News18 Odia Digital
World Chhenapoda Divas: ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ମିଠା ଛେନାପୋଡ଼ (Chhenapoda)। କେବଳ ଓଡ଼ିଶାରେ ନୁହେଁ ଦେଶ ବିଦେଶରେ ମଧ୍ୟ ରହିଛି ଛେନାପୋଡ଼ର ବେଶ୍ ଚାହିଦା। ତେବେ ଆଜି ହେଉଛି ଆଜି ଛେନାପୋଡ଼ ଦିବସ (World Chhenapoda Divas)।
ଏହି ଅବସରରେ ବି ଛେନା ପୋଡ଼କୁ ଜିଆଇ ଟ୍ୟାଗର (GI Tag) ମାନ୍ୟତା ଦେବା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଆଜି ସକାଳ ୧୧ ଟାରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଛେନାପୋଡ଼ କଟାଯିବ। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ।
ପ୍ରକାଶ ଥାଉକି ନୟାଗଡ଼ (Nayagarh) ଜିଲ୍ଲା ଦଶପଲ୍ଲା ସାତ ପାଟଣାର ମୂଳ ବାସିନ୍ଦା ହେଉଛନ୍ତି ବିଦ୍ୟାଧର ଓ ସୁଦର୍ଶନ। ଜାତିରେ ଗୁଡ଼ିଆ ହୋଇଥିବାରୁ ମିଠା ପ୍ରସ୍ତୁତି ତଥା ବ୍ୟବସାୟ କରୁଥିଲେ। ବାପାଙ୍କ ମିଠା ଦେକାନରେ ରହି ସୁଦର୍ଶନ ଏକ ପୋଖତ ମିଠା-ମିସ୍ତ୍ରି ପାଲଟି ଯାଇଥିଲେ।
୧୯୯୬ ଜାନୁଆରୀରେ ‘ସଚିତ୍ର ବିଜୟା’ରେ ଛେନାପୋଡ଼କୁ ନେଇ ଏକ ଆଲେଖ୍ୟ ପ୍ରକାଶ ପାଇଥିଲା। ସୁଦର୍ଶନଙ୍କ ସହିତ ଆଲୋଚନା କରି ସ୍ତମ୍ଭକାର ବିଶ୍ବଭାରତୀ ସେହି ଲେଖାଟିକୁ ପ୍ରସ୍ତୁତ କରିଥିଲେ। ୧୯୪୫ ମସିହା କଥା, ପ୍ରତିଦିନ ମିଠା ପ୍ରସ୍ତୁତ ପରେ ଦୋକାନରେ କିଛି ଛେନା ବଳି ପଡ଼ିଥିଲା।
ବଳକା ଛେନାକୁ କଣ କରିବେ ଭାବୁ ଭାବୁ, ହଠାତ୍ ଗୋଟିଏ ଅଜବ ବୁଦ୍ଧି ମୁଣ୍ଡକୁ ଆସିଥିଲା। ବିରି ପୋଡ଼ପିଠା ଭଳି ଛେନାରେ କିଛି ଚିନି ଓ ଚାଉଳ ଚୁନା ମିଶାଇ ତାହାକୁ ଚକଟି କଦଳୀ ପତ୍ରରେ ଗୁଡ଼ାଇ ସେଦିନ ରାତିରେ ସେମାନେ ନିଆଁ-ଆଞ୍ଚରେ ବସାଇ ଦେଇଥିଲେ। ସକାଳକୁ ତାହା ବେଶ୍ ସ୍ବାଦିଷ୍ଟ ଲାଗିବା ସହିତ ପରବର୍ତ୍ତୀ ଅବସ୍ଥାରେ ମିଠା ଜଗତରେ ମଉଡ଼ମଣି ‘ଛେନାପୋଡ଼’ ପାଲଟି ଯାଇଥିଲା। ନୂଆ ଏକ ମିଠା ତିଆରିର ସଫଳତାରେ ବାପା-ପୁଅ ଖୁସି ହୋଇଯାଇଥିଲେ।
ଦଶପଲ୍ଲା ସାତପାଟଣାରୁ ନୟାଗଡ଼ ଆଣି ଏହି ନୂଆ ମିଠା ବା ଛେନାପୋଡ଼କୁ ବିଦ୍ୟାଧର ଓ ସୁଦର୍ଶନ କିଛି ଖାସ୍ ଗ୍ରାହକଙ୍କୁ ଦେଉଥିଲେ। ପରବର୍ତ୍ତୀ ଅବସ୍ଥାରେ ୧୯୪୭ରେ ସୁଦର୍ଶନ ଆସି ନୟାଗଡ଼ ବସ୍ଷ୍ଟାଣ୍ଡରେ ଏକ ମିଠା ଦୋକାନ କରିଥିଲେ ।
ନୟାଗଡ଼କୁ ଆସୁଥିବା ନେତା, ମନ୍ତ୍ରୀ, ଅଫିସର୍ ସୁଦର୍ଶନଙ୍କ ଛେନାପୋଡ଼ ନେବାକୁ ଭୁଲୁ ନଥିଲେ। ସୁଦର୍ଶନ ରାଜ୍ୟ ବାହାରକୁ ମଧ୍ୟ ଏହା ପଠାଉଥିଲେ। ତେବେ ବିଭିନ୍ନ କାରଣ ପାଇଁ ଛେନାପୋଡ଼ ବ୍ୟବସାୟରୁ ୧୯୮୦ ମସିହାରେ ସୁଦର୍ଶନ ଓହରି ଯାଇଥିଲେ। ୨୦୧୬ ନଭେମ୍ବର ତାଙ୍କର ପରଲୋକ ଘଟିଥିଲା।
ପଢ଼ନ୍ତୁ ଏହି ଖବର: ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ସକାଳୁଆ ସ୍କୁଲ; ଖରା ପାଇଁ ବଦଳିଲା ସମୟସେହିପରି ଗତବର୍ଷ ଏହି ଦିନକୁ ବିଶ୍ୱ ଛେନାପୋଡ ଦିବସ ଭାବେ ପାଳନ କରିଥିଲା ହେଲପିଙ୍ଗହ୍ୟାଣ୍ଡ ସଙ୍ଗଠନ। ଚଳିତ ବର୍ଷ ଏହି ଦିବସକୁ ବ୍ୟାପକ ଭାବରେ ପାଳନ କରାଯାଉଛି। ସରକାରୀ ଭାବରେ ଏହାକୁ ପାଳନ ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଛି। ସରକାରୀ କାର୍ଯ୍ୟାଳୟରେ ଛେନାପୋଡ କେକ୍ କାଟି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।