News18 Odia Digital
ଭୁବନେଶ୍ୱର: ଉପନିର୍ବାଚନ ମାହୋଲରେ ପଦ୍ମପୁରରେ ଦେଖିବାକୁ ମିଳିଛି ରେଡ୍ର ହାଇଡ୍ରାମା। ତେବେ ଏହି ରେଡ୍କୁ ଉଦ୍ଦେଶ୍ୟ ମୂଳକ କହି ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପଦ୍ମପୁର ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ ସଂଘ।
ବନ୍ଦ ଡାକରା ସମୟରେ ବାବଦରେ ସୂଚନା ଦେଇଛନ୍ତି ପଦ୍ମପୁର ବଣିକ ସଙ୍ଘର ସଭାପତି ପ୍ରତାପ ମିଶ୍ର। ଏହି ବନ୍ଦ ଡାକରା ସମୟରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ। ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଯଦି ଆଜି କୌଣସି ରେଡ୍ କରାଯାଏ, ତେବେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପଦ୍ମପୁର ବନ୍ଦ ଡାକରା ଦିଆଯିବ ବୋଲି କହିଛନ୍ତି ସଭାପତି।
ବର୍ତ୍ତମାନ ପଦ୍ମପୁର ପ୍ରଚାର ଜୋରଦାର ଚାଲିଥିବା ବେଳେ ହଠାତ ଗତକାଲି ସକାଳେ ଆୟକର ବିଭାଗର ଏକାଧିକ ଦଳ ବିଜେଡିର ସମର୍ଥକ ଭାବରେ ଜଣାଶୁଣା ତିନିଜଣ ବ୍ୟବସାୟୀଙ୍କ ଘରେ ଚଢ଼ାଉ କରିଥିଲେ। ଏହା ପରେ ସଦଂହ୍ୟାରେ ଜିଏସଟି ଅଧିକାରୀମାନେ ପଦ୍ମପୁର ନଗର ବିଜେପି ସଭାପତିଙ୍କ ସମେତ ଅନେକ ଦୋକାନ ଉପରେ ଚଢ଼ାଉ କରିଥିଲେ।
ସୋମବାର ସନ୍ଧ୍ୟାରେ ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ପକ୍ଷରୁ ପଦ୍ମପୁରସ୍ଥିତ ଜଗଦମ୍ବା ଲୁଗା ଦୋକାନ, ମୀନାକ୍ଷୀ ଜ୍ବେଲେରି, ପାଇକମାଲ ନୃସିଂହ ପେଟ୍ରୋଲ ପମ୍ପ, ପାଇକମାଲ ନୃସିଂହନାଥ ମେଡିକାଲ, ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ଆଦି ପ୍ରମୁଖ ସ୍ଥାନରେ ଚଢ଼ଉ ହୋଇଥିଲା।
ଏହାପୂର୍ବରୁ ଆଇଟି ଟିମ୍ ବାହିରପଡାର ବ୍ୟବସାୟୀ ମହମ୍ମଦ ସାଜିଦ୍, ସାହୋପାଦାର ମନଭଜନ ସାହୁ ଓ ବାଦପଡାର ଗାଜୁ ଅଗ୍ରୱାଲଙ୍କ ଘରେ ଚଢ଼ାଉ କରିଥିଲା। ମହମ୍ମଦ ସାଜିଦ ମୃତ ପଦ୍ମପୁର ବିଧାୟକ ବିଜୟା ରଂଜନ ସିଂ ବରିହାଙ୍କ ସହଯୋଗୀ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।