୭୬ ବର୍ଷରେ ପାଦ ଥାପିଲେ CM ନବୀନ ପଟ୍ଟନାୟକ; କରୋନା ପାଇଁ ଏ ବର୍ଷ ପାଳିଲେନି ଜନ୍ମ ଦିନ

କରୋନାକୁ ଦୃଷ୍ଟିରେ ରଖି ଏ ବର୍ଷ ନିଜ ଜନ୍ମ ଦିନ ପାଳନ କରୁନାହାଁନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡ଼ିଆରେ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଦେବାରେ ଲାଗିଛନ୍ତି ସମସ୍ତେ ।

ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ମନ୍ତ୍ରୀ (ପ୍ରତୀକାତ୍ମକ ଛବି)

ପ୍ରଧାନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ମନ୍ତ୍ରୀ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ବର: ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମ ଦିନ । ଆଜି ବୟସର ଆଉ ଏକ ପାହାଚରେ ପାଦ ଥାପିଛନ୍ତି ନବୀନ ବାବୁ । ୧୯୪୬ ଅକ୍ଟୋବର ୧୬ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେ ଏ ବର୍ଷ ପାଳନ କରୁନାହାଁନ୍ତି ଜନ୍ମ ଦିନ । ଏହି ଅବସରରେ ତାଙ୍କୁ ସୋସିଆଲ ମିଡ଼ିଆରେ ଜନ୍ମ ଦିନର ଶୁଭେଚ୍ଛା ଦେବା ଆରମ୍ଭ କରିଦେଇଛନ୍ତି ସମସ୍ତେ ।

ସାଧାରଣ ଲୋକଙ୍କଠୁ ନେଇ ନେତାମାନେ ମଧ୍ୟ ତାଙ୍କୁ ଟ୍ବିଟରରେ ଶୁଭେଚ୍ଛା ଜଣାଉଛନ୍ତି । ଏହି ତାଲିକାରେ ସାମିଲ ଅଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେ ଟ୍ବିଟ କରି ମୁଖ୍ୟ ମନ୍ତ୍ରୀଙ୍କ ସୁସ୍ଥ ଓ ସୁଖମୟ ଜୀବନ ପାଇଁ କାମନା କରିଛନ୍ତି ।

ସେପଟେ ନବୀନ ପଟ୍ଟନାୟକ ମଧ୍ୟ କହିଛନ୍ତି ଯେ ଓଡିଶା ବାସୀଙ୍କ ଭଲ ପାଇବା, ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ।

ନବୀନ ପଟ୍ଟନାୟକ, ପାଞ୍ଚ ଥର ମୁଖ୍ୟ ମନ୍ତ୍ରୀ ହୋଇସାରିଲେଣି। ପ୍ରତି ଥର ବଢ଼ିଛି ଚାଲିଛି ତାଙ୍କ ଲୋକପ୍ରିୟତା। ଥରେ କି ଦି ଥର ନୁହେଁ ତାଙ୍କୁ ମୁଖ୍ୟ ମନ୍ତ୍ରୀ ରୂପେ ପାଞ୍ଚ ଥର ଚୟନ କରିସାରିଛନ୍ତି ଓଡ଼ିଶାବାସୀ ।

୨୦୦୦ ମସିହାରେ ଓଡ଼ିଶା ଏକ ପଛୁଆ ରାଜ୍ୟ ଭାବେ ଗଣାଯାଉଥିଲା। ୨୧ ବର୍ଷ ଭିତରେ ଓଡ଼ିଶାର ସମ୍ପୂର୍ଣ୍ଣ ଚିତ୍ର ବଦଳାଇ ଦେଇଛନ୍ତି ନବୀନ ପଟ୍ଟନାୟକ। ରାଜସ୍ୱ ନିଅଣ୍ଟ ରାଜ୍ୟରୁ ଏବେ ରାଜସ୍ୱ ବଳକା ରାଜ୍ୟ। ଦିନେ ଖାଦ୍ୟ ପାଇଁ ବାହର ରାଜ୍ୟ ଉପରେ ନିର୍ଭର କରୁଥିଲା ଓଡ଼ିଶା, ଏବେ ଖାଦ୍ୟ ସୁରକ୍ଷାରେ ସ୍ୱାବଲମ୍ବୀ ସାଜିଛି ।

୧୯୯୮ରେ ବିଜେଡି ଓ ବିଜେପି ସହ ମିଶି ଲଢ଼ିଥିଲା ଲୋକସଭା ନିର୍ବାଚନ। ଆସିକାରୁ ପୁଣି ସାଂସଦ ନିର୍ବାଚିତ ହୋଇଥିଲେ ନବୀନ। ବାଜପେୟୀଙ୍କ ସରକାରରେ ହୋଇଥିଲେ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରରେ ସରକାର ଭାଙ୍ଗିବା ପରେ ପୁଣି ଥରେ ୧୯୯୯ ନିର୍ବାଚନ ଜିତି ଲୋକସଭା ଯାଇଥିଲେ। ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜେଡି ଓ ବିଜେପି ସହ ମେଣ୍ଟ କରି ଗଢ଼ିଥିଲା ସରକାର। ୬୩-୬୪ ଅନୁପାତରେ ଆସନ ଭାଗବଣ୍ଟା ହେଉଥିଲା। କିନ୍ତୁ ୨୦୦୯ ପରଠାରୁ ଏକାକୀ ଲଢୁଛି ବିଜେଡି, ଆଉ ନବୀନଙ୍କ ଦଳ ଏକାକୀ ଶହେରୁ ଅଧିକ ଆସନ ଜିତୁଛି।
Published by:Lipina Das
First published: