ଆଜି ଶେଷ ହେଉଛି ୩ ସାଂସଦଙ୍କ କାର୍ଯ୍ୟକାଳ; ପ୍ରସନ୍ନଙ୍କ ଜାଗା ନେବେ କେଉଁ ନେତା

ଆଜି ବିଜେଡିର ତିନି ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ। କିନ୍ତୁ ପ୍ରସନ୍ନ ଆଚାର୍ଯ୍ୟଙ୍କର କାର୍ଯ୍ୟକାଳ ଆଜି ଶେଷ ହେଉଥିବାରୁ ରାଜ୍ୟସଭାରେ ବିଜେଡ଼ିର ନେତା କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ରାଜ୍ୟସଭା (ପ୍ରତୀକାତ୍ମକ ଛବି)

ରାଜ୍ୟସଭା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଆଜି ବିଜେଡିର ତିନି ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ। ଏହି ସାଂସଦମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌ ଭାସ୍କର ରାଓ ଓ ସସ୍ମିତ ପାତ୍ର। କିନ୍ତୁ ପ୍ରସନ୍ନ ଆଚାର୍ଯ୍ୟଙ୍କର କାର୍ଯ୍ୟକାଳ ଆଜି ଶେ‌‌ଷ ହେଉଥିବାରୁ ରାଜ୍ୟସଭାରେ ବିଜେଡ଼ିର ନେତା କିଏ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ‌ହୋଇଛି।

ରାଜ୍ୟସଭାରେ ଖାଲି ହେଉଥିବା ଏହି ତିନି ଆସନ ପାଇଁ ପୂର୍ବରୁ ବିଜେଡିର ତିନି ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି।  ପୁନଃ ନିର୍ବାଚିତ ହୋଇଥିବା ସାଂସଦ ଶ୍ରୀ ପାତ୍ରଙ୍କ ବ୍ୟତୀତ ମାନସ ରଞ୍ଜନ ମଙ୍ଗରାଜ ଓ ସୁଲତା ଦେଓ ଆସନ୍ତା ୮ ତାରିଖରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

ଏପ୍ରିଲ ୩, ୨୦୧୮ରେ ଦିଲୀପ ତିର୍କୀଙ୍କ ରାଜ୍ୟସଭାର କାର୍ଯ୍ୟକାଳ ‌ଶେଷ ହେବା ପରେ ତାଙ୍କ ସ୍ଥାନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭାର ନେତା ରୂପେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୨୦୧୮ ରେ ନିଯୁକ୍ତ କରିଥିଲେ। ବର୍ତ୍ତମାନ ରାଜ୍ୟସଭାରେ ବିଜେଡିର ୯ଜଣ ସାଂସଦ ରହିଛନ୍ତି। ଏମାନଙ୍କ ମଧ୍ୟରୁ କାହାକୁ ନେତା କରାଯିବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସଙ୍କେତ ମିଳିପାରିନାହିଁ। ତେବେ ବିଜେଡିର ରାଜ୍ୟସଭା ସାଂସଦମାନଙ୍କ ମଧ୍ୟରୁ ପ୍ରଶାନ୍ତ ନନ୍ଦ, ଅମର ପଟ୍ଟନାୟକ, ସୁଜିତ କୁମାର କିମ୍ବା ଡାକ୍ତର ସସ୍ମିତ ପାତ୍ରଙ୍କ ମଧ୍ୟରୁ ଜଣକର ନାମକୁ ପାର୍ଟି ସୁପ୍ରିମୋ ମୋହର ଲଗାଇପାରନ୍ତି।

ରାଜ୍ୟସଭାରେ ବିଜେଡି ନେତା ଭାବେ ଶ୍ରୀ ଆଚାର୍ଯ୍ୟ ଦଳ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଫ୍ଲୋର ମ୍ୟାନେଜମେଣ୍ଟରେ ମଧ୍ୟ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।
Published by:Soumya Das
First published: