ପୁରୀର ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍‌ ମାନ୍ୟତା ମିଳିବାର ମାସେ ନ ପୂରୁଣୁ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା

ବ୍ଲୁ ଫ୍ଲାଗ୍ ବିଚର ଆକର୍ଷଣ ପର୍ଯ୍ୟଟକଙ୍କୁ ଦୂର ଦୂରାନ୍ତରୁ ଟାଣି ଆଣୁଥିବା ବେଳେ ସମୁଦ୍ର ଭିତରକୁ ଭାସିଯାଇ ଝାଡ଼ଖଣ୍ଡର ଜଣେ ୧୬ ବର୍ଷର ବାଳକର ମୃତ୍ୟୁ ପର୍ଯ୍ୟଟକଙ୍କ ପାଇଁ ଥିବା ସୁରକ୍ଷା ବ୍ୟବସ୍ଥା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

ପୁରୀର ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍‌ ମାନ୍ୟତା ମିଳିବାର ମାସେ ନ ପୂରୁଣୁ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲା
ପୁରୀର ବ୍ଲୁ ଫ୍ଲାଗ୍ ବିଚ୍; (ବାମ) ମୃତ ବାଳକର ଶବ ସମୁଦ୍ରର ବାହାରକୁ ଅଣାଯାଉଛି ।
  • News18 Odia
  • Last Updated: October 30, 2020, 6:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀକ୍ଷେତ୍ରର ସ୍ୱର୍ଣ୍ଣାଭ ବେଳାଭୂମି ୩୩ଟି ଗାଇଡଲାଇନ୍‌ ପାଳନ କରି ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ ମାନ୍ୟତା ପାଇବାର ମାସେ ନ ପୂରୁଣୁ ସେଠାରେ ଘଟିଛି ଏକ ଅଘଟଣ । ସମୁଦ୍ର ସ୍ନାନ ବେଳେ ଭାସିଯାଇ ମୃତ୍ୟୁ ବରଣ କରିଛି ଝାଡ଼ଖଣ୍ଡରୁ ଆସିଥିବା ଜଣେ ୧୬ ବର୍ଷୀୟ ବାଳକ । ଏହି ବ୍ଲୁ ଫ୍ଲାଗ୍ ବିଚର ଆକର୍ଷଣ ପର୍ଯ୍ୟଟକଙ୍କୁ ଦୂର ଦୂରାନ୍ତରୁ ଟାଣି ଆଣୁଥିବା ବେଳେ ଏହି ଦୁ୍ର୍ଘଟଣା ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ ।

ବିନା ଲାଇଫଗାର୍ଡ଼ରେ ସମୁଦ୍ର ସ୍ନାନ ଓ ମଉଜ ମଜଲିସ କରୁଥିବା ଯୋଗୁଁ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ବାସିନ୍ଦା ନାବାଳକ ତନିଷ୍କ ବିନୟ ରାୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ସେ ଥିଲେ ରାଞ୍ଚିର ଅରଗୋଡ଼ାରେ ରହୁଥିବା ବିନୟ ରାୟ ଓ ନିତୁଙ୍କ ଏକ ମାତ୍ର ସନ୍ତାନ । ପୁଅ ସହ ପିତାମାତା ପୁରୀ ଆସିଥିଲେ । ଅକ୍ଟୋବର ୨୭ ତାରିଖ ସକାଳେ ଟିକଟ କାଟି ବ୍ଲୁ ଫ୍ଲାଗ ବିଚର ଦିଗବାରେଣୀ ପଟ ଅଞ୍ଚଳରେ ଯାଇ ସେମାନେ ସ୍ନାନ କରୁଥିବା ବେଳେ ଘଟିଥିଲା ଏହି ଦୁର୍ଘଟଣା । ପିଲାଟି ଭାସିଯିବାର ଦିନକ ପରେ ତା’ ମୃତ ଦେହ ମିଳିଥିଲା ।

ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କ ମୃତ୍ୟୁ ହେଲା; ଡାଏଟିଂ କରୁଥିଲେ, କିଡନୀ ଫେଲ୍ ହେଲା

ଲୋକଙ୍କୁ ଦୀର୍ଘ ଦିନ ପରେ ଛୁଟି କଟାଇବାର ସୁଯୋଗ ମିଳିଥିବାରୁ ବିଚର ପରିବେଶ ଥିଲା ଆନନ୍ଦମୟ । ସମସ୍ତଙ୍କ ମେଳରେ ଗାଧୋଉଥିଲା ୧୬ ବର୍ଷୀୟ ତନିଷ୍କ । ପାଖରେ ଥିଲେ ତା’ ବାପା, ମା’ ଓ ରାଞ୍ଚିରୁ ଆସିଥିବା ସେମାନଙ୍କର କେତେକ ବନ୍ଧୁ । ଏହି ଦୁଃଖଦ ଘଟଣା ପରେ ସେମାନେ ସ୍ତମ୍ଭୀଭୂତ ହୋଇଯାଇଥିଲେ । ପୁରୀର ବ୍ଲୁ ଫ୍ଲାଗ୍ ବିଚକୁ ସୁରକ୍ଷିତ ବେଳାଭୂମି ଭାବି ଆସୁଥିବା ପର୍ଯ୍ୟଟକମାନେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଭୀଷଣ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଜଣେ ଅଗ୍ନିଶମ କର୍ମଚାରୀ ବାଳକର ମୃତ ଦେହ ଖୋଜୁଛନ୍ତି ।


‘‘ଆମେ ସମସ୍ତେ ସମୁଦ୍ର ସ୍ନାନର ଫଟୋ ଉଠାଇଚାଲିଥିଲୁ । ପୁଅ ଧୀରେ ଧୀରେ ସମୁଦ୍ର ଭିତରକୁ ଯାଉଥିଲା । ହଠାତ ଏକ ବଡ଼ ଢେଉ ଆସି ତାକୁ ଭସାଇ ନେଇଗଲା । ଆମେ କିଛି ବୁଝିବା ଆଗରୁ କିଛି କ୍ଷଣ ଭିତରେ ଢେଉ ତାକୁ ନୀଳ ଜଳରାଶି ଭିତରକୁ ନେଇଯାଇଥିଲା । ବିଚରେ ଆମେ ହଲ୍ଲା କରି ଦୌଡ଼ା ଦୌଡ଼ି କରି ଲାଇଫଗାର୍ଡ଼କୁ ଡାକିଥିଲୁ । ହେଲେ ସେ ଆସିବା ବେଳକୁ ପୁଅକୁ ଆଉ ପାଇଲୁନାହିଁ,’’ କାନ୍ଦି କାନ୍ଦି କହିଛନ୍ତି ମୃତ ବାଳକର ବାପା ବିନୟ ରାୟ ।

ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଦେଢ଼ ବର୍ଷ ପାଇଖାନାରେ ବନ୍ଦ୍ କରି ରଖିଥିଲେ ତାଙ୍କ ସ୍ାମୀ, ଉଦ୍ଧାର କରାଗଲା

ତାଙ୍କ ବନ୍ଧୁ ୪୮ ବର୍ଷୀୟ ବିମଳ କହିଥିଲେ ଯେ ପିଲାଟି ଆଖି ସାମ୍ନାରେ ଭାସି ଯାଉଥିଲା, ହେଲେ ଉଦ୍ଧାର ପାଇଁ କେହି ନ ଥିଲେ । ‘‘ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖି ତା’ ବାପା ମା’ ତାକୁ ବଞ୍ଚାଇବା ପାଇଁ ସମୁଦ୍ର ଭିତରକୁ ପଶୁଥିବା ବେଳେ ଆମେ ସେମାନଙ୍କୁ ରୋକିଥିଲୁ । ଏଇଠି ଯଦି ଲାଇଫଗାର୍ଡ଼ ଥାଆନ୍ତା ଓ ସିସିଟିଭିରେ ପର୍ଯ୍ୟଟକଙ୍କ ଆଚରଣ ଯଦି ମନିଟରିଂ ହେଉଥା’ନ୍ତା ତେବେ ପିଲାଟି ବଞ୍ଚିଯାଇଥାନ୍ତା । ଏ ସବୁ ନ ଥିବାରୁ ସୁରକ୍ଷିତ ସମୁଦ୍ର ସ୍ନାନ କେବଳ ଏକ ଭେଳିକି,’’ କହିଛନ୍ତି ବିମଳ ।

ପିଲାଟି ସମୁଦ୍ର ଭିତରକୁ ଭାସିଯିବା ପରେ ସମୁଦ୍ର କୂଳ ଥାନାରେ ଏ ନେଇ ପରିବାର ପକ୍ଷରୁ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା । ଅଗ୍ନିଶମ ସେବାକୁ ମଧ୍ୟ ଖୋଜିବା ପାଇଁ ଖବର ଦିଆଯାଇଥିଲା । ହେଲେ ସେ ଦିନ ପିଲାଟିର କୌଣସି ସନ୍ଧାନ ମିଳି ନ ଥିଲା । ତା’ ପର ଦିନ ସମୁଦ୍ରରୁ ତା’ ମୃତ ଦେହ ଉଦ୍ଧାର ହୋଇଥିଲା ।

