News18 Odia Digital
Birth Anniversary of Biju Patnaik: ଆଜି ହେଉଛି ସେହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ(Birth Anniversary of Biju Patnaik)ଙ୍କର ୧୦୭ତମ ଜନ୍ମ ଜୟନ୍ତୀ । ୧୯୧୬ ମାର୍ଚ୍ଚ ୫ରୁ ୧୯୯୭ ଏପ୍ରିଲ୍ ୧୭ ତାରିଖ । ଦୀର୍ଘ ୮୧ ବର୍ଷର ଜୀବନ କାଳ ମଧ୍ୟରେ ଓଡିଶାକୁ ଦେଇଥିଲେ ନୂଆ ରୂପ। ତାଙ୍କର ପ୍ରତିଟି ମୁହୂର୍ତ୍ତ ଥିଲା କର୍ମମୟ। ପାଇଲଟ୍, ସଫଳ ଶିଳ୍ପପତି, ବିଚକ୍ଷଣ ରାଜନୀତିଜ୍ଞ, ଦୂରଦ୍ରଷ୍ଟା, ସ୍ବାଭିମାନୀ, ସ୍ପଷ୍ଟବାଦୀ, ନିର୍ଭୀକ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ଏହି ସର୍ବମାନ୍ୟ ନେତା।
ବିଜୁ ପଟ୍ଟନାୟକ ଯୁବାବସ୍ଥାରେ ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ଇଣ୍ଡିଆନ ଏୟାରୱେଜରେ ପାଇଲଟ ଭାବରେ ଚ଼ାକିରି କରିଥିଲେ । ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଡଚମାନଙ୍କ ଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘‘ଭୂମିପୁତ୍ର’’ ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ସହ ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । ବିଜୁ ପଟ୍ଟନାୟକ ସେତେବେଳେ ଏକ ଡାକୋଟା ହୋଲିକପ୍ଟର୍ ଚଳାଉଥିଲେ । ଆଜି ତାହାର ଲୋକାର୍ପଣ ହେବ ।
କଟକର ତୁଳସୀପୁର ଠାରେ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ଆଶାଲତା ପଟ୍ଟନାୟଙ୍କ ତୃତୀୟ ସନ୍ତାନ ଭାବେ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ବିଜୁ ପଟ୍ଟନାୟକ । କଟକସ୍ଥିତ ରେଭେନ୍ସା କଲେଜରେ ବିଜ୍ଞାନ ବିଷୟରେ ପାଠ ପଢିବା ପରେ ସେ ପାଇଲଟ୍ ହେବା ପାଇଁ ଶିକ୍ଷା ଗ୍ରହଣ କରିଥିଲେ ।
ଦୁଇ ଥର (୧୯୬୧ ଓ ୧୯୯୦) ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବିଜୁ ପଟ୍ଟନାୟକ ୧୯୪୬ ମସିହାରେ ନିଜ ରାଜନୈତିକ କରିୟର ଆରମ୍ଭ କରିଥିଲେ । ପ୍ରଥମେ ଉତ୍ତର କଟକ ନିର୍ବାଚନ ମଣ୍ଡଳୀରୁ ସେ ବିଧାନସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚ଼ିତ ହୋଇଥିଲେ । ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତି ଥିଲେ । ତାଙ୍କ ନେତୃତ୍ବରେ କଂଗ୍ରେସ ୮୨ଟି ଆସନରେ ବିଜୟୀ ହୋଇଥିଲା । ୧୯୭୧ରେ ରାଜ୍ୟସଭା ନିର୍ବାଚନରେ ତାଙ୍କୁ ଟିକେଟ ନ ମିଳିବାରୁ ସେ କଂଗ୍ରେସ ଛାଡି ‘ଉତ୍କଳ କଂଗ୍ରେସ’ ନାମରେ ଏକ ଦଳ ଗଢିଥିଲେ । ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି (ଇମର୍ଜେନସି) ସମୟରେ ସେ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇ ଜେଲ ଯାଇଥିଲେ ।
Iconic Dakota: ନେହେରୁଙ୍କ ନିର୍ଦ୍ଦେଶରେ ଡାକୋଟାରେ ଇଣ୍ଡୋନେସିଆ ଯାଇଥିଲେ ବିଜୁ
୧୯୮୯ର ଲୋକସଭା ନିର୍ବାଚନରେ କଂଗ୍ରେସ ପରାଜିତ ହେବା ପରେ ଜାତୀୟ ରାଜନୀତିରେ ବିଜୁବାବୁଙ୍କ ପତିଆରା ବଢ଼ିଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଭି.ପି. ସିଂଙ୍କୁ ପ୍ରଧାନ ମନ୍ତ୍ରୀ କରିବାରେ ବିଜୁ ବାବୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ୧୯୯୦ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୁବାବୁଙ୍କ ନେତୃତ୍ବରେ ଜନତା ଦଳ ୧୨୩ଟି ଆସନରେ ଜିତିଥିଲା ଓ ସେ ଦ୍ୱିତୀୟ ଥର ପାଇଁ ମୁଖ୍ୟ ମନ୍ତ୍ରୀ ହୋଇଥିଲେ। ୧୯୯୭ ଏପ୍ରିଲ ୧୭ ତାରିଖରେ ତାଙ୍କର ପରଲୋକ ହୋଇଥିଲା ।
ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳନ ପାଇଁ ଓଡ଼ିଶା ସରକାର ଓ ବିଜେଡି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତାଙ୍କ ପୁତ୍ର ନବୀନ ପଟ୍ଟନାୟକ ବିଜେଡିର ମୁଖ୍ୟ ରୂପେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଅଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।