ଦରମା ବଦଳରେ ମିଳିଲା ନିର୍ଯ୍ୟାତନା; ବିଷ ପିଇ ଆତ୍ମହତ୍ୟା କଲେ ବନ ଜଗୁଆଳି

ଦରମା ଟଙ୍କା ମାଗିବାରୁ ଗାଲିଗୁଲଜ କରିବା ସହ ଚାକିରିରୁ ବାହାର କରିଦେବାର ଭୟ ଦେଖାଇଲେ ଅଧିକାରୀ । ଫଳରେ ଚାପଗ୍ରସ୍ତ ହୋଇ ବନ ଜଗୁଆଳି ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ବନବିଭାଗ ଅଧିକାରୀ ଅଭିଯୋଗକୁ ଖଣ୍ଡନ କରିବା ସହ କୌଣସି ନିର୍ଯ୍ୟାତନା ଦିଆଯାଇନଥିବା ପ୍ରକାଶ କରିଛନ୍ତି ।

ଦରମା ବଦଳରେ ମିଳିଲା ନିର୍ଯ୍ୟାତନା; ବିଷ ପିଇ ଆତ୍ମହତ୍ୟା କଲେ ବନ ଜଗୁଆଳି

ଦରମା ବଦଳରେ ମିଳିଲା ନିର୍ଯ୍ୟାତନା; ବିଷ ପିଇ ଆତ୍ମହତ୍ୟା କଲେ ବନ ଜଗୁଆଳି

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ଦେବଗଡ଼;  ରିଆମାଳ ବନାଞ୍ଚଳରେ ଦେଖାଯାଇଛି ଏଭଳି ଅଭାବନୀୟ ଘଟଣା । ଜଙ୍ଗଲ ଜଗୁଆଳିଙ୍କୁ ଦରମା ନଦେଇ ନିର୍ଯ୍ୟାତନା ଦେଉଥିଲେ ଫରେଷ୍ଟର । ଏଥିରେ ଚାପଗ୍ରସ୍ତ ହୋଇ ଦେବଗଡ ଜିଲ୍ଲା ରିଆମାଳ ଥାନା କଙ୍କରଖୋଳ ଗ୍ରାମର ବନ ଜଗୁଆଳି ପୌଲସ୍ତୀ ପ୍ରଧାନ ବିଷ ଖାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।



ବନବିଭାଗର କାମ୍ଫା ଯୋଜନାରୁ କଙ୍କରଖୋଲ ନିକଟ ଜଙ୍ଗଲରେ ବନୀକରଣ କରାଯାଇଥିଲା । ସେଠାରେ ବନ ଜଗୁଆଳୀ ଭାବେ ଦୈନିକ ମଜୁରୀରେ ପୌଲସ୍ତୀ  ନିଯୁକ୍ତ ହୋଇଥିଲେ । ଅଭିଯୋଗ ଅନୁଯାୟୀ ୯ ମାସ ହେଲା ସେଠାରେ କାମ କରୁଥିଲେ ମଧ୍ୟ ତାଙ୍କୁ ଦରମା ଟଙ୍କା ଦିଆଯାଇନଥିଲା । ଏଥିସହ ତାଙ୍କୁ ଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ବେଳେ ଦରମା ଟଙ୍କା ମାଗିଲେ ଫରେଷ୍ଟର ଅକଥନୀୟ ଗାଲିଗୁଲଜ କରୁଥିବା ପରିବାର ଲୋକ କହିଛନ୍ତି ।

ପୌଲସ୍ତୀଙ୍କର କୌଣସି ପୁତ୍ର ସନ୍ତାନ ନଥିବା ବେଳେ ଏକମାତ୍ର ଝିଅର ବାହାଘର କରିସାରିଛନ୍ତି । ପରିବାର ଚଳାଇବାକୁ ଟଙ୍କାର ଆବଶ୍ୟକତା ରହିଥିଲା । କିନ୍ତୁ ଦରମା ଟଙ୍କା ନପାଇବାରୁ ପରିବାର ଚଳାଇବା ପାଇଁ ଅନେକ ସମସ୍ୟା ହେଉଥିବାୁ  ପୌଲସ୍ତୀ ଚାପଗ୍ରସ୍ତ ରହୁଥିଲେ । ଶେଷରେ ଗତକାଲି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବନ ଜଗୁଆଳି ଦରମା ଟଙ୍କା ମାଗିଲେ ଫରେଷ୍ଟର ଗାଲିଗୁଲଜ କରୁଥିଲେ । ଫଳରେ ପୌଲସ୍ତୀ ବିଷ ଖାଇ ଆତ୍ମହତ୍ୟା କରିଥିବା ରିଆମାଳ ଥାନାରେ ତାଙ୍କ ପୁତୁରା ଅଭିଯୋଗ କରିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।

ଅନ୍ୟପଟେ ପରିବାର ଲୋକଙ୍କ ଅଭିଯୋଗକୁ ରିଆମାଳ ରେଞ୍ଜର ଏବଂ ଫରେଷ୍ଟର ଖଣ୍ଡନ କରିଛନ୍ତି । ପରିବାର ଲୋକ ୯ ମାସ ହେଲା କାମ କରୁଥିବା ଅଭିଯୋଗ କରିଥିବା ବେଳେ ମାତ୍ର ୩ ମାସ ହେଲା ସେ କାମ କରୁଥିବା ପ୍ରକାଶ କରିଛନ୍ତି । ତାଙ୍କୁ କୌଣସି ପ୍ରକାର ନିର୍ଯ୍ୟାତନା ଦିଆଯାଉନଥିବା ବେଳେ ଠିକ ସମୟରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି । ଏଥିସହ ବନଜଗୁଆଳୀଙ୍କ ଦରମା ଟଙ୍କା ଆସି ନଥିବାରୁ ତାଙ୍କୁ ଦରମା ଦିଆଯାଇନଥିବା ସ୍ୱିକାର କରିଛନ୍ତି ।

ତେବେ ଉପଯୁକ୍ତ ତଦନ୍ତ ହେଲେ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିବ ବୋଲି ସ୍ଥାନିୟ ଲୋକେ ମତ ପ୍ରକାଶ କରିବା ସହ ସଠିକ ତଦନ୍ତ ଦାବି କରିଛନ୍ତି ।
Published by:Soubhagya Mishra
First published: