News18 Odia Digital
କଟକ: ହୁ ହୁ ହୋଇ ବଢ଼ି ଚାଲିଛି ବିଲାତି ଦର। କଟକ ଛତ୍ର ବଜ଼ାରରେ ବିଲାତି ଦର ଗୋଟିଏ ଦିନରେ ପାଖ ପାଖି ଦୁଇ ଗୁଣା ବୃଦ୍ଧି ପାଇଛି। ଗୁରୁବାର ଦିନ ୬୦ ଟଙ୍କା କେଜି ପ୍ରତି ବିକ୍ରି ହେଉଥିବା ବିଲାତିର ଦର ଶୁକ୍ରବାର ୧୧୦ ଟଙ୍କାରେ ପହଁଚିଥିଲା। ଏପରିକି ସହରର ଭିତରେ ଥିବା ପରିବା ଦୋକାନରେ ବିଲାତିର କେଜି ପିଛା ଦର ୧୨୦ ଟଙ୍କାକୁ ଛୁଇଁଛି।
ଫଳସ୍ବରୂପ ଗୋଟିଏ ଦିନ ପୂର୍ବରୁ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥିବା ବିଲାତି ଏବେ ପରିବା ବଜାରରୁ ଏକ ପ୍ରକାର ଅଦୃଶ୍ୟ ହୋଇ ଯାଇଛି। ଆଉ ଯେଉଁ ବ୍ୟବସାୟୀମାନେ ଏହି ଦୁର୍ମୂଲ୍ୟ ପରିବାକୁ ବିକ୍ରି କରୁଛନ୍ତି ସେମାନଙ୍କ ମୁହଁରୁ ବିଲାତିର ନୂଆ ଦର ଶୁଣିବା ପରେ ଗ୍ରାହକମାନେ ବିଲାତି ନେବା ବଦଳରେ ମୁହଁ ମୋଡି ଚାଲି ଯାଉଛନ୍ତି। କାରଣ ଦିନ କେଇଟା ତଳ ମୁହାଁ ସ୍ଥିତିରେ ଥିବା ବିଲାତିର ଦର ରାତା ରାତି ପୁଣି ସେଞ୍ଚୁରୀ ପାର କରିଛି।
ଓଡ଼ିଶାରେ ବିଲାତି ଉତ୍ପାଦନର ସମୟ ଶେଷ ହୋଇଯାଇ ଥିବା ବେଳେ ଏବେ ଏହି ପରିବା ପାଇଁ ରାଜ୍ୟବାସୀଙ୍କୁ ବେଙ୍ଗାଲୁରୁ ଓ ନାସିକ ଉପରେ ନିର୍ଭର କରିବାକୁ ପଡୁଛି। ବାଙ୍କୀ, ଜଗତସିଂହପୁର, ଆଠଗଡ ଭଳି ସ୍ଥାନରେ ଯେଉଁ କିଛି ବିଲାତି ଅମଳ ହେଉଛି ତାହା ସମୁଦ୍ରକୁ ଶଙ୍ଖେ ଭଳି।
ସେପଟେ ସାଧାରଣତଃ ଛତ୍ର ବଜାରକୁ ଦୈନିକ ୩୦ ରୁ ୪୦ ଟନ ବିଲାତି ଆସୁଥିବା ବେଳେ ଏବେ ତା'ର ୫ ଟନ ବିଲାତି ଆମଦାନୀ ହୋଇ ପାରୁନାହିଁ। ଆବଶ୍ୟକତା ଅନୁସାରେ ଯୋଗାଣ କମ ଥିବାରୁ ଏହା ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି କୁହାଯାଉଛି।
"ଏବେକାର ସ୍ଥିତିକୁ ଦେଖି ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ବିଲାତି ଦର ହ୍ରାସ ପାଇବ ସେ ଆଶା ନାହିଁ। କାରଣ ବିଲାତି ଚାଷ ହେଉଥିବା ରାଜ୍ୟ ଗୁଡ଼ିକରେ ଅଦିନିଆ ବର୍ଷା ଯୋଗୁଁ ବିଲାତି ଅମଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ନୂଆ ଫସଲ ନ ବାହାରିବା ପର୍ଯ୍ୟନ୍ତ ଦର ଏମିତି ରହିବ," କହିଛନ୍ତି ଛତ୍ର ବଜାର ବ୍ୟବସାୟୀ ସଙ୍ଘ ସମ୍ପାଦକ।
କେବଳ ବିଲାତି ନୁହେଁ ଦୁଇ ତିନୋଟି ପରିବାକୁ ବାଦ ଦେଲେ ଅଧିକାଂଶ ପରିବା ଦର କେଜି ପିଛା ୫୦ ଟଙ୍କା ଉପରେ ରହିଛି। ବାଇଗଣ ୩୦ ଟଙ୍କା, କାକୁଡ଼ି ୨୫ ଟଙ୍କା, ପୋଟଳ ୬୦ ଟଙ୍କା, କଲରା ୫୦ ଟଙ୍କା, ଝୁଡଙ୍ଗ ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କ୍ୟାପସିକମ୍ କେଜି ପ୍ରତି ୮୦ ଟଙ୍କାରେ ବିକ୍ରି ହେଉଛି। ପରିବା ଗୁଡ଼ିକର ଏହି ଦର ବୃଦ୍ଧି ଗ୍ରାହକଙ୍କ ବଜେଟକୁ ଗୁରୁତର ପ୍ରଭାବିତ କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।