ଆଜି ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ପର୍ବ; ରାଜରାଜେଶ୍ଵର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ ସହ ରାଜରାଜେଶ୍ଵର ବେଶ। ଏହି ଉତ୍ସବ ଆନୁଷଙ୍ଗିକ ଅଙ୍କୁରାରୋପଣ କର୍ମ ପୌଷ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଦେଉଳ ପୁରୋହିତଙ୍କ ଦ୍ୱାରା ସମାହିତ ହୋଇଥାଏ।

ଆଜି ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ପର୍ବ; ରାଜରାଜେଶ୍ଵର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ଆଜି ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ପର୍ବ; ରାଜରାଜେଶ୍ଵର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ଆଜି ପବିତ୍ର ପୌଷ ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହା ଏକ ଅନନ୍ୟ ଯାତ୍ରା ଅଟେ । ସକାଳଧୂପ ସରିବା ପରେ ରତ୍ନସିଂହାସନ ଉପରେ ଶ୍ରୀଜିଉମାନେ ଦୁର୍ଲଭ ସୁନାବେଶରେ ବିଭୂଷିତ ହୋଇଥିଲେ । ଦୁଇବର୍ଷ ପରେ କରୋନା କଟକଣା ହଟିଯାଇଥିବାରୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ସୁନାବେଶ ଦେଖିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଛି ।

ଗତକାଲି ଚତୁର୍ଦ୍ଦଶୀ ତିଥିରେ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଇଛି । ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମାଆ ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିଥିଲେ । ଏହାପରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି । ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ, ସେବତୀମାଳ, ଆଡ଼କାନି, ଚନ୍ଦ୍ର ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ୍ଣ ଅଳଙ୍କାରରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ବିଭୂଷିତ ହୋଇଛନ୍ତି ।  ଦୁଇବର୍ଷ ପରେ ବିନା କଟକଣାରେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରି ହଜାର ହଜାର ଭକ୍ତ ଆତ୍ମସନ୍ତୋଷ ଲାଭ କରିଛନ୍ତି ।

ଶ୍ରୀମନ୍ଦିରରେ ଚନ୍ଦନଲାଗି ନୀତି ପରେ ଅଧିବାସ କର୍ମ କରାଯାଏ। ଏଥିପାଇଁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ହୋଇ ଚାନ୍ଦୁଆ ବନ୍ଧା ଯାଇଥାଏ। ଏକ ହାଣ୍ଡି ଘିଅ ଓ ରୋଷକୂପରୁ ନୂଆହାଣ୍ଡିରେ ଅଣାଯାଇଥିବା ପାଣି ପରଖମାନଙ୍କରେ ରଖାଯାଇଥାଏ। ଘିଅକୁ ଏକୋଇଶ ଗରାରେ ଓ ପାଣିକୁ ସତାଅଶୀ ଗରାରେ ବିଭକ୍ତ କରାଯାଇ ଚାରି ପନ୍ତି ହୋଇ ଚାନ୍ଦୁଆତଳେ ରଖାଯାଏ। ଏହି ଗରାମାନଙ୍କୁ ଦେଉଳ ପୁରୋହିତ ଚେମେଡ଼ି ପତନି ଘୋଡ଼ାଇ ଫୁଲ ଚନ୍ଦନ ଦେଇ ଅଧିବାସ କରନ୍ତି। ପରେ ଭୋଗମଣ୍ଡପ ଦ୍ୱାର ବନ୍ଦ ହୋଇ ତଡ଼ଉକରଣ ମୁଦ ଦିଅନ୍ତି। ପରେ ବଡ଼ସିଂହାର ଭୋଗ ପୂଜା ସରିବା ପରେ ପାଣି ପଡ଼ି ଧୋପଖାଳ ହୋଇ ଭଦ୍ରାସନ ଉପରେ ପାହାଡ଼ା ପଡ଼ି ଅଧିବାସ ଦର୍ପଣ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ମନ୍ତ୍ରପୁତ ପୁଷ୍ପ ଓ ଚନ୍ଦନାଦି ଦ୍ୱାରା ଅଧିବାସ ହୁଏ। ଏକାଦଶୀ ଦିନ ଦେଉଳ ପୁରୋହିତ ସ୍ନାନବେଦୀ ପାଖରେ ଅଙ୍କୁରାରୋପଣ ପୂଜା କରିନ୍ତି।

