News18 Odia Digital
ଭୁବନେଶ୍ୱର: ସକ୍ରିୟ ହେଲା ମୌସୁମୀ। ଆଜି ଆଣ୍ଡାମାନ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପୂର୍ବ ଅନୁମାନ ଅନୁସାରେ ୫ ଦିନ ଆଗରୁ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସକ୍ରିୟ ହୋଇ ମୌସୁମୀ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି । ସେପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଏକ ଘୂର୍ଣ୍ଣିବଳୟ। ଏହା ଲଘୁଚାପରେ ପରିଣତ ହେବ ନି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ସକ୍ରିୟ ହେବା ପରେ ଆଣ୍ଡାମାନ ଅଞ୍ଚଳକୁ ଅଗ୍ରସର ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଆଣ୍ଡାମାନ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହା ଧିରେ ଧିରେ ଅଗ୍ରସର ହୋଇ ଆସନ୍ତା ୨୭ ତାରିଖରେ କେରଳ ଛୁଇଁବ ବୋଲି ଆକଳନ କରାଯାଇଛି। ଯଦିଓ ଓଡ଼ିଶା ଛୁଇଁବା ନେଇ କୌଣସି ଆକଳନ କରାଯାଇ ନାହିଁ ତଥାପି ଜୁନ୍ ପହିଲା କିମ୍ବା ପ୍ରଥମ ସପ୍ତାହରେ ସକ୍ରିୟ ହେବାର ସମ୍ଭାବନା ରହିଛି।
ସେପଟେ ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଦୁଇଟି ଘୂର୍ଣ୍ଣିବଳୟ । ଆସନ୍ତା ୧୯ ଓ ୨୨ ତାରିଖରେ ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଥିବା ବେଳେ ତାହା ଲଘୁଚାପର ରୂପ ନେବ କି ନାହିଁ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଯଦି ଲଘୁଚାପ ହୁଏ ତେବେ ତାହା ମିଆଁମାର ଉପକୂଳକୁ ଗତି କରିବ । ତେଣୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ । ହେଲେ ଏହାର ପ୍ରଭାବରେ ଓଡ଼ିଶାରେ ତାପମାତ୍ରା ନ ବଢ଼ିଲେ ବି ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ। ଏହା ସହ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କାଳବୈଶାଖୀ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଣ୍ଡା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର ।
ଗତ ବର୍ଷ ସଠିକ ସମୟରେ ମୌସୁମୀ ଓଡ଼ିଶା ଛୁଇଁଥିଲେ ମଧ୍ୟ ଜୁନ, ଜୁଲାଇ ଏବଂ ଅଗଷ୍ଟ ମାସରେ ଦୁର୍ବଳ ହୋଇଯାଇଥିଲା। ଫଳରେ ନିଅଣ୍ଟିଆ ବର୍ଷା ରେକର୍ଡ଼ ହୋଇଥିଲା। କିନ୍ତୁ ଚଳିତ ବର୍ଷ ସଅଳ ମୌସୁମୀ ସହ ସ୍ବାଭାବିକ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।