ । ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୧୦୦ରୁ ଅଧିକ ମହିଳା କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଅନେକ ନାବାଳିକା ।

ଅସୁସ୍ଥ କର୍ମଚାରୀଙ୍କୁ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ନଭେମ୍ବର ୧୩ ତାରିଖ ରାତି ପ୍ରାୟ ୯ଟା ସମୟରେ ଘଟିଥିଲା ଏ ଦୁର୍ଘଟଣା । କାରଖାନାରେ ସେତେବେଳେ ପ୍ରାୟ ୨୦୦ କର୍ମଚାରୀ ଉପସ୍ଥିତ ଥିଲେ ।



ଜଣଙ୍କ ପରେ ଜଣେ ସେଠାରେ ଅସୁସ୍ଥ ହୋଇ ପଡ଼ିଥିଲେ । କେହି କେହି ଅଚେତ ହୋଇଯାଇଥିଲେ ତ ଅନ୍ୟ କେହି ମୁଣ୍ଡ ବୁଲାଇ ତଳେ ପଡ଼ି ଯାଇଥିଲେ । ସମସ୍ତଙ୍କୁ ପ୍ରଥମେ ଖନ୍ତାପଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅସୁସ୍ଥଙ୍କ ସଂଖ୍ୟା ବଢ଼ିବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ଏତେ ସଂଖ୍ୟକ ଅସୁସ୍ଥ ଓ ତାଙ୍କ ସଂପର୍କୀୟମାନେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚିବାରୁ ସେଠାରେ ସୃଷ୍ଟି ହୋଇଥିଲା ଉତ୍ତେଜନାମୂଳକ ପରିସ୍ଥିତି । ବିଳମ୍ବିତ ରାତିରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଡାକ୍ତରଖାନାରେ ପହଁଚି ଅସୁସ୍ଥମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।



କଥିତ ଗ୍ୟାସ୍‌ ଲିକ୍‌ ଘଟଣାକୁ ନେଇ ଖନ୍ତାପଡ଼ା ଥାନାରେ ମାମଲା ରୁଜୁ କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି ପୋଲିସ IG ଓ SP । ଫ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି । ଫାଲ୍‌କନ୍‌ ମେରାଇନ୍‌ ଏକ୍ସପୋର୍ଟ୍ସ ଲିମିଟେଡ୍‌ର ସାତ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୩ ମ୍ୟାନେଜରଙ୍କ ସମେତ ୭ କର୍ମଚାରୀ ସାମିଲ । ଜିଲ୍ଲାପାଳ କହିଛନ୍ତି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ କ୍ଲୋରିନ ଗ୍ୟାସ ଲିକ୍‌ ହୋଇଥିଲା । ଅଧିକ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ।

ନାବାଳିକାମାନଙ୍କୁ କାମରେ ଲଗାଯାଇଥିବାର ଅଭିଯୋଗ ସମ୍ପର୍କରେ ଶ୍ରମ ମନ୍ତ୍ରୀ କହିଛନ୍ତି ସେ ସମ୍ପର୍କରେ ତଦନ୍ତ କରାଯିବ । ଏଥିଲାଗି ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରମ ଆଇନ ଉଲ୍ଲଂଘନ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ୨୪ ଘଣ୍ଟା ପରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଜଣାଯାଇଛି । କେତେକ ବିଶେଷଜ୍ଞ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ତିଆରି କରାଯାଇଛି । ମୟୁରଭଞ୍ଜ ଓ କଟକରୁ ଅଧିକ ଡାକ୍ତରମାନଙ୍କୁ ଡକାଯାଇଛି ।



ଗ୍ୟାସ୍ ଲିକ୍ ଘଟଣାକୁ ଅସ୍ବୀକାର କରିଛନ୍ତି ଫାଲକନ୍ ମେରାଇନ୍ ଏକ୍ସପୋର୍ଟ ଲିମିଟେଡ୍‌ର ମୁଖ୍ୟ ତାରା ରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଯେ  ଖନ୍ତପଡ଼ା ପ୍ଲାଣ୍ଟରେ ସଫେଇ ପାଇଁ ବ୍ଲିଚିଂ ପାଉଡର୍‌ ପକାଯାଇଥିଲା । ବ୍ଲିଚିଂ ଗ୍ୟାସ୍‌ ପ୍ରଭାବରେ କିଛି କର୍ମଚାରୀ ଶ୍ବାସରୁଦ୍ଧ ହେବା ଭଳି ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ପ୍ଲାଣ୍ଟରେ କ୍ଲୋରିନ୍ ଗ୍ୟାସ୍ ଆଦୌ ବ୍ୟବହାର ହୁଏନାହିଁ । ପ୍ଲାଣ୍ଟରେ ନାବାଳକ ଶ୍ରମିକ କାର୍ଯ୍ୟ କରୁଥିବା ନେଇ ଯାହା କୁହାଯାଉଛି, ତାହା ମିଛ । କାରଣ ଫାଲକନ୍ ପ୍ଲାଣ୍ଟରେ କୌଣସି ନାବାଳକ ଶ୍ରମିକ କାମ କରୁନାହାନ୍ତି ।

ତେବେ ଫାଲକନ ମେରାଇନ୍‌ରେ ଗ୍ୟାସ୍‌ ଲିକ୍‌ ଘଟଣାକୁ ନେଇ ଏବେ ଏକାଧିକ ପ୍ରଶ୍ନ । କେଉଁ ପରିସ୍ଥିତିରେ କାରଖାନାରେ ୧୨୦ରୁ ଅଧିକ ଅସୁସ୍ଥ ହେଲେ? ଏହା ପରିଚାଳନାଗତ ତ୍ରୁଟି ନା ଯାନ୍ତ୍ରିକ ସମସ୍ୟା ? ସବୁଠୁ ବଡ଼ କଥା ହେଉଛି ଏହି ଘଟଣାରେ ଆହତ ହୋଇଛନ୍ତି ଛୋଟ ଛୋଟ ପିଲା । ତେଣୁ ପ୍ରଶ୍ନ ଉଠୁଛି ଛୋଟ ପିଲାଙ୍କୁ କାହିଁକି ବିପଦପୂର୍ଣ୍ଣ ସ୍ଥାନକୁ ଛଡ଼ାଯାଇଥିଲା ? ଘଟଣାକୁ ନେଇ ପ୍ରଶାସନ ଉପରେ ମଧ୍ୟ ଅଙ୍ଗୁଳି ଉଠିଛି । କାରଖାନାରେ କଣ ଚାଲିଥିଲା ସେନେଇ ପ୍ରଶାସନ ଜାଣି ଥିଲା କି ନାହିଁ ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ତଦନ୍ତ ପରେ ଏସବୁ ପ୍ରଶ୍ନର ଉତ୍ତର ମିଳିବ ।
First published: November 14, 2019, 4:27 PM IST
corona virus btn
corona virus btn
Loading