ଶ୍ରୀମନ୍ଦିର ଭିତରବେଢାରେ ଥିବା ପ୍ରତିହାରୀ ନିଯୋଗ କାର୍ଯ୍ୟାଳୟ ଗୃହ ସମ୍ମୁଖରେ କୋଠସୁଆଁସିଆଙ୍କ ଦ୍ୱାରା ଏକ ଯଜ୍ଞଶାଳା ନିର୍ମିତ ହୋଇଥାଏ। ପୂର୍ଣ୍ଣିମା ଦିନ ସକାଳଧୂପ ପୂଜା ବସିଥିବା ବେଳେ ଏଠାରେ ହୋମ କରାଯାଏ। ଭିତରେ ସକାଳଧୂପ ଶେଷ ପରେ ପାଣିପଡ଼ିଥାଏ । ଶ୍ରୀଜଗନ୍ନାଥଙ୍କ ବାଡ଼ରେ ମୈଲମ ହୋଇ ତଡ଼ପ ଉତ୍ତରୀ ଲାଗି କରାଯାଏ । ପରେ ମହାସ୍ନାନ ପୂଜା ଠା' ହୁଏ। ଗତଦିନରେ ଅଧିବାସ ହୋଇଥିବା ଭୋଗମଣ୍ଡପ ଘରର ମୁଦ ଖୋଲାଯାଇ ରୋଷ ଘରୁ ନିଆଁ ଅଣାଯାଏ ଓ ସେଥିରେ ଘିଅକୁ ତରଳାଯାଇ କୁମ୍ଭମାନଙ୍କରେ ଥିବା ପାଣିରେ ମିଶାଯାଏ। ଟେରାବନ୍ଧା ପରେ ଭୋଗମଣ୍ଡପ ଘରଠାରୁ ଜଳଛେକ ଗରାବଡୁମାନେ ବାଘମୁହାଁ ବାନ୍ଧି ଘଣ୍ଟ ଛତା କାହାଳୀ ସହ ତଳିଛ ପ୍ରଧାନୀ ପଟୁଆରରେ ଆସି ଚାରିଥରେ ଚାରିଟି ପନ୍ତିରେ ରଖନ୍ତି।

ଏହା ପରେ ଶୀତଳ ଭୋଗ ଛେକ ଆସେ। ତା'ପରେ ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦଲାଗି କରନ୍ତି। ପୂଜାପଣ୍ଡା ଓ ଦେଉଳ ପୁରୋହିତ ପାତ୍ରି,  ଅଧିବାସ ଦର୍ପଣ ପାଖରେ ଧରିଥାନ୍ତି। ଗରାବଡୁମାନେ ଘିଅ ଓ ଜଳ ଉକ୍ତ ପାତ୍ରିରେ ଦେଇ ଦର୍ପଣ ଉପରେ ଲାଗି କରାନ୍ତି (କେବଳ ଶ୍ରୀଜଗନ୍ନାଥଙ୍କ ବାଡ଼ରେ)। ପାଣି ପଡ଼ିବା ପରେ ପୁଷ୍ପାଳକମାନେ ମଇଲମ କରି ନୂଆ ଲୁଗା ଲାଗି କରିବା ପରେ ପଣ୍ଡା, ପତି, ମୁଦିରସ୍ତ ସର୍ବାଙ୍ଗ ଲାଗି କରାନ୍ତି। ଏହା ପରେ ଲକ୍ଷ୍ମୀ ଆଜ୍ଞାମାଳ ପାଇ ପାଲିଙ୍କିରେ ଯାଇ ଲକ୍ଷ୍ମୀ ମନ୍ଦିରର ଜଗମୋହନରେ ଖଟ ଉପରେ ବିଜେ ହୁଅନ୍ତି । ସେଠାରେ ତାଙ୍କର ମାଜଣା, ଚନ୍ଦନଲାଗି ବେଶ ହୁଏ । ଏହା ପରେ ଭିତରେ ମହାପ୍ରଭୁଙ୍କର ଅଭିଷେକ ବେଶ, ସ୍ୱର୍ଣ୍ଣ ଅଳଙ୍କାର ଲାଗି, ମାଳଫୁଲ କର୍ପୂର ଲାଗି ପରେ ରୋଷଘରୁ ଘଣ୍ଟ , ଛତା, କାହାଳୀ, ପଟୁଆରରେ ପୁଷ୍ୟାଭିଷେକ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ।