ଏହା ବି ପଢ଼ନ୍ତୁ | ଏହି BJP ନେତା କହିଥିଲେ ତାଙ୍କୁ କରୋନା ହେଲେ ସେ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ; କରୋନା ହେଲା

‘‘ସେଫ୍ଟି ସୁଇମିଂ ଜୋନ୍‌ ଭିତରେ ସମୁଦ୍ର ସ୍ନାନ ସମୟରେ ଏହି ଅଘଟଣ ଆମକୁ ଚକିତ କରିଛି । ଲାଇଫଗାର୍ଡ଼ଙ୍କ କଥା ନ ଶୁଣି ସେମାନେ ସମୁଦ୍ର ସ୍ନାନ କରୁଥିଲେ । ଏହି ୯୦୦ ମିଟର ଲମ୍ବା ବିଚରେ ଦୁଇଟି ସିଫ୍ଟରେ ତିନି ଜଣ ଲାଇଫଗାର୍ଡ ମୁତୟନ ହୋଇଛନ୍ତି । ପୁଣି ବିଚରେ ଜାଲ ମଧ୍ୟ ପକାଯାଇଛି ଯାହା ଦ୍ୱାରା କେହି ଭିତରକୁ ଭାସି ଯାଇପାରିବେନି । ଏ ସବୁ ସତ୍ତ୍ୱେ ଏହି ପିଲାଟି କେମିତି ବାହାରକୁ ଗଲା ତାହା ବୁଝିହେଉନି । ପ୍ରଥମ କରି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା ଆମ ପାଇଁ ବଡ଼ ଦୁଃଖଦ ଘଟଣା,’’ କହିଛନ୍ତି ବ୍ଲୁ ଫ୍ଲାଗ୍ ବିଚର ମ୍ୟାନେଜର ବିକାଶ ଚନ୍ଦ୍ର ସାହୁ ।

ପୁରୀର ବ୍ଲୁ ଫ୍ଲାଗ୍‌ ବିଚରେ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବା ବେଳେ ଆବଶ୍ୟକ ସଂଖ୍ୟାର ଲାଇଫଗାର୍ଡ଼ ନାହାନ୍ତି । ତୁରନ୍ତ ସମୁଦ୍ର ଭିତରକୁ ଯାଇ ଉଦ୍ଧାର କରିବା ପାଇଁ ଜେଟସ୍କି ବି ନାହିଁ । ନିଖୋଜ ନାବାଳକର ମୃତ ଦେହ ସମୁଦ୍ରରେ ଭାସୁଥିବା ଦେଖି ମତ୍ସ୍ୟଜୀବୀଙ୍କୁ ଖବର ଦେବା ପରେ ଆବଶ୍ୟକ ବୋଟ୍‌ ଅଭାବରୁ ମାଛଧରା ଡଙ୍ଗାକୁ ଟଙ୍କା ଦେଇ ମୃତ ଦେହକୁ କୂଳକୁ ଅଣାଯାଇଥିଲା ବୋଲି କହିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ ବିଚିତ୍ରାନନ୍ଦ ପଣ୍ଡା ।



ଦିଗବାରେଣୀ ଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ବେଳାଭୂମିରେ ୧୦୦ ଜଣ ଲାଇଫଗାର୍ଡ ମୁତୟନ କରାଯାଇଥିବା ବେଳେ ଦୀର୍ଘ ତିନି ବର୍ଷ ହେବ ସମୁଦ୍ର ସ୍ନାନରେ ମୃତ୍ୟୁ ସଂଖ୍ୟା ଶୁନ୍ୟ ରହିଛି । ହେଲେ ବ୍ଲୁ ଫ୍ଲାଗ୍ ବିଚକୁ ଟଙ୍କା ଦେଇ ଟିକେଟ କାଟି ଯାଉଥିବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ଏବେ ଉଠିଛି ପ୍ରଶ୍ନବାଚୀ । ପୁରୀର ଏହି ବିଚ୍‌ ଅକ୍ଟୋବର ୧୧ ତାରିଖରେ ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍‌ ବିଚର ମାନ୍ୟତା ପାଇଥିଲା ।
Published by: Anand Shankar Thankur Das
First published: October 30, 2020, 6:16 PM IST
corona virus btn
corona virus btn
Loading