ଏହାପରେ ଲକ୍ଷ୍ମୀ ବାହୁଡ଼ାବିଜେ ହୋଇ ଭିତର ସିଂହାସନକୁ ବିଜେ କରନ୍ତି। ମୁଦିରସ୍ତ ପ୍ରସାଦ ଲାଗି କରନ୍ତି ଓ ଦଣ୍ଡଛତ୍ର ସଂସ୍କାର କରି ଭିତରଚ୍ଛ ମହାପାତ୍ର ସିଂହାସନ ଉପରକୁ ଉଠିଲେ ତାଙ୍କୁ ଦିଅନ୍ତି। ଭିତରଚ୍ଛ ସିଂହାସନ ଉପରେ ଲକ୍ଷ୍ମଣଙ୍କ ସ୍ୱରୂପ ଠିଆହୋଇ ଦଣ୍ଡଛତ୍ର ଧରନ୍ତି। ପାଳିଆ ଭଣ୍ଡାରମେକାପ ହନୁମାନ ସ୍ୱରୂପ ଦଣ୍ଡଛତ୍ର ମୂଳକୁ ଧରନ୍ତି। ପୂଜାପଣ୍ଡା ଆସି ଷୋଡ଼ଶ ଉପଚାରରେ ପୂଜା କରନ୍ତି। ଭୋଗସରି ପାଣି ପଡ଼ିଲେ ପଣ୍ଡା, ପତି, ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି। ମୁଦିରସ୍ତ ଫୁଲ ଶର ଆୟୁଧ ଲାଗି କରନ୍ତି। ପରେ ସେ ସିଂହାସନ ଉପରେ ଚାମର ଆଲଟ କରନ୍ତି। ତା'ପରେ ସିଂହାସନ ତଳେ ମଧ୍ୟ ଆଲଟ ଲାଗି ଓ ଘଷା ବିଡ଼ିଆ ଦହି ମଣୋହି କରନ୍ତି। ଅଖଣ୍ଡ ମେକାପ ବଇଠା ହାତରେ ଧରି ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଠିଆ ହୋଇଥାନ୍ତି। ରାଜନୀତି ଓ ବନ୍ଦାପନା ସରିବା ପରେ ମୁଦିରସ୍ତ ସିଂହାସନ ଉପରକୁ ଫୁଲ ଧନୁଶର ଓ ଗଦି ପ୍ରସାଦ ମଇଲମ କରନ୍ତି। ଭିତରଚ୍ଛ ଦଣ୍ଡଛତ୍ର ମଇଲମ କରି ତଳକୁ ଦିଅନ୍ତି। ଏ ଉତ୍ତାରୁ ଦକ୍ଷିଣଘର ଭୋଗ ଶେଷ ପରେ ରଘୁନାଥ ଠାକୁର ରତ୍ନସିଂହାସନକୁ ବିଜେ କରନ୍ତି। ସେ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବାପରେ ଲକ୍ଷ୍ମୀମନ୍ଦିରକୁ ବାହାର ଅଭିଷେକ ପାଇଁ ବିଜେ କରନ୍ତି। ସେଠାରେ କାଠ ଭଦ୍ରାସନରେ ଵିଜେ ହେବା ପରେ ମହାସ୍ନାନ ହୁଏ। ଭୋଗ ବନ୍ଦାପନା ହୋଇ ଦକ୍ଷିଣ ଘରକୁ ବାହୁଡା ବିଜେ କରନ୍ତି ।
Published by:Soubhagya Mishra
First